
୧୬/୦୯/୨୧ (ଜିଲ୍ଲା ଖବର) : ବିହାରରେ ଦୁଇ ସ୍କୁଲ ଛାତ୍ରଙ୍କ ଆକାଉଣ୍ଟୁରେ କୋଟି କୋଟି ଟଙ୍କା । ଏତେ ଟଙ୍କା କିଏ ଡିପୋଜିଟ୍ କଲା କେଉଁଠୁ ଆସିଲା, କାହିଁକି ଆସିଲା ଏ ଖବର କାହା ପାଖରେ ନଥିବାବେଳେ ଟଙ୍କା କଥା ଶୁଣି ପରିବାର ଲୋକଙ୍କ ଠାରୁ ଆରମ୍ଭ କରି ଗାଁ ଲୋକ ସମସ୍ତେ ଆଶ୍ଚର୍ଯ୍ୟ । କାରଣ ତାଙ୍କ ଆକାଉଣ୍ଟରେ ଜମା ହୋଇଛି 960 କୋଟି ଟଙ୍କା ।
ଆଉ ଏହି କଥା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଯେପରି ଏହି ଖବର ବ୍ୟାପି ଯାଇଛି । ଏମିତିକି ଲୋକେ ନିଜ ନିଜ ଆକାଉଣ୍ଟ ଚେକ୍ କରିବାକୁ ନିକଟସ୍ଥ ବ୍ୟାଙ୍କରେ ଯେପରି ଲାଇନ୍ ଲାଗିଯାଇଛି ।
ହିନ୍ଦୁସ୍ଥାନ ରିପୋର୍ଟ ମୁତାବକ, ବିଦ୍ୟାଳୟ ପୋଷାକ ପାଇଁ ବିହାର ସରକାର ପଠାଇଥିବା ଟଙ୍କା ବିଷୟରେ ସୂଚନା ପାଇଁ ଆଜାମନଗର ପୋଲିସ ଷ୍ଟେସନ ଅଞ୍ଚଳର ପାଷ୍ଟିଆ ଗାଁର ଦୁଇ ସ୍କୁଲ ପିଲା ଏସବିଆଇ ବ୍ୟାଙ୍କରେ ପହଞ୍ଚିଥିଲେ । ଆଉ ସେତେବେଳେ ଜଣାପଡିଲା ଯେ ଏମାନଙ୍କ ଆକାଉଣ୍ଟକୁ କୋଟି କୋଟି ଟଙ୍କା ଆସିଛି ।
ରିପୋର୍ଟ ମୁତାବକ, ଦୁଇ ଜଣଙ୍କ ଆକାଉଣ୍ଟରେ 960 କୋଟି ଟଙ୍କା ଆସିଛି । ଯେଉଁଥିରେ ଛାତ୍ର ଗୌରଚନ୍ଦ୍ରଙ୍କ ଆକାଉଣ୍ଟରେ 60 କୋଟି ଓ ଅସିତ କୁମାରଙ୍କ ଆକାଉଣ୍ଟରେ 900 କୋଟି ଟଙ୍କା ଜମା ହୋଇଛି । ଯାହା ଶୁଣି ବ୍ୟାଙ୍କ କର୍ମଚାରୀ ଓ ନିକଟରେ ଥିବା ଅନ୍ୟ ଲୋକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି ।
ଅନ୍ୟପଟେ ଏହି ଖବର ବ୍ୟାଙ୍କ ମ୍ୟାନେଜର ଜାଣିବା ପରେ ଆକାଉଣ୍ଟରୁ ଟଙ୍କା ଉଠାଇବା ପାଇଁ ମନା କରିଛନ୍ତି । ଘଟଣାର ଯାଞ୍ଚ ଚାଲିଛି । ଏବଂ ବ୍ୟାଙ୍କର ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।


