Wednesday, July 22, 2026
Home ଜାତୀୟ ଖଦିର ସ୍ୱତନ୍ତ୍ର ବର୍ଗୀକରଣକୁ ଅନୁମତି

ଖଦିର ସ୍ୱତନ୍ତ୍ର ବର୍ଗୀକରଣକୁ ଅନୁମତି

17
Image: Google

• ରପ୍ତାନି ବୃଦ୍ଧି ଲାଗି କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ
• ସ୍ୱତନ୍ତ୍ର ଏଚଏସ କୋଡ ମାଧ୍ୟମରେ ଖଦି ଉତ୍ପାଦର ହେବ ରପ୍ତାନି

ନୂଆଦିଲ୍ଲୀ ୭/୧୧ :  ବିଭିନ୍ନ ଉତ୍ପାଦର ରପ୍ତାନି ପାଇଁ ଭାରତ ସରକାରଙ୍କ ପକ୍ଷରୁ କରାଯାଉଥିବା ସ୍ୱତନ୍ତ୍ର ବର୍ଗୀକରଣ ତାଲିକାରେ ଖଦି ସ୍ଥାନ ପାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ନଭେମ୍ବର 4, 2019ରେ ପ୍ରକାଶ ପାଇଥିବା ଏଚଏସ କୋଡ ମାନ୍ୟତା ପ୍ରାପ୍ତ ଉତ୍ପାଦ ତାଲିକାରେ ଖଦିକୁ ସାମିଲ କରାଯାଇଛି । ଫଳରେ ପାରମ୍ପରିକ ପରିଚୟର ପରିଧିରୁ ବାହାରକୁ ବାହାରି ଖଦିକୁ ଏକ ସ୍ୱତନ୍ତ୍ର ଏଚଏସ କୋଡ ମିଳିବ ଏବଂ ଏହାର ରପ୍ତାନି ବୃଦ୍ଧି ପାଇବ ।

ରପ୍ତାନି ହେଉଥିବା ଉତ୍ପାଦ ପାଇଁ ବିଶ୍ୱ ବର୍ହିଶୁଳ୍କ ସଂଗଠନ (ଡବ୍ଲ୍ୟୁସିଓ) ପକ୍ଷରୁ ‘ହାର୍ମୋନାଇଜଡ ସିଷ୍ଟମ’ ବା ‘ଏଚଏସ କୋଡ’ ବିକଶିତ କରାଯାଇଛି । କୌଣସି ଉତ୍ପାଦର ପରିଚୟ ପାଇଁ ଏହା ହେଉଛି 6 ସଂଖ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଡ ବା ସଂକେତକ । ଯେକୌଣସି ଉତ୍ପାଦକୁ କୌଣସି ଅନ୍ତର୍ଜାତୀୟ ସୀମା ମଧ୍ୟକୁ ପ୍ରବେଶ କିମ୍ବା ଅତିକ୍ରମ ନିମନ୍ତେ ଅନୁମତି ଦେବା ଲାଗି ବର୍ହିଶୁଳ୍କ ଅଧିକାରୀମାନେ ଏଚଏସ କୋଡର ଉପଯୋଗ କରିଥାନ୍ତି ।

ଏହାକୁ ଦୃଷ୍ଟିରେ ରଖି ଖଦିକୁ ଏକ ସ୍ୱତନ୍ତ୍ର ଏଚଏସ କୋଡ ପ୍ରଦାନ କରାଯିବା ପାଇଁ ବିଚାର କରାଯାଉଥିଲା । ଚଳିତ ସପ୍ତାହରେ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଭାରତର ପରିଚୟ ଖଦି କପଡ଼ାକୁ ସ୍ୱତନ୍ତ୍ର ଏଚଏସ କୋଡ ପ୍ରଦାନ କରାଯାଇଛି । ଅର୍ଥାତ ଏହାକୁ ସାଧାରଣ ବୟନ ଉତ୍ପାଦ ତାଲିକାରୁ ବାହାର କରି ସ୍ୱତନ୍ତ୍ର ଭାବେ ବର୍ଗୀକରଣ କରାଯାଇଛି ।

ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ ବିନୟ କୁମାର ସାକ୍ସେନା କହିଛନ୍ତି ଯେ ସରକାରଙ୍କ ଏହି ନିଷ୍ପତ୍ତି ଖଦି ରପ୍ତାନି କ୍ଷେତ୍ରରେ ନୂତନ ଅଧ୍ୟାୟ ଆରମ୍ଭ କରିବ । ପୂର୍ବରୁ ଖଦିର ସ୍ୱତନ୍ତ୍ର ଏଚଏସ କୋଡ ନଥିଲା । ଯାହାର ଫଳସ୍ୱରୂପ ଏହି ସ୍ୱତନ୍ତ୍ର କପଡ଼ାକୁ ସାଧାରଣ ବୟନ ଉତ୍ପାଦ ଭାବେ ବିବେଚନା କରାଯାଇ ରପ୍ତାନି କରାଯାଉଥିଲା । ବର୍ତ୍ତମାନ ଆମେ ଏହି ସ୍ୱତନ୍ତ୍ର କପଡ଼ାର ରପ୍ତାନି ସମ୍ପର୍କରେ ସଠିକ ଓ ବାସ୍ତବ ତଥ୍ୟ ସଂଗ୍ରହ କରିପାରିବୁ । ଏହା ରପ୍ତାନି ରଣନୀତି ପ୍ରସ୍ତୁତିରେ ମଧ୍ୟ ସହାୟକ ହୋଇପାରିବ ବୋଲି ସେ କହିଛନ୍ତି ।

ଶ୍ରୀ ସାକ୍ସେନା ଆହୁରି କହିଛନ୍ତି, ଖଦି ଓ ଗ୍ରମୋଦ୍ୟୋଗ ଉତ୍ପାଦଗୁଡ଼ିକ ପରିବେଶ ଅନୁକୂଳ ଏବଂ ପ୍ରାକୃତିକ ହୋଇଥିବାରୁ ଅନ୍ତର୍ଜାତୀୟ ବଜାରରେ ଏଗୁଡ଼ିକର ବିଶେଷ ଚାହିଦା ରହିଛି । ରପ୍ତାନି ବୃଦ୍ଧି ପାଇଁ ରହିଥିବା ସମ୍ଭାବନା ଓ ପରିବେଶ ଅନୁକୂଳ ବିଶେଷତ୍ୱ ରହିଥିବାରୁ 2006ରେ ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗକୁ ‘ଏକକ ରପ୍ତାନି ପ୍ରୋତ୍ସାହନ ପରିଷଦ’ (ଇପିସିଏସ) ମାନ୍ୟତା ଦିଆଯାଇଥିଲା । ଖଦି ଉତ୍ପାଦର ରପ୍ତାନି ବୃଦ୍ଧି ନିମନ୍ତେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା । ତେବେ ସ୍ୱତନ୍ତ୍ର ଏଚଏସ କୋଡ ନଥିବାରୁ ଖଦି ଉତ୍ପାଦର ବର୍ଗୀକରଣ ଓ ହିସାବ କରି ରପ୍ତାନି କରିବା କଷ୍ଟକର ହେଉଥିଲା ।

କେନ୍ଦ୍ର ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ନିତିନ ଗଡ଼କରୀ, କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ ଏବଂ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ବ୍ୟକ୍ତିଗତ ପ୍ରୟାସ ନଥିଲେ ଖଦିକୁ ଏଚଏସ କୋଡ ମାନ୍ୟତା ସମ୍ଭବ ହୋଇପାରିନଥାନ୍ତା ବୋଲି ଶ୍ରୀ ସାକ୍ସେନା ଉଲ୍ଲେଖ କରିଥିଲେ ।

ସ୍ରୋତ-ପିଆବି