
ଆସିକା ତା ୧୮/୯ (ଜ଼ିଲ୍ଲା ଖବର ):
ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ପୌରହିତ୍ୟରେ ଏବଂ ମହାବିଦ୍ୟାଳୟ କର୍ମଚାରୀ ସଂଘର ମିଳିତ ସହଯୋଗରେ ଦୁଇ ଜଣ ଅବସର ପ୍ରାପ୍ତ କର୍ମଚାରୀ ବନ୍ଧୁ ଶ୍ରୀ ପୂର୍ଣ୍ଣ ଚ଼ନ୍ଦ୍ର ରାୟଗୁରୁ, ପଦାର୍ଥ ବିଜ୍ଞାନ ପଦର୍ଶକ ଏବଂ ଶ୍ରୀ କୈଳାଶ ଚ଼ନ୍ଦ୍ର ମୁନୀ, ମୁଖ୍ୟ କିରାଣିଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି ସଭାର ପ୍ରଥମ ପର୍ଯ୍ୟାୟରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ମଞ୍ଚାସୀନ କରାଯାଇଥିଲା ଏବଂ ଅତିଥିଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜ୍ବଳନ ସହ ଶ୍ରୀ ଧନଞ୍ଜୟ ମହାପାତ୍ର ବେଦ ମନ୍ତ୍ର ପାଠ କରିଥିଲେ ଏବଂ ଶ୍ରୀମତୀ ମମତା ମିଶ୍ର ପ୍ରାରମ୍ଭିକ ଈଶ୍ବରୀୟ ସଂଗୀତ ଗାନ କରିଥିଲେ। ଏଥିରେ ଓଡିଆ ବିଭାଗ ମୁଖ୍ୟ ଅଧ୍ୟାପିକା ତଥା ସଂଘ ସମ୍ପାଦିକା ଡ଼. ସ୍ମିତାରାଣୀ ପଣ୍ଡା ସଭା କାର୍ଯ୍ୟ ସଂଯୋଜନା କରିଥିଲେ। ଏହି ସଭାରେ ପିଇଟି ଶ୍ରୀ ସନ୍ତୋଷ କୁମାର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ଉଭୟ ଅବସର ପ୍ରାପ୍ତ ବନ୍ଧୁଙ୍କ ମହାବିଦ୍ୟାଳୟ କର୍ମମୟ ଜୀବନର ସ୍ମୃତି ଚାରଣ କରିଥିଲେ। ଅଧ୍ୟକ୍ଷ ନିଜର ସ୍ବାଗତ ଭାଷଣ ସହ ଦୁଇ ବନ୍ଧୁଙ୍କ ମହାବିଦ୍ୟାଳୟରେ କର୍ମକୁଶଳତାର ପରିଚ଼ୟ ପ୍ରଦାନ ପୂର୍ବକ ସମସ୍ତଙ୍କୁ ତାଙ୍କରି କର୍ମଠତାକୁ ଆବୋରି ନେବା ପାଇଁ ପରାମର୍ଶ ଦେଇଥିଲେ। ଅନେକ ଅଧ୍ୟାପକ, ଅଧ୍ୟାପିକ, କର୍ମଚାରୀ ଓ ପ୍ରଶାସନିକ ଅଧିକାରୀ ପ୍ରଫେସର କେଦାରନାଥ ପଣ୍ଡା, ଡ. ଅଭୟକେଶରୀ ପରିଚ୍ଛା ପଟ୍ଟନାୟକ, ରାଜେଶ୍ କୁମାର ସାହୁ, ଶାସ୍ବତ ମିଶ୍ର ମଧ୍ୟ ଉଭୟ ବନ୍ଧୁଙ୍କ କାର୍ଯ୍ୟରତ ଅମ୍ଳାନ ସ୍ମୃତିର ଅଭିବ୍ୟଞ୍ଜନା କରିଥିଲେ। ସଭାରେ ଉଭୟ ଅବସର ପ୍ରାପ୍ତ କର୍ମଚାରୀ ବନ୍ଧୁ ସେମାନଙ୍କ କର୍ମମୟ ଜୀବନର ନିତ୍ସକ ଅନୁୁଭୂତି ସମସ୍ତଙ୍କୁ ବାଣ୍ଟିଥିଲେ। ଇତିହାସ ବିଭାଗର ମୁଖ୍ୟ ଅଧ୍ୟାପିକା ସୁଶ୍ରୀ ସାପା ରଂଜିତାରାଣୀଙ୍କ ଦ୍ବାରା ଅବସର ପ୍ରାପ୍ତ ପଦାର୍ଥ ବିଜ୍ଞାନ ପଦର୍ଶକ ଶ୍ରୀ ପୂର୍ଣ୍ଣଚ଼ନ୍ଦ୍ର ରାୟଗୁରୁଙ୍କ ଏବଂ ରାସୟନିକ ବିଜ୍ଞାନ ଅଧ୍ୟାପକ ଡ. ସୁରଜ କୁମାର ପାଣିଗ୍ରାହୀଙ୍କ ଦ୍ବାରା ମୁଖ୍ୟ କିରାଣୀ ଶ୍ରୀ କୈଳାସ ଚ଼ନ୍ଦ୍ର ମୁନୀଙ୍କ ମାନପତ୍ର ପଠନ କରାଯାଇଥିଲା। ମହାବିଦ୍ୟାଳୟ କର୍ମଚାରୀ ସଙ୍ଘ ତରଫରୁ ଉଭୟ ଅବସରପ୍ରାପ୍ତ ବନ୍ଧୁଙ୍କୁ ଉପଢୌକନ, ମାନପତ୍ର ତଥା ପାରିତୋଷିକ ସହ ସମ୍ମାନ ପ୍ରଦାନ କରାଯାଇଥିଲା। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ତଥା ଅଣଶିକ୍ଷକ କର୍ମଚାରୀ ଏହି ଦୁଇ ବନ୍ଧୁଙ୍କ ପ୍ରତି ସ୍ନେହ ସଦ୍ଦିଚ୍ଛା ପୂର୍ବକ ଯୋଗଦାନରେ ସଭାଟି ସଫଳ ରୂପାୟନ ହୋଇପାରିଥିଲା। ପରିଶେଷରେ ରାସାୟନିକ ବିଜ୍ଞାନ ଅଧ୍ୟାପକ ଡ. ବିଜୟ ସିଂହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।



