
ନୂଆଦିଲ୍ଲୀ, ୧୭/୦୯/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତା ଅମିର ଖାନ ଜୁଲାଇରେ ତାଙ୍କର ଦ୍ବିତୀୟ ପତ୍ନୀ କିରଣ ରାଓଙ୍କୁ ଛାଡପତ୍ର ଦେଇଥିଲେ । ଯାହାକୁ ନେଇ ସେତେବେଳେ ଚର୍ଚ୍ଚା ଯୋର ଧରିଥିଲା । ତେବେ ଛାଡପତ୍ର ପରେ ସମସ୍ତେ ନିଜ ନିଜର ସ୍ବାଧୀନ ଜୀବନ ବିତାଇବାକୁ ପସନ୍ଦ କରି ଥାଆନ୍ତି । ପରସ୍ପର ପରସ୍ପରଠାରୁ ଦୂରେଇ ରହିଥାଆନ୍ତି । କିନ୍ତୁ ଅମିର ଖାନଙ୍କ କ୍ଷେତ୍ରରେ କିଛି ଅଲଗା ଦେଖିବାକୁ ମିଳିଛି । ଦ୍ବିତୀୟ ପତ୍ନୀ କିରଣ ରାଓଙ୍କ ସହ ତାଙ୍କର ଛାଡପତ୍ର ପରେବି, ଦୁହିଁଙ୍କ ମଧ୍ୟରେ ଏକ ଭଲ ବନ୍ଧୁତ୍ବର ସମ୍ପର୍କ ରହିଛି । ନିକଟରେ ଦୁହେଁ ଏକ ବନ୍ଧୁଙ୍କ ବିବାହ ଉସ୍ବବରେ ଏକାଠି ନଜର ଆସିଥିଲେ । ଦୁହେଁ ସାଙ୍ଗହୋଇ ଫଟୋ ମଧ୍ୟ ଉଠାଇଥିଲେ । ସେଠାରେ ଦୁହିଁଙ୍କୁ ସାଥିରେ ଦେଖିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।
ସୂଚନାଯୋଗ୍ୟ : ଏହା ପୂର୍ବରୁ ଏକ ସୁଟିଂ ସେଟରେ ମଧ୍ୟ ଦୁହେଁ ଏକାଠି ନଜର ଆସିଥିଲେ । ସେଠାରେ ସୁଟିଂ ସମୟରେ ଆମୀର ଖାନ୍ ଓ କିରଣ ରାଓଙ୍କୁ ତାଙ୍କ ପୁଅ ସହିତ ବେଶ ଭଲ ସମୟ ଅତିବାହିତ କରିବାର ଦେଖିବାକୁ ମିଳିଥିଲା । କେବଳ ଏତିକି ନୁହେଁ, ଛାଡପତ୍ର ପରେ ଦୁହେଁ ଅନେକ ସମୟରେ ଏକାଠି ନଜର ଆସିଛନ୍ତି । ତେବେ ଏସବୁ ଦେଖିବା ପରେ ଲାଗୁଛି ଯେ,ଦୁହିଁଙ୍କର ଛାଡପତ୍ର ହୋଇ ଯାଇଥିଲେ ମଧ୍ୟ, ସେମାନଙ୍କ ମଧ୍ୟରେ ଭଲ ବନ୍ଧୁତ୍ବ ରହିଛି । ତାଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।


