
୧୬/୦୯/୨୧ (ଜିଲ୍ଲା ଖବର) : ଲଗାଣ ବର୍ଷା ଛାଡ଼ି ଯାଇଥିଲେ ବି ଚିନ୍ତା ବଢ଼ାଉଛି ବନ୍ୟା ଆଶଙ୍କା । ହୀରାକୁଦ ଉପର ମୁଣ୍ଡରେ ଲଗାଣ ବର୍ଷା ହେତୁ ତଳମୁଣ୍ଡରେ ଘନେଇଲାଣି ବନ୍ୟା ଆଶଙ୍କା । ହୀରାକୁଦ ଡ୍ୟାମ୍ରୁ ୨୮ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ଏହା ପ୍ରଭାବରେ ବହୁ ନଦୀର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ବିଭିନ୍ନ ସ୍ଥାନରେ ବ୍ରିଜ ଉପରେ ପାଣି ପ୍ରବାହିତ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।
ଜଳସ୍ତର ବଢ଼ିବା ହେତୁ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସୁଥିବା ସତର୍କ କରାଇ ଦେଇଛନ୍ତି ଏସଆରସି । ତେଣୁ ଲୋକେ ଏବେ ପ୍ରମାଦ ଗଣିବା ଆରମ୍ଭ କଲେଣି । ଲଗାଣ ବର୍ଷା ଫଳରେ ଯାଜପୁର ଜିଲ୍ଲା ଦେଇ ପ୍ରବାହିତ ବ୍ରାହ୍ମଣୀ, ଖରସ୍ରୋତା ଓ ବୈତରଣୀରେ ଜଳ ପତ୍ତନ ବଢ଼ିବାରେ ଲାଗିଛି ।
ଏହାଦ୍ୱାରା ଯାଜପୁର, ବରୀ ଓ ଦଶରଥପୁରର ବହୁ ଅଞ୍ଚଳ ପାଣି ଘେରରେ ରହି ଯାଇଛି। ବ୍ରାହ୍ମଣୀ ନଦୀରେ ରସୁଲପୁର ବ୍ଲକର ବନ୍ଧଡିହିଠାରେ ଗୋଟିଏ ଓ ବରୀ ବ୍ଲକର ମାଟିଆପଡାରେ ଦୁଇଟି ଘାଇ ହୋଇଛି । ଫଳରେ ଧାରପୁର, ସାହୁପଡ଼ା, ବାଲିଆ ଓ ଇଶାଣପୁର ଆଦି ଅଞ୍ଚଳରେ ବନ୍ୟାଜଳ ପ୍ରବାହିତ ହେଉଛି । ସେହିପରି ଖରସ୍ରୋତା ଓ ବୁଢ଼ାନଦୀରେ ବନ୍ଧ ଡେଇଁ ପାଣି ଯାଜପୁର ବ୍ଲକର ଶିମିଳିଆ, ପଣସା ଆଦି ଅଞ୍ଚଳରେ ପଶିଛି ।


