
ଜଟଣୀ,୧୮/୯ (ଜିଲ୍ଲା ଖବର): ଦୁଇବର୍ଷ ପରେ ହଜିଲା ଝିଅ ଓ ବାପ ମଧ୍ୟରେ ପୁନର୍ମିଳନ ହୋଇଥିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି ।ମିଳିଥିବା ଖବର ଅନୁଯାୟୀ ସାଥୀ ଦତ୍ତ( ୩୧) ଘର ଚବିଶପ୍ରଗଣା, ପଶ୍ଚିମବଙ୍ଗ ଗତ ଦୁଇ ବର୍ଷ ପୂର୍ବେ ପରିବାର ସହ ବେଙ୍ଗାଲୁରୁ ବୁଲି ଯାଇଥିବା ବେଳେ ହଜି ଯାଇଥିଲେ। ଝିଅ ହଜି ଯାଇଥିବା ସମ୍ପର୍କରେ ବେଙ୍ଗାଲୁରୁ ପୁଲିସକୁ ଜଣାଇ ପରିବାର ସେଠାରୁ ଚବିଶ ପ୍ରଗଣାକୁ ଫେରି ଆସିଥିଲେ। ବିଧୂର ବିଧାନ ବିଚିତ୍ର ୧୫ ଦିନ ତଳେ ରେଳବାଇ ଗୋଲେଇ ମାର୍କେଟସ୍ଥିତ ଏକ ହୋଟେଲ ପାଖରେ ବସି ସେ କାନ୍ଦୁଥିବା ବେଳେ ସ୍ଥାନୀୟ ଲୋକ ଏ ସମ୍ପର୍କରେ ଜଟଣୀ ପୁଲିସକୁ ଖବର ଦେଇଥିଲେ। ପୁଲିସ ତାଙ୍କୁ ଉଦ୍ଧାର କରି ହାଟବଜାର ସ୍ଥିତ ‘ଆଶାକିରଣ’ ହୋମ୍ରେ ରଖିଥିଲେ। ‘ଆଶାକିରଣ ହୋମ୍ର ମୁଖ୍ୟ ହୋଚିମିନି ଶାସ୍ତ୍ରୀଙ୍କ କହିବାନୁସାରେ ତାଙ୍କ ଘର ଠିକଣା ଜାଣିବା ପାଇଁ ଆଶ୍ରମର ଅନ୍ତେବାସୀ ଓ କର୍ମଚାରୀ ଚେଷ୍ଟା କରିଥିଲେ । କିନ୍ତୁ ସେ ଠିକ ଭାବେ କହି ପାରିନଥିଲେ। ତେବେ ସେ ୫/୬ଟି ମୋବାଇଲ ନମ୍ବର ଦେଇଥିଲେ। ଗୋଟିଏ ମୋବାଇଲ ନମ୍ବରରୁ ତାଙ୍କ ପରିବାରର ପରିଚୟ ମିଳି ଯାଇଥିଲା । ତାଙ୍କ ପିତା ଶ୍ୟାମଲ ଦତ୍ତ ଏବଂ ଗାଁ ମୁରବୀ ଗୁରୁବାର ଜଟଣୀରେ ଆସି ପହଞ୍ଚିଥିଲେ । ହଜିଲା ଝିଅକୁ ପାଇ ବାପ ଶ୍ୟାମଲ ଅତ୍ୟନ୍ତ ଖୁସିରେ କାନ୍ଦି ପକାଇଥିଲେ। ହଜିଲା ଝିଅ ଓ ବାପ ମଧ୍ୟରେ ପୁନର୍ମିଳନ ହୃଦୟସ୍ପର୍ଶି ହୋଇଥିଲା। ଠିକଣା ସମ୍ପର୍କିତ ଦସ୍ତାବିଜ ଓ ପରିଚୟପତ୍ର ଦେଖାଇବା ପରେ ଟ୍ରେନ୍ ଯୋଗେ ବାପ ଓ ଝିଅ ଚବିଶ ପ୍ରଗଣା ଫେରି ଯାଇଥିଲେ। ଅନ୍ତେବାସୀ ତାଙ୍କୁ ବିଦାୟ ଦେଇଥିଲେ। ‘ଆଶାକିରଣ’ରେ ୬୨ ଜଣ ନିରାଶ୍ରୟ ବୃଦ୍ଧ ବୃଦ୍ଧା ରହିଛନ୍ତି। କେତକଙ୍କ ପରିଚୟ ମିଳି ନଥିବା ବେଳେ କେତେକ ନିଜ ପୁଅ ବୋହୁଙ୍କ ଦ୍ବାରା ନିର୍ଯ୍ୟାତିତ ହୋଇ ଏଠାରେ ଆଶ୍ରୟ ନେଇଛନ୍ତି। ଜିଲା ପ୍ରଶାସନ ଏବଂ ବେସରକାରୀ ସଂସ୍ଥା ଓ ଧର୍ମପରାୟଣ ବ୍ୟକ୍ତି ସହାୟତା ଯୋଗାଇ ଦେଉଛନ୍ତି। ଗୁରୁବାର ଜଟଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଅନ୍ତେବାସୀ ଏବଂ କର୍ମଚାରୀଙ୍କୁ ଦ୍ୱିତୀୟ ପାନ କୋଭିଡ଼ ଟିକା ଦାନ କରାଯାଇଛି।
ରୀପୋର୍ଟ :-ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର


