
ମୁମ୍ବାଇ,୧୨/୦୯/୨୧ (ଜିଲ୍ଲା ଖବର) : ବଲିଉଡରୁ ଆରମ୍ଭ କରି ହଲିଉଡ ଯାଏଁ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ସେ ତାଙ୍କର ପ୍ରୋଫେସନାଲ ଲାଇଫ ସହିତ, ତାଙ୍କର ପର୍ସନାଲ ଲାଇଫକୁ ନେଇ ମଧ୍ୟ ବେଶ ଚର୍ଚ୍ଚାରେ ରୁହନ୍ତି । ସବୁବେଳେ ତାଙ୍କ ପାଖରେ କିଛି ନାଁ କିଛି ପ୍ରୋଜେକ୍ଟ ରହିଥାଏ । ଏହା ସହିତ ଭାରତରେ ତାଙ୍କର ପ୍ରଡକ୍ସନ ହାଉସ ଏବଂ ନ୍ୟୁୟର୍କରେ ରେଷ୍ଟୁରାଣ୍ଟର ବିଜନେସ ମଧ୍ୟ ଆରମ୍ଭ କରିଛନ୍ତି ସେ । ବର୍ତ୍ତମାନ ପ୍ରିୟଙ୍କାଙ୍କର ଏକ ନୂଆ ଶୋ ସାମ୍ନାକୁ ଆସିଛି। ଏହା ଏକ ରିଏଲିଟି ଶୋ ହେବ, ଯେଉଁଥିରେ ବିଭିନ୍ନ ପ୍ରକାର ସମାଜସେବା ରହିବ। ଏହି ଶୋ’ରେ ପ୍ରିୟଙ୍କାଙ୍କ ସହିତ ସିଙ୍ଗର ଅଶର ଓ ଡାନ୍ସର୍ ଜୁଲିଆନେ ହଗ୍ ଜଜ୍ ଭୂମିକାରେ ନଜର ଆସିବେ।
ଶୋ’ ବିଷୟରେ କୁହାଯାଉଛି ଯେ, ଏଥିରେ ୬ ପ୍ରକାର ସମାଜସେବା ରହିବା ସହିତ, ଯେଉଁମାନେ ଏହି ହାଇ ପ୍ରୋଫାଇଲ୍ ପବ୍ଲିକ୍ ଫିଗରଙ୍କ ସହିତ କାମ କରିବେ ନିଶ୍ଚିତ କିଛି ନୂଆ କରିବାର ଯୋଜନା ନେଇ ଆସିବେ। ଏଥିରେ ପଯ୍ୟାବରଣ,ଶିକ୍ଷା,ସ୍ବାସ୍ଥ୍ୟ ଆଦି ସାମିଲ ରହିବ । ଏହି ଶୋ ସାମ୍ନାକୁ ଆସିବା ପରେ ସୋସିଆଲ୍ ମିଡିଆ ଉପଭୋକ୍ତାମାନେ ଟ୍ରୋଲ୍ କରିବା ଆରମ୍ଭ କରିଦେଇଛନ୍ତି। ସେହିପରି ଅନେକ ସେଲିବ୍ରିଟି ମଧ୍ୟ ଏହାକୁ ନିନ୍ଦା କରୁଛନ୍ତି।
ହଲିଉଡ୍ ଅଭିନେତ୍ରୀ ଜମୀଲା ଜମୀଲ ଟ୍ୱିଟ୍ କରି କହିଛନ୍ତି ଯେ “ଏହି ଲୋକମାନେ କ’ଣ ସମାଜସେବାକୁ ଗେମ୍ରେ ପରିବର୍ତ୍ତନ ନ କରି, ଏହି ମହଙ୍ଗା ଶୋ’ରେ ଖର୍ଚ୍ଚ ହେବାକୁ ଥିବା ଟଙ୍କାକୁ ସିଧାସଳଖ ସାମାଜିକ କର୍ମୀଙ୍କୁ ଦେଇପାରିବେନି? ଲୋକେ ମରୁଛନ୍ତି।” ସେହିପରି ସମାଜସେବୀ କ୍ୟାମେରନ କାସ୍କୀ ମଧ୍ୟ ଟ୍ୱିଟ୍ କରି କହିଛନ୍ତି “ଏହା ସମ୍ପୂର୍ଣ୍ଣ ଏକ ବେକାର ଧନ୍ଦା, ସମାଜସେବା ଶବ୍ଦ କେତେ ଶସ୍ତା ହୋଇଗଲାଣି। ଠିକ୍ ସେହିପରି ଅନେକ ଫ୍ୟାନ୍ସ ମଧ୍ୟ ଏହାକୁ ନେଇ ଟ୍ରୋଲ କରୁଛନ୍ତି ।
ପ୍ରକାଶ ଥାଉକି, ଏହି ଶୋ’ରେ ସମାଜସେବୀମାନେ ନିଜ ନିଜ କାମକୁ ପ୍ରମୋଟ କରିବା ସହିତ ଜଣେ ଅନ୍ୟ ସହିତ ପ୍ରତିଯୋଗିତା କରିବେ।


