
ନୂଆଦିଲ୍ଲୀ, ୧୯/୦୯/୨୧ (ଜିଲ୍ଲା ଖବର) : ନିକଟରେ ତେଲେଙ୍ଗାନାରେ ଜଣେ ମାତ୍ର ୬ ବର୍ଷର ନାବାଳିକା ଯୌନ ନିର୍ଯାତନାର ଶିକାର ହୋଇଛି । ଯାହାକି ସମସ୍ତଙ୍କ ହୃଦୟକୁ ଥରାଇ ଦେଇଛି । ଏହି ଘଟଣାକୁ ନେଇ ଭଡକି ଉଠିଛନ୍ତି ସାଉଥ୍ ଫିଲ୍ମ ସୁପରଷ୍ଟାର ମହେଶ ବାବୁ । କ୍ରୋଧିତ ହୋଇଯାଇଛନ୍ତି ସେ । ମହେଶ ଏହି ଘଟଣାକୁ ହୃଦୟ ବିଦାରକ ବୋଲି ବର୍ଣ୍ଣନା କରି ପଚାରିଛନ୍ତି, “ଆମ ଝିଅମାନେ କେବେ ସୁରକ୍ଷିତ ରହିବେ?”
ମହେଶ ବାବୁ ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି, ‘ସିଙ୍ଗାରେନି କଲୋନୀରେ ଜଣେ ୬ ବର୍ଷର ବାଳିକାଙ୍କ ବିରୋଧରେ ହୋଇଥିବା ଜଘନ୍ୟ ଅପରାଧ, ଏହା ସ୍ପଷ୍ଟ କରାଏ ଯେ, ଆମେ କେତେ ତଳକୁ ଖସି ଯାଇଛୁ। ଆମ ଝିଅମାନେ କେବେ ସୁରକ୍ଷିତ ରହିବେ?, ଏହା ଏକ ଚିନ୍ତାର ପ୍ରଶ୍ନ । ପୀଡିତାଙ୍କ ପରିବାର ଏବେ କେଉଁ ପର୍ଯ୍ୟାୟ ଦେଇ ଗତି କରୁଥିବ ତାହା କଳ୍ପନା କରି ହେବନାହିଁ।’
କେବଳ ଏତିକି ନୁହେଁ, ଏହା ସହିତ ସେ ଆଉ ଏକ ଟ୍ୱିଟରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି। ସେ ଲେଖିଛନ୍ତି ‘ଏହି ଘଟଣାରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଁ କର୍ତ୍ତୃପକ୍ଷଙ୍କୁ ନିବେଦନ କରୁଛି। ପୀଡିତା ଏବଂ ତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବାକୁ ମହେଶ ଦାବି କରିଛନ୍ତି। ମହେଶ ବାବୁଙ୍କ ଏହି ଟୁଇଟ୍ ପରେ ଅନେକ ସେଲିବ୍ରେଟି ମଧ୍ୟ ଏହି ପ୍ରସଙ୍ଗରେ ସ୍ୱର ଉଠାଇଛନ୍ତି । ସେମାନେ ନିଜ ନିଜର ମତାମତ ଦେଇଛନ୍ତି।
ସୂଚନା ଅନୁଯାୟୀ, , ସେପ୍ଟେମ୍ବର ୯ ତାରିଖରେ ହାଇଦ୍ରାବାଦର ସିଙ୍ଗାରେନି କଲୋନୀର ଜଣେ ୬ ବର୍ଷର ନାବାଳିକା ନିଖୋଜ ହୋଇଯାଇଥିଲା । ପରେ ତାଙ୍କ ମୃତଦେହ ଏକ ନିର୍ଜନ ସ୍ଥାନରୁ ମିଳିଥିଲା । ପୀଡିତା ଜଣେ ଅଟୋ ଡ୍ରାଇଭରର ଝିଅ।


