
ଭୁବନେଶ୍ୱର,୨୦/୦୯/୨୧ (ଜିଲ୍ଲା ଖବର) : ରାଜଧାନୀ ଭୁବନେଶ୍ୱରରେ ଡ୍ରେନରେ ନାବାଳକ ଭାସିଯିବା ଘଟଣା। ମିଳିଲା ନାବାଳକର ମୃତଦେହ। ୧୮ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ପରେ ମିଳିଲା ମୃତଦେହ। ଯାହା ସମସ୍ତଙ୍କ ପାଇଁ ଏକ ଦୁଃଖ ଖବର।
ରବିବାର ଦିନ ୩ଟାରୁ ନାବାଳକ ଡ୍ରେନରେ ଭାସିଯାଇଥିଲା। ପରେ ଅଗ୍ନିଶମ କର୍ମଚାରୀ ଦୀର୍ଘ ସମୟ ଯାଏ ଉଦ୍ୟମ କରିଥିଲେ । ତେବେ ଡ୍ରେନ ନିକଟରୁ ସାଇକେଲ ଉଦ୍ଧାର ହୋଇଥିଲେ ମଧ୍ୟ ନାବାଳକର କୌଣସି ସନ୍ଧାନ ମିଳିପାରିନଥିଲା ।
ଗତକାଲି ରାତି ଅଧିକ ହେବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିବା ବେଳେ ଆଜି ସକାଳୁ ପୁଣିଥରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ସୁରକ୍ଷାବାହିନୀ। ରବିବାର ଅପରାହ୍ନରେ ନାବାଳକ ଜଣକ ଟ୍ୟୁସନ୍ ସାରି ସାଇକେଲରେ ଘରକୁ ଫେରୁଥିବାବେଳେ ଡ୍ରେନ ଭିତରକୁ ଖସିପଡିଥିଲେ । ତେବେ କେବଳ ଗତକାଲିର ଘଟଣା ନୁହେଁ ପୂର୍ବରୁ ମଧ୍ୟ ରାଜଧାନୀର ଏଭଳି ମୁକୁଳା ଡ୍ରେନରେ ଭାସିଯାଇ ଅନେକ ଜୀବନ ଯାଇଥିବା ଦେଖିବାକୁ ମିଳିଛି।
ବାରମ୍ବାର ଏଭଳି ଘଟଣା ବିଏମସିର ଖାମଖିଆଲି ମନୋଭାବକୁ ପଦାରେ ପକାଇଛି । ଯାହାକୁ ନେଇ ଉଭୟ କଂଗ୍ରେସ ଏବଂ ବିଜେପି ପକ୍ଷରୁ ଖଣ୍ଡଗିରି ଥାନାରେ ବିଏମସି ବିରୋଧରେ ଅଭିଯୋଗ କରାଯିବା ସହିତ ମୁକୁଳା ଡ୍ରେନ ଗୁଡିକରେ ସ୍ଲାବ ପକାଇବାକୁ ଦାବି ହୋଇଛି।



