
ଖୋର୍ଦ୍ଧା, ୧୩/୦୯/୨୧ (ଜିଲ୍ଲା ଖବର) : ବର୍ଷା ନେଇଗଲା ଜୀବନ । ଖୋର୍ଦ୍ଧାରେ ନାଳ ପାଣିରେ ଭାସି ଯୁବଚାଷୀଙ୍କ ମୃତ୍ୟୁ ହୋଇଛି । ଲଗାଣ ବର୍ଷା ଯୋଗୁଁ ନଈ ନାଳ ଫୁଲିଉଠିଛି । ନାଳ ପାଣି ସୁଅରେ ବୁଡି ଜଣେ ଯୁବଚାଷୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକ ଜଣଙ୍କ ନୂଆଗଡ ଗ୍ରାମପଞ୍ଚାୟତ ମୋରମରସିଂହ ଗ୍ରାମର କମ୍ବେଶ୍ୱର ପାଟ୍ଟଶାଣୀ।
କମ୍ବେଶ୍ୱର ନିଜ ବିଲକୁ ଫସଲ ଦେଖିବାକୁ ଯାଉଥିବା ସମୟରେ ନାଳ ପାର ହେଉଥିବା ବେଳେ ପାଣି ସୁଅରେ ଭାସି ମୃତ୍ୟୁ ବରଣ କରିଛନ୍ତି । କମ୍ବେଶ୍ୱର ୬ମାସ ପୂର୍ବରୁ ବିବାହ କରିଥିଲେ । ତାଙ୍କ ଅକାଳ ମୃତ୍ୟୁ ରେ ଗାଁରେ ଶୋକର ଛାୟା ଖେଳିଯାଇଛି । ମୃତକ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ତଥା ସ୍ଥାନୀୟ ଲୋକପ୍ରତିନିଧି ଦାବି କରିଛନ୍ତି । ଲଗାତାର ଦୁଇ ଦିନ ହେବ ବର୍ଷା ଜାରି ରହିଛି। ଯାହାର ପ୍ରଭାବରେ କେଉଁଠି କାନ୍ଥ ଭୁଷୁଡି କାହାର ଜୀବନ ଯାଉଛି ତ କେଉଁଠି ପାଣି ଭାସି ଯାଇ ଜୀବନ ଯାଉଛି।


