
: ମେକ ଇନ ଇଣ୍ଡିଆ ଏବଂ ଆତ୍ମନିର୍ଭର ଭାରତ ଗଠନ ଦିଗରେ କେନ୍ଦ୍ର ସରକାର ଆଗକୁ ବଢୁଛନ୍ତି । ଏହି କ୍ରମରେ ବିଭିନ୍ନ ଉଦ୍ୟୋଗକୁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ବଡ ବଡ ସଂଶୋଧନ କରୁଛନ୍ତି । କରୋନା ମାଡରୁ ଉଠାଇବା ପାଇଁ ଅଟୋମୋବାଇଲ ସେକ୍ଚର ପାଇଁ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏହି ଉଦ୍ୟୋଗ ପାଇଁ ପ୍ରୋଡକ୍ସନ ଲିଙ୍କଡ ଇନସେନଟିଭ ଯୋଜନାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହାସହ ଅଟୋ କମ୍ପୋନେଣ୍ଟ ଏବଂ ଡ୍ରୋନ ଉଦ୍ୟୋଗକୁ ମଧ୍ୟ ଏଥିରେ ସାମିଲ କରାଯାଇଛି । ଏହି ଯୋଜନା ଆସନ୍ତା 5 ବର୍ଷ ପାଇଁ କାର୍ଯ୍ୟକାରୀ ହେବ। ଏଥିପାଇଁ 26 ହଜାର କୋଟି ଟାଙ୍କ ଖର୍ଚ୍ଚ କରାଯିବ । ଏହାଦ୍ବାରା ପାଖାପାଖି 7 ଲକ୍ଷ 60 ହଜାର ନୂଆ ରୋଜଗାର ସୃଷ୍ଟି ହେବାର ସମ୍ଭାବନା ରହିଛି ।
ସେହିପରି ଟେଲିକମ ସେକ୍ଟର ପାଇଁ ବଡ ରିହାତି ପ୍ରଦାନ କରିଛନ୍ତି ସରକାର। ଟେଲିକମ ସେକ୍ଟରରେ 9ଟି ବଡ ମୌଳିକ ସଂଶୋଧନ କରାଯାଇଛି । ଏହାସହ AGR ବକେୟାର ପରିଭାଷାରେ ପରିବର୍ତ୍ତନ କରାଯାଇ ଏଥିରୁ ଅଣ ଟେଲିକମ ଆୟକୁ ବାହାର କରାଯାଇଛି। ଟେଲିକମ ସେକ୍ଟର ମାସିକ ସୁଧହାରକୁ ଏଣିକି ବର୍ଷିକ କରାଯାଇଛି। ଏହାସହ ପେନେଲ୍ଟିରେ ମଧ୍ୟ ରିହାତି ପ୍ରଦାନ କରାଯାଇଛି । ସେହିପରି ସ୍ପେକଟ୍ରମର ଅବଧି ମଧ୍ୟ 20ରୁ ବଢାଇ 30 ବର୍ଷ କରାଯାଇଛି। ଟେଲିକମ କମ୍ପାନି ଏଣିକି ବକେୟା ପାଇଁ ମୋରେଟୋରିୟମ ନେଇ ପାରିବେ । ଏହା 4 ବର୍ଷ ପର୍ଯ୍ୟନ୍ତ ଦିଆଯିବ । ଯେଉଁ ଟେଲିକମ କମ୍ପାନି ଏହି ବିକଳ୍ପ ବାଛିବେ ସେମାନଙ୍କୁ ଏଥିାପଇଁ ସରକାରଙ୍କୁ ସୁଧ ଦେବାକୁ ପଡିବ ।
ମୋଦି ସରକାର ଆତ୍ମନିର୍ଭ ଭାରତ ଅଭିଯାନରେ ଦେଶରେ ହିଁ ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ପ୍ରୋତ୍ସାହିତ କରୁଛନ୍ତି। ଏଥିପାଇଁ ପିଆଇଏଲ ଯୋଜନା ମାଧ୍ୟମରେ ବିଭିନ୍ନ ଉଦ୍ୟୋଗକୁ ରିହାତି ପ୍ରଦାନ କରୁଛନ୍ତି। ଭାରତକୁ ବିଶ୍ବର ମେନ୍ୟୁଫେକଚରିଂ ହବ କରିବା ମୋଦି ସରକାରଙ୍କ ମହାତ୍ବାକାଂକ୍ଷୀ ଯୋଜନା।


