
ହିଞ୍ଜିଳିକାଟୁ, ୧୫/୦୯(ଜ଼ିଲ୍ଲା ଖବର ):
ବୁଧବାର ଅପରାହ୍ନରେ ଶେରଗଡ଼ ଥାନା ଧବଳପୁର ଗ୍ରାମ ଛକ ନିକଟରେ ୨ ବାଇକ୍ ମୁହାଁମୁହିଁ ଧକ୍କା ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ଶେରଗଡ଼ ଥାନା ତାକରଡା ଗ୍ରାମର ସମ୍ପଦ କୁମାର ଦାଶ (୨୮) ଓ ଗୁରୁତର ଆହତ ଜଣକ ପାଟପୁର ଥାନା ତାଳେଶ୍ବର ଗ୍ରାମର ଅଜିତ ସ୍ବାଇଁ (୧୮) । ଏ ନେଇ ଶେରଗଡ଼ ଥାନାରେ ଏକ ମାମଲା ରୁଜୁ କରି ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ସକାଶେ ଆସିକା ଡାକ୍ତରଖାନାକୁ ପଠାଇବା ସହ ଦୂର୍ଘଟଣା ଗସ୍ତ ଉଭୟ ମୋଟର ସାଇକେଲକୁ ଜବତ କରି ଘଟଣାର ତଦନ୍ତ ଚାଲିଥିବା ଶେରଗଡ଼ ଥାନା ଭାରପ୍ରାପ୍ତ ଅଧିକାରୀ ମମତା ସାମନ୍ତରାୟ କହିଛନ୍ତି ।
ପ୍ରକାଶ ଯେ ସମ୍ପଦ ନିଜ ବଜାଜ ପଲସର ମୋଟର ସାଇକେଲ (ଓଡି୦୭ଭି ୩୯୩୪) ଯୋଗେ ହିଞ୍ଜିଳିକାଟୁ ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଅଜିତ୍ ହିରୋହୋଣ୍ଡା ଏଚଏଫ ଡିଲସ୍କ ମୋଟର ସାଇକେଲ ( ଓଡି୦୭ ଆର ୯୮୫୩) ଆସୁଥିବା ବେଳେ ଶେରଗଡ଼ ଥାନା ଧବଳପୁର ଗ୍ରାମ ଛକ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦୂର୍ଘଟଣାରେ ଉଭୟ ମୋଟର ସାଇକେଲ ଆରୋହୀ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡ଼ାକ୍ତରଖାନାରେ ସମ୍ପଦଙ୍କୁ , ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟ ପକ୍ଷରେ ଅଜିତଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।
ରିପୋର୍ଟ : ଅଖିଳ ପଟ୍ଟନାୟକ




