Sunday, November 15, 2026
Home ଆଞ୍ଚଳିକ ଅବପାତର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ, ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି

ଅବପାତର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ, ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି

8

ଭୁବନେଶ୍ୱର,୧୩/୦୯/୨୧ (ଜିଲ୍ଲା ଖବର) : କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଘନୀଭୁତ ହେବା ଫଳରେ ରାଜ୍ୟରେ ବର୍ଷା ଜାରି ରହିଛି। ରବିବାର ଦିନ ତମାମ ଉପକୂଳ ଓଡିଶା ସମେତ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ହୋଇଛି । ଆଜି ବି ରାଜ୍ୟରେ ବର୍ଷା ଜାରି ରହିଛି। ତୁହାକୁ ତୁହା ବର୍ଷା ହେଉଥିବାବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଲଗାଣ ବର୍ଷା ଫଳରେ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ତଳିଆ ଅଞ୍ଚଳ ଗୁଡିକ ଜଳମଗ୍ନ ହୋଇଥିବା ବେଳେ ଟ୍ୱିନ ସିଟିରେ ବର୍ଷାର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି ।

ଅତି ପ୍ରବଳ ବର୍ଷା ହେବା ଦ୍ୱାରା ରାଜଧାନୀର ବିଭିନ୍ନ ସ୍ଥାନରେ ପାଣି ଜମିରହିବା ସହିତ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ଆଞ୍ଚଳିକ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ପୁରୀରେ ସର୍ବାଧିକ ୧୯୫.୮ମିଲିମିଟର ବର୍ଷା ରେର୍କଡ କରାଯାଇଛି। ସେହିପରି ପାରାଦୀପରେ ୧୬୯.୪ ଏବଂ ଭୁବନେଶ୍ୱରରେ ୧୩୩.୩ ମିଲିମିଟର ବର୍ଷା ରେର୍କଡ ହୋଇଛି।

ଉପକୂଳ ଏବଂ ଦକ୍ଷିଣ ଓଡିଶା ପରେ ଆଜି ପଶ୍ଚିମ ଓଡିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଯାହାକୁ ନେଇ ଉକ୍ତ ଜିଲ୍ଲା ଗୁଡିକୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ରେଡ ଓ୍ୱାର୍ଣ୍ଣି ଜାରି କରାଯାଇଛି । ଅନ୍ୟପଟେ ଲଗାଣ ବର୍ଷା ଫଳରେ ଉପକୂଳ ଓଡିଶାର ପ୍ରମୁଖ ନଦୀ ବ୍ରାହ୍ମଣୀ, ବୈତରଣୀ, ଜଳକା ନଦୀରେ ବନ୍ୟା ପରିସ୍ଥିତି ଆଶଙ୍କା ସୃଷ୍ଟି ହୋଇଛି। ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକର ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବାକୁ ଏସଆରସିଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।