
୧୬/୦୯/୨୧ (ଜିଲ୍ଲା ଖବର) : ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ହୀରକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଜଳଭଣ୍ଡାରର କ୍ଷମତା ୬୩୦ ଫୁଟ ହୋଇଥିବାବେଳେ ବନ୍ୟାଜଳ ୬୨୮.୩୩ ଫୁଟରେ ପହଁଞ୍ଚିଛି । ବର୍ତ୍ତମାନ ସୁଦ୍ଧା ମୋଟ ୨୪ଟି ଗେଟରେ ବନ୍ୟାଜଳ ପ୍ରବାହିତ ହେଉଛି ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୪ଲକ୍ଷ ୨୧ହଜାର ୨୮୫ କ୍ୟୁସେକ ଜଳ ପଶୁଥଇବା ବେଳେ ସମାନ ପରିମାଣରେ ଜଳ ୨୪ଟି ଗେଟ ମାଧ୍ୟମରେ ମହାନଦୀକୁ ଛଡାଯାଉଛି।
ଯାହାକୁ ନେଇ ମହାନଦୀରେ ଛୋଟ ତଥା ମଧ୍ୟମ ଧରଣର ବନ୍ୟା ଆସିବା ନେଇ ଆକଳନ କରାଯାଇଛି । ମହାନଦୀରେ ପାଣି ଆସୁଥିବାରୁ ଏହାର ଶାଖା ନଦୀ ଗୁଡିକରେ ଜଳସ୍ତର ବୃଦ୍ଧି ପାଇବ । ଫଳରେ ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର ଜିଲ୍ଲାରେ ବନ୍ୟା ଆସିବା ନେଇ ଏସଆରସିଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସବୁ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ବନ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ ରିଲିଫ କମିସନର ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।


