Friday, November 13, 2026
Home ଆଞ୍ଚଳିକ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି, ୨୦ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ଓ୍ୱାର୍ଣ୍ଣିଂ

ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି, ୨୦ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ଓ୍ୱାର୍ଣ୍ଣିଂ

9

ଭୁବନେଶ୍ୱର,୨୦/୦୯/୨୧ (ଜିଲ୍ଲା ଖବର) : ଓଡିଶା-ପଶ୍ଚିମବଙ୍ଗ ଉପକୂଳରେ ସ୍ଥିର ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ସେହିପରି ଆଗାମୀ ୧୦ଦିନ ମଧ୍ୟରେ ଲାଗ ଲାଗ ଆଉ ୨ଟି ଲଘୁଚାପ ଓଡିଶା ଉପକୂଳ ମୁହାଁ ହେଉଛି । ଫଳରେ ସେପ୍ଟେମ୍ବର ଶେଷ ସପ୍ତାହରେ ରାଜ୍ୟରେ ଭାରି ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ସ୍ଥିର ରହିଥିବା ଘୂର୍ଣ୍ଣିବଳୟ ଯୋଗୁ ରବିବାର ଠାରୁ ବର୍ଷା ଆରମ୍ଭ ହୋଇଥିବା ବେଳେ ୨୩ ତାରିଖ ଯାଏ ରାଜ୍ୟରେ ଏହାର ପ୍ରଭାବ ରହିବ।

୨୦ ରୁ ୨୨ ତାରିଖ ମଧ୍ୟରେ କଟକ, କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର ,ଭଦ୍ରକ, କେନ୍ଦ୍ରାପଡ଼ା, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା ଇତ୍ୟାଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ସେହିପରି ୨୪ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପ ସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ, ୨୫ତାରିଖୁ ଏହା ଲଘୁଚାପର ରୂପ ନେବ । ଏହା ପ୍ରଭାବରେ ୨୬, ୨୭ ଦୁଇଦିନ ଧରି ଉପକୂଳ ଓଡିଶା ସହିତ ସଂଲଗ୍ନ ଜିଲ୍ଲା ଗୁଡିକରେ ବର୍ଷା ହେବ। ପରେ ଏହାର ପ୍ରଭାବ କମିନଥିବା ବେଳେ ୨୬ରେ ଉତ୍ତର ପୂର୍ବ ବଙ୍ଗୋପ ସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୨୮ରେ ଲଘୁଚାପର ରୂପ ନେବ ।

ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଅଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ୨୦ରୁ ଅଧିକ ଜିଲ୍ଲାରେ ସ୍ୱଭାବିକ ଠାରୁ କମ ବର୍ଷା ହୋଇଥିବା ବେଳେ ଲଗାତାର ଲଘୁଚାପ ପ୍ରଭାବରେ ବର୍ଷା ଏହାର ଭରଣା କରିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି।