
• ବର୍ଷା କାରଣରୁ ପିଆଜ ଉତ୍ପାଦନ ଓ ଯୋଗାଣ ପ୍ରଭାବିତ
• ରପ୍ତାନି ଉପରେ କଟକଣା, ଆମଦାନୀ ନିୟମ କୋହଳ
• ବିଦେଶରୁ ପିଆଜ ଆମଦାନୀ ଲାଗି ଭାରତୀୟ ମିଶନଙ୍କୁ ନିର୍ଦ୍ଦେଶ
ନୂଆଦିଲ୍ଲୀ ୭/୧୧ : କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଂଟନ ମନ୍ତ୍ରୀ ଶ୍ରୀ ରାମବିଳାସ ପାଶ୍ୱାନ ଆଜି ସାରା ଦେଶରେ ପିଆଜ ଦର ବୃଦ୍ଧି ଏବଂ ଉପଲବ୍ଧତାର ସମୀକ୍ଷା କରିଛନ୍ତି । ଉପଭୋକ୍ତା ବ୍ୟାପାର ସଚିବ ଶ୍ରୀ ଅବିନାଶ କେ ଶ୍ରୀବାସ୍ତବ, ଖାଦ୍ୟ ସଚିବ ଶ୍ରୀ ରବି କାନ୍ତଙ୍କ ସମେତ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହିତ ପ୍ରାୟ ଦୁଇ ଘଂଟା ଧରି ଏହି ସମୀକ୍ଷା କରାଯାଇଥିଲା ।
ଦେଶରେ ପିଆଜ ଦର ବୃଦ୍ଧିର କାରଣ ଏବଂ ଏହାର ମୁକାବିଲା ଲାଗି ସରକାର ଦ୍ୱାରା ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବୈଠକରେ ସମୀକ୍ଷା କରାଯାଇଥିଲା । ବୈଠକରେ ସୂଚନା ଦିଆଯାଇଥିଲା ଯେ ବିଶେଷ କରି ମହାରାଷ୍ଟ୍ରରେ ମୌସୁମୀ ବିଳମ୍ବ ହେବା କାରଣରୁ ଠିକ ସମୟରେ ପିଆଜ ବିହନ ଲଗାଇବା ସମ୍ଭବପର ହୋଇନଥିଲା । ଫଳରେ ମଣ୍ଡିରେ ଉତ୍ପାଦିତ ପିଆଜ ପହଁଚିବାରେ ମଧ୍ୟ ଡେରି ହୋଇଥିଲା । ଏହାଛଡ଼ା ରାଜ୍ୟରେ ଦୁଇଟି ବାତ୍ୟା କାରଣରୁ ହୋଇଥିବା ଅଦିନିଆ ବର୍ଷାର ପ୍ରଭାବ ସାମଗ୍ରିକ ପିଆଜ ଉତ୍ପାଦନ ଉପରେ ପଡ଼ିଥିଲା ଏବଂ ଏହା ମଧ୍ୟ ପିଆଜ ପରିବହନକୁ ପ୍ରଭାବିତ କରିଥିଲା ।
ବୈଠକ ପରେ ଶ୍ରୀ ପାଶ୍ୱାନ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ ପିଆଜ ଦର ବୃଦ୍ଧି ଉପରେ ଅଂକୁଶ ଲଗାଇବାକୁ କେନ୍ଦ୍ର ସରକାର ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି । 56,700 ଟନ ପିଆଜ ମହଜୁଦ କରି ରଖାଯାଇଛି । ଏଥିମଧ୍ୟରୁ 1525 ଟନ ନାଫେଡ ନିକଟରେ ରହିଛି । ବଜାରରେ ଯଥେଷ୍ଟ ପରିମାଣରେ ପିଆଜ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ପିଆଜ ରପ୍ତାନି ଉପରେ ଅଂକୁଶ ଜାରି କରାଯାଇଛି । ଖୁଚୁରା ବ୍ୟବସାୟୀଙ୍କ ପାଇଁ ପିଆଜ ମହଜୁଦ କରି ରଖିବାର ସୀମା 10 ମେଟ୍ରିକ ଟନ ରଖାଯାଇଥିବା ବେଳେ ପାଇକାରୀ ବ୍ୟବସାୟୀଙ୍କ ପାଇଁ ଏହି ସୀମା 50 ମେଟ୍ରିକ ଟନ ରଖାଯାଇଛି । ପିଆଜ ଦର ବୃଦ୍ଧିର କାରଣ ସମ୍ପର୍କରେ ସୂଚନା ଦେଇ ଶ୍ରୀ ପାଶ୍ୱାନ କହିଥିଲେ ଯେ ସରକାର ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି, ମାତ୍ର ବର୍ଷା କାରଣରୁ ପିଆଜ ଉତ୍ପାଦନ 30ରୁ 40% ପ୍ରତିଶତ ହ୍ରାସ ପାଇଛି । ପିଆଜ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଦିଲ୍ଲୀ ମଣ୍ଡିରେ ମଧ୍ୟ 25% ପିଆଜ କମ ପହଁଚିଛି ।
କେନ୍ଦ୍ର ସରକାର ପିଆଜ ଆମଦାନୀ ପାଇଁ ଆବଶ୍ୟକ ସୁବିଧା ଯୋଗାଇ ଦେଇଛନ୍ତି । କୃଷି ମନ୍ତ୍ରଣାଳୟ ପକ୍ଷରୁ ରପ୍ତାନି ପାଇଁ ରହିଥିବା ନିୟମ ଓ ସର୍ତ୍ତାବଳୀକୁ କେତେକ ସର୍ତ୍ତ ସହିତ ନଭେମ୍ବର 30 ତାରିଖ ପର୍ଯ୍ୟନ୍ତ କୋହଳ କରାଯାଇଛି । ଏହାଦ୍ୱାରା ଗୁଣବତ୍ତା ଓ ନିରାପତ୍ତା ସହ ସାଲିସ କରାନଯାଇ ପିଆଜର ଶୀଘ୍ର ଆମଦାନୀ ସୁନିଶ୍ଚିତ ହୋଇପାରିବ । ଆଫଗାନିସ୍ତାନ, ଇଜିପ୍ଟ, ତୁର୍କୀ ଏବଂ ଇରାନରୁ ପିଆଜ ଆମଦାନୀ ପାଇଁ ସେଠାରେ ଥିବା ଭାରତୀୟ ମିଶନକୁ କୁହାଯାଇଛି ।
ମଦର ଡାଏରୀ, ସଫଲ ଷ୍ଟୋର ମାଧ୍ୟମରେ ଖୁଚୁରା ବଜାରରେ ସୁଲଭ ଦରରେ ଯଥେଷ୍ଟ ପରିମାଣରେ ପିଆଜ ଯୋଗାଇ ଦେବାକୁ ନାଫେଡକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ନାଫେଡର ଅତିରିକ୍ତ ଏମଡିଙ୍କ ନେତୃତ୍ୱରେ ଏକ ଟିମ ମହାରାଷ୍ଟ୍ର ଗସ୍ତ କରି ପିଆଜ ଯୋଗାଣର ସ୍ଥିତି ଅନୁଧ୍ୟାନ କରିବ ।
ସ୍ରୋତ-ପିଆବି




