
୧୩/୦୯/୨୧ (ଜିଲ୍ଲା ଖବର) : ବର୍ଷାରେ ଭୁବୁଟୁବୁ ପୁରା ଓଡିଶା । ଗାଁଠୁ ସହର ସବୁଠି ପାଣି ହିଁ ପାଣି । କେଉଁଠି ଘରେ ପାଣି ପସିଲାଣି ତ କେଉଁଠି ଲଗାଣ ବର୍ଷା ଯୋଗୁଁ ଘର ଭୁଷୁଡିପଡିଲାଣି । ରାସ୍ତାରେ ଲହଡି ଭାଙ୍ଗୁଛି ପାଣି । ରାସ୍ତା, ଘର ସବୁ ଏକାକାର । କେଉଁଠି ଗାଡି ଓଲଟି ପଡିଛି ତ କେଉଁଠି ପାଣି ସୁଅରେ ଗାଡି ଭାସି ଯାଇଥିବା ଦେକିବାକୁ ମିଳିଛି । ଟ୍ୱିନି ସିଟିର ସ୍ଥିତି ବେହାଲ ହୋଇପଡିଛି । ବୁଡ଼ିଲା ବାଦାମବାଡ଼ି । ପଟ୍ଟାପୋଲ ସହ ତଳିଆ ଅଞ୍ଚଳ । ଅଲାରନାଥ ଓ ଆରଡି ମନ୍ଦିରରେ ପାଣି । ସେପଟେ ଜଳେଶ୍ୱରରେ ବିପଦ ସଙ୍କେତ ଉପରେ ଜଳକା ।
ପରିସ୍ଥିତି ଏପରି ହୋଇଛି ଯେ ଯାହା ମୁହଁରେ ଶୁଣିବ ସମସ୍ତଙ୍କ ମୁହଁରେ ଗୋଟିଏ କଥା ଓଃ କି ବର୍ଷା । ଏମିତି ବର୍ଷା ହେଉଛି ଯେ ରେନ କୋର୍ଟ କି ଛତା କିଛି କାମ ଦେଉନି । ଖାଲି ସହର ନୁହେଁ ଗାଁରେ ମଧ୍ୟ ସମାନ ପରିସ୍ଥିତି । ନଦୀକୂଳ ଗାଁ ଗୁଡିକ ସ୍ଥିତି ବେହାଲ ହୋଇପଡିଛି । ଗାଁ ଦାଣ୍ଡରେ ନଦୀ ପାଣି ଲହଡି ମାରୁଛି । ଲଗାଣ ବର୍ଷାରେ ଚାଷ ଜମି ବି ବୁଡିଗଲାଣି । ଫଳରେ ଗାଁ ରାସ୍ତା ଆଉ ଚାଷ ଜମି ଚିଲିକାର ଭ୍ରମ ସୃଷ୍ଟି କରୁଛି । ଅନ୍ୟପଟେ ପବନର ବେଗ ମଧ୍ୟ ବଢୁଛି । ଫଳରେ ବଡ ବଡ ଗଛ ଗୁଡିକ ମଧ୍ୟ ଭାଙ୍ଗି ପଡିଛି ।
ଅନ୍ୟପଟେ ଲଗାଣ ବର୍ଷାରେ ଖୋର୍ଦ୍ଧା ଜିଲ୍ଲାର ଜଣେ ଯୁବ ଚାଷୀଙ୍କ ମୃତ୍ୟୁ ହୋଇଛି । ନାଳ ପାଣିରେ ସୁଅରେ ବୁଡି ଜଣେ ଯୁବଚାଷୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣଙ୍କ ନୂଆଗଡ ଗ୍ରାମପଞ୍ଚାୟତ ମୋରମରସିଂହ ଗ୍ରାମର କମ୍ବେଶ୍ୱର ପାଟ୍ଟଶାଣୀ। ସେହିପରି ବର୍ଷାରେ କେନ୍ଦ୍ରାପଡ଼ାରେ ମାଟି କାନ୍ଥ ପଡ଼ି ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ପାଟକୁରା ଥାନା ବଡ଼ବବତରା ଗାଁର 60 ବର୍ଷୀୟ ଅଭୟ ମହାପାତ୍ର ।
ଲଘୁଚାପର ପ୍ରଭାବରେ ଆଜି ଉପକୂଳ ଓଡ଼ିଶା ପୁରୀ, ଖୋର୍ଦ୍ଧା କଟକ, ଜଗତସିଂହପୁର, କେନ୍ଦ୍ରାପଡା , ଢେଙ୍କାନାଳ ଓ ନୟାଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ରେଡ୍ ଆଲର୍ଟ ଜାରି ହୋଇଛି । ଏହାସହ ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର ଓ ବରଗଡ଼କୁ ମଧ୍ୟ ରେଡ୍ ଆଲର୍ଟ ଜାରି କରାଯାଇଛି । ପ୍ରବଳ ବର୍ଷା ପାଇଁ ବଲାଙ୍ଗୀର, ଝାରସୁଗୁଡା, ସୁନ୍ଦରଗଡ଼, ବୌଦ୍ଧ , କେନ୍ଦୁଝର, ଢେଙ୍କାନାଳ ଓ କଟକକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି ।
ଏହି ସବୁ ଜିଲ୍ଲାରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବ । ସହରାଞ୍ଚଳରେ ପ୍ରବଳ ବର୍ଷା ପାଇଁ ଭିଜିବିଲିଟି କମ୍ ରହିବ । ଧାନ ଫସଲ ନଷ୍ଟ ହେବା ସମ୍ଭାବନା ରହିଛି । କଚ୍ଚା ଘର, ମାଟି ରାସ୍ତା, କାନ୍ଥ ଭୁଶୁଡିବା ସମ୍ଭାବନା ରହିଛି । ବର୍ଷା ସମୟରେ ଘଣ୍ଟା ପ୍ରତି ପବନର ବେଗ ୪୫ରୁ ୫୫କିଲୋମିଟର ଓ ଝଟକା ପବନ ୬୫କିଲୋମିଟର ପର୍ଯ୍ୟନ୍ତ ରହିବ ବୋଲି ସତର୍କ କରାଇଛି ପାଣିପାଗ ବିଭାଗ ।
ଏହାର ମୁକାବିଲା ପାଇଁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର । ଗତ ୨୪ ଘଣ୍ଟାରେ ପୁରୀରେ ସର୍ବାଧିକ ୩୨୯.୦ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ପାରାଦୀପରେ ୨୧୯ ମିମି, ଭୁବନେଶ୍ବରରେ ୧୯୩.୦ ମିମି ବର୍ଷା ରେକର୍ଡ଼ କରାଯାଇଛି ।


