
୧୨/୦୯/୨୧ (ଜିଲ୍ଲା ଖବର) : ବିଜୟ ରୂପାଣୀଙ୍କ ଇସ୍ତଫା ପରେ କିଏ ହେବ ଗୁଜରାଟର ମୁଖ୍ୟମନ୍ତ୍ରୀ ତାକୁ ନେଇ ଚର୍ଚ୍ଚା । ତେବେ ଆଜି ଦିନ ୨ଟାରେ ବିଜେପି ବିଧାୟକ ଦଳ ବୈଠକ ବସିବାକୁ ଯାଉଛି । କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ନରେନ୍ଦ୍ର ସିଂ ତୋମାର ଆଜି ବିଜେପିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଗୁଜରାଟ ଗସ୍ତ କରିବେ ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ରେସ୍ ରେ ନୀତିନ ପଟେଲଙ୍କ ନାଁ ଆଗରେ ଥିବା ଚର୍ଚ୍ଚା ହେଉଛି । ନୀତିନ ୨୦୧୬ ଅଗଷ୍ଟ ୫ରେ ଗୁଜରାଟ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୦୧ରେ ଅର୍ଥମନ୍ତ୍ରୀ ମଧ୍ୟ ଥିଲେ । ୬ ଥର ବିଧାୟକ ହୋଇଛନ୍ତି ନୀତିନ ପଟେଲ । ସେପଟେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । ବିଜୟ ଇସ୍ତଫା ଦେବା ପରେ ବିଜେପି ଦପ୍ତରରେ ପହଞ୍ଚିଥିଲେ ମାଣ୍ଡଭିଆ ।
ଇସ୍ତଫାର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ବିଜୟ ରୂପାଣୀ କହିଛନ୍ତି, ଦଳରେ ଏହା ଏକ ସ୍ୱାଭାବିକ ପକ୍ରିୟା । ମୋତେ ୫ ବର୍ଷ ଯାଏଁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ମିଳିଥିଲା । ଦଳ ଯେଉଁ ଦାୟିତ୍ୱ ଦେବ ତାହାକୁ ଗ୍ରହଣ କରିବି । ଏଭଳି ଦାୟିତ୍ୱ ଦେଇଥିବାରୁ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜୟ । ଦୁଇଟି ପାଳିରେ ୫ ବର୍ଷ ମୁଖ୍ୟମନ୍ତ୍ରୀ ରହିଥିବା ବିଜୟ ୨୦୧୬ରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ । ଆନନ୍ଦିବେନ ପଟେଲଙ୍କ ସ୍ଥାନରେ ବିଜୟଙ୍କୁ ବାଛିଥିଲା ବିଜେପି । ଏହାପରେ ୨୦୧୭ ବିଧାନସଭା ନିର୍ବାଚନ ପରେ ଦଳ ବିଜୟଙ୍କୁ ହିଁ ମୁଖ୍ୟମନ୍ତ୍ରୀ କରିଥିଲା ।


