
ଆସିକା,୧୫/୯(ଜ଼ିଲ୍ଲା ଖବର ):
ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଏବିଂ ହିନ୍ଦୀ ବିଭାଗର ମିଳିତ ସହଯୋଗରେ ହିନ୍ଦୀ ଦିବସ ସମାରୋହ ଅତିବ ବର୍ଣ୍ଣାଢ୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଅଛି। ପ୍ରଦୀପ ପ୍ରଜ୍ଜ୍ବଳନ ଏବଂ ଅଧ୍ୟାପକ ଦେବବ୍ରତ ସାହୁଙ୍କ ପ୍ରାରମ୍ଭିକ ସଙ୍ଗୀତରେ ସଭାକାର୍ଯ୍ୟ ଶ୍ରୀଗଣେଶ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ତଥା ମୁଖ୍ୟ ବକ୍ତା ରୂପେ ଆସିକା ଟେକ୍ନିକାଲ୍ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଅଶୋକ କୁମାର ପଟ୍ଟନାୟକ ଓ ସମ୍ମାନିତ ଅତିଥି ରୂପେ ସଂକଳ୍ପ ଅପର ମାଧ୍ୟମିକ ବିଦ୍ୟାଳୟ, ରାଳବ, ବ୍ରହ୍ମପୁରର ହିନ୍ଦୀ ଶିକ୍ଷକ କେ. ଚରଞ୍ଜିବୀ ଆଚାରୀ ଯୋଗଦାନ କରିଥିଲେ। ହିନ୍ଦୀ ଅଧ୍ୟାପକ ରାଜେଶ କୁମାର ସାହୁ ଅତିଥି ମାନଙ୍କୁ ସ୍ବାଗତ କରିବା ସହ ଅତିଥି ପରିଚୟ ଓ ସଭା ସଂଯୋଜନା କରିଥିଲେ। ଅଧ୍ୟକ୍ଷ ସ୍ବାଗତ ଭାଷଣ ରଖିଥିଲେ। ହିନ୍ଦୀ ବିଭାଗ ମୁଖ୍ୟ ସୁଶ୍ରୀ ଜିନିତ୍ ସବା ହିନ୍ଦୀ ଦିବସର ମୁଖ୍ୟ ଉଦ୍ଦେଶ୍ୟ ପ୍ରତିପାଦନ କରିଥିଲେ। ମୁଖ୍ୟ ଅତିଥି ସମସ୍ତଙ୍କୁ ରାଷ୍ଟ୍ରଭାଷାର ଉନ୍ନତି ପାଇଁ ହିନ୍ଦୀକୁ ଆପଣେଇବା ପାଇଁ ପରାମର୍ଶ କରିଥିଲେ ତଥା ହିନ୍ଦୀ ପ୍ରତି ପୂର୍ବ ମହାପୂରୁଷମାନଙ୍କ ଅବଦାନକୁ ଅବଲୋକନ କରିଥିଲେ। ସମ୍ମାନିତ ଅତିଥି ରାଷ୍ଟ୍ରଭାଷା ହିନ୍ଦୀର ଉନ୍ନତିରେ ହିଁ ଦେଶର ଉନ୍ନତି ହୋଅପାରିବ ବୋଲି ଯୁକ୍ତି ବାଢିଥିଲେ ଏବଂ ହିନ୍ଦୀ ଭାଷାର ଅଭିବୃଦ୍ଧି ଉପରେ ଆଲୋକପାତ କରିଥିଲେ। ଏଥିରେ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ତଥା ପ୍ରଶାସନିକ ଅଧିକାରୀ ପ୍ରଫେସର କେଦାରନାଥ ପଣ୍ଡା ହିନ୍ଦୀ ଭାଷାର ଗାରିମା ଉପରେ ଆଲୋକପାତ କରିଥିଲେ। ସମସ୍ତେ ପୂର୍ବତନ ହିନ୍ଦୀ ବିଭାଗ ମୁଖ୍ୟ ସ୍ବର୍ଗତ ଡ. ଶେଖ୍ ସଇଦଙ୍କ ସ୍ମୃତିଚାରଣ କରିଥିଲେ ଏବଂ ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହେଲେ ହିନ୍ଦୀ ଭାଷାସାହିତ୍ୟର ଉତ୍ତରୋତ୍ତର ଉନ୍ନତି ହୋଇପାରିବ ବୋଲି ମତପୋଷଣ କରିଥିଲେ। ଏହି ଅଞ୍ଚଳ ହିନ୍ଦୀର ଅଭିବୃଦ୍ଧିରେ ସଇଦ୍ ସାରଙ୍କ ଅବଦାନକୁ କେବେ ହେଲେ ଭୁଲି ହେବନାହିଁ ବୋଲି ଅତିଥି ବୃନ୍ଦ ଏବଂ ଅନେକ ଛାତ୍ର ଛାତ୍ରୀ ମତ ସାବ୍ୟସ୍ତ କରିଥିଲେ। ବରିଷ୍ଠ ଅଧ୍ୟାପିକା ଡ. ସ୍ମିତାରାଣୀ ପଣ୍ଡା, ଅଧ୍ୟାପକ ଶାଶ୍ବତ ମିଶ୍ର, ଅଧ୍ୟାପିକା ସସ୍ମିତା ପାତ୍ର ଓ କଲେଜ କର୍ମଚାରୀ, ଅନେକ ହିନ୍ଦୀ ପ୍ରାକ୍ତନ ଛାତ୍ରଛାତ୍ରୀ ଇତ୍ୟାଦି ଯୋଗ ଦେଇଥିଲେ। ମହାବିଦ୍ୟାଳୟର ପ୍ରାୟ ସମସ୍ତ ହିନ୍ଦୀ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ହିନ୍ଦୀ ଦିବସ ପାଇଁ ଆୟୋଜିତ ହିନ୍ଦୀ ତର୍କବିତର୍କ, ପ୍ରବନ୍ଧ ଏବଂ ପ୍ରଶ୍ନୋତ୍ତରୀ (କୁଇଜ୍) ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ଏବଂ ହିନ୍ଦୀ ସ୍ନାତକରେ ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟ ସ୍ତରରେ ହିନ୍ଦୀ ଟପ୍ପର ସୁଶ୍ରୀ ଅପସାନା ଖାତୁନ ଏବଂ କାହ୍ନୁ ବିଶ୍ବାଳଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କାର ବିତରଣ କରାଯାଇଥିଲା। ହିନ୍ଦୀ ଅଧ୍ୟାପିକା ସୁଶ୍ରୀ ଏ.ଲକ୍ଷ୍ମୀ ଦୋରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସଭାକାର୍ଯ୍ୟ ପରିଶେଷରେ ମହାବିଦ୍ୟାଳୟର ପୂର୍ବତନ ହିନ୍ଦୀ ବିଭାଗ ମୁଖ୍ୟ, ରିଡର ସ୍ବର୍ଗତ ଡ. ଶେଖ୍ ସଇଦଙ୍କ ବାସଭବନକୁ ମହାବିଦ୍ୟାଳୟ ଅଧ୍ୟକ୍ଷ ଏବଂ ହିନ୍ଦୀ ବିଭାଗର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ତଥା ଛାତ୍ରଛାତ୍ରୀଗଣ ଯାଇଥିଲେ। ସେଠାରେ ସ୍ବର୍ଗତ ଡ. ଶେଖ୍ ସଇଦଙ୍କ ସମ୍ମାନାର୍ଥେ ତଥା ତାଙ୍କରି ଅମ୍ଳାନ ସ୍ମୃତି ସ୍ବରୂପ ମାନପତ୍ର ତାଙ୍କରି ଧର୍ମପତ୍ନୀ ଶ୍ରୀମତୀ ସାନୋବରୀ ବେଗମଙ୍କୁ ପ୍ରଦାନ କରିଥିଲେ।





