
ମୁମ୍ବାଇ, ୧୯/୦୯/୨୧ (ଜିଲ୍ଲା ଖବର) : ଜଣାଶୁଣା ଡାନ୍ସର,କୋରିଓଗ୍ରାଫର ତଥା ଆଙ୍କର ରାଘବ ଜୁୟାଲଙ୍କ ସବୁ ଅନ୍ଦାଜକୁ ଦର୍ଶକ ବେଶ ପସନ୍ଦ କରନ୍ତି । ଡାନ୍ସ ମାଧ୍ୟମରେ ସେ ଦର୍ଶକଙ୍କ ହୃଦୟ ଜିତିବା ସହିତ, କଥା କଥାରେ ଲୋକଙ୍କୁ ହସାଇ ମଧ୍ୟ ପାରନ୍ତି । ଏବେ ଡାନ୍ସ ରିଆଲିଟି ଶୋ’ ଡାନ୍ସ ପ୍ଲସ ୬ରେ ସେ ହୋଷ୍ଟ କରୁଛନ୍ତି । ଯାହାକି ଡିଜନୀ ପ୍ଲସ୍ ହଟ ଷ୍ଟାରରେ ପ୍ରସାରିତ ହେଉଛି । କରୋନା ସମୟରେ ସେ ଉତ୍ତରାଖଣ୍ଡବାସୀଙ୍କୁ ସାହାଯ୍ୟର ହାତ ବଢାଇଥିଲେ। ଏହି ଦୁର୍ଦ୍ଦିନରେ ଲୋକଙ୍କ ସେବାକରି ସେ ପ୍ରମାଣିତ କରିଦେଇଥିଲେ ଯେ, ସେ କେତେ ହୃଦୟବାନ । ନିକଟରେ ‘ଡ୍ୟାନ୍ସ ପ୍ଲସ୍ ୬’ର ଜଣେ ପ୍ରତିଯୋଗୀଙ୍କ ଦୁଃଖ ଶୁଣି ତାଙ୍କୁ ସାହାଯ୍ୟ କରିବା ନେଇ ୮ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି।
ପ୍ରତିଥର ଭଳି ଏଥର ମଧ୍ୟ ଡାନ୍ସ ରିଆଲିଟି ଶୋ’ ଡାନ୍ସ ପ୍ଲସ ୬ରେ ବହୁତ୍ ଭଲଭଲ ପ୍ରତିଯୋଗୀ ଆସିଛନ୍ତି । ଏଥର ଶୋ’ରେ ଛତିଶଗଡର ରାୟପୁରରୁ ଜଣେ ପ୍ରତିଯୋଗୀ ଯୋଗ ଦେଇଥିଲେ । ନାଁ ତାଙ୍କର ଏଭନ ନାଗପୁରେ । ନିଜର ଟାଲେଣ୍ଟକୁ ସେ ଏହି ମଞ୍ଚରେ ଦେଖାଇଥିଲେ । ଏହା ସହିତ ସେ କହିଥିଲେ ଯେ, ୧୦ ଲକ୍ଷ ଟଙ୍କା ପାଇଁ ସେ ଏହି ଶୋ’କୁ ଆସିଛନ୍ତି । ଯାହା ଦ୍ବାରା ସେ ତାଙ୍କ ବାପାଙ୍କର ଋଣ ସୁଝିବେ ।
ତାଙ୍କ ବାପାଙ୍କର କରୋନା କାରଣରୁ ଦେହାନ୍ତ ହୋଇଛି । ଅକ୍ସିଜେନ ଅଭାବ ଏବଂ ବେଡ ନମିଳିବାରୁ ତାଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା । ତାଙ୍କ ବାପାଙ୍କ ଯିବା ପରେ, ଏବେ ତାଙ୍କ ଘରର ବୋଝ ତାଙ୍କ କାନ୍ଧ ଉପରେ । ଏହା ସହିତ ସେ ଏକଥା ମଧ୍ୟ କହିଥିଲେ ଯେ,ଡାନ୍ସ ପ୍ରତି ତାଙ୍କର ରୁଚି ରହିଛି । ଏହା ମାଧ୍ୟମରେ ସେ ତାଙ୍କ ବାପାଙ୍କର ଋଣ ସୁଝିବେ ବୋଲି ଭାବି ନେଇଛନ୍ତି ।
ତେବେ ଏଭନଙ୍କର ଏହି ଦୁଃଖ ଭରା କଥା ଶୁଣିବା ପରେ ଭାବପ୍ରବଣ ହୋଇ ପଡିଛନ୍ତି ରାଘବ ଜୁୟାଲ । ଏବଂ ଏଭନଙ୍କ ବାପା କରିଥିବା ଋଣ ସୁଝିବାକୁ ନିଷ୍ପତି ନେଇଥିଲେ । ଏହି ଶୋ’ ମାଧ୍ୟମରେ ଋଣର ବାକି ୮ ଲକ୍ଷ ଟଙ୍କା ସେ ସୁଝିଦେବେ ବୋଲି ଏଭନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।
ତେବେ ରାଘବଙ୍କ ଏପରି ପଦକ୍ଷେପକୁ ସୋସିଆଲ୍ ମିଡିଆରେ ଲୋକେ ବେଶ ପ୍ରଶଂସା କରୁଛନ୍ତି । ଏହା ସହିତ ସେ କେତେ ହୃଦୟବାନ ବୋଲି ମଧ୍ୟ କିଛି ଲୋକ କହୁଛନ୍ତି ।


