
୧୨/୦୯/୨୧ (ଜିଲ୍ଲା ଖବର) : କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନିଭୂତ ହୋଇ ଅବପାତରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଏହାର ପ୍ରଭାବରେ କାଲି ଯାଏ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।
କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଗୋଟିଏ କି ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରାଯାଇଛି । ଆଜି ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ଢେଙ୍କାନାଳ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣଂ ଜାରି କରାଯାଇଛି । ସେହିଭଳି ମୟୂରଭଞ୍ଜ, ବାଲେଶ୍ବର, ସମ୍ବଲପୁର, ସୋନପୁର, ଅନୁଗୁଳ, ବୌଦ୍ଧ, ବଲାଙ୍ଗିର, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାକୁ ୟଲୋ ୱାର୍ଣ୍ଣଂ ଜାରି କରାଯାଇଛି ।
ଏହି ବର୍ଷା ରାଜ୍ୟରେ ଚାଷ କାର୍ଯ୍ୟକୁ ବଢ଼ାଇବାରେ ସହାୟକ ହେବାକୁ ଥିବାବେଳେ କିଛି ଜିଲ୍ଲାର ତଳୁଆ ସ୍ଥାନରେ ପାଣି ଜମିବା ସହ କଚ୍ଚା ରାସ୍ତା ଧୋଇଯିବାର ଆଶଙ୍କା ରହିଛି । ଲଘୁଚାପ କ୍ଷେତ୍ର ପ୍ରଭାବରେ ଓଡ଼ିଶା ଉପକୂଳ, ପଶ୍ଚିମ କେନ୍ଦ୍ରୀୟ ଏବଂ ଉତ୍ତର ବଙ୍ଗୋପସାଗରର ଅଞ୍ଚଳରେ ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ରହିବା ସହିତ ଝଟକା ପବନ ୬୫ କିଲୋମିଟର ବେଗରେ ବୋହିବାର ଅଶଙ୍କା କରିଛି ପାଣିପାଗ ବିଭାଗ ।
ଏହି ସମୟରେ ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ସେପଟେ ଟ୍ବିନସିଟିରେ ପ୍ରବଳ ବର୍ଷା ସହ ଘୂର୍ଣ୍ଣିଝଡ଼ର ଆଶଙ୍କା ରହିଛି । ବର୍ଷା ଯୋଗୁ ଟ୍ରାଫିକ ସମସ୍ୟା ସହ ଲୋକଙ୍କୁ ଯାତାୟତରେ ଅସୁବିଧା ହୋଇପାରେ । କିଛି ସ୍ଥାନରେ ଜଳବନ୍ଦୀ ଭଳି ସ୍ଥିତି ଉପୁଜି ପାରେ । ତେଣୁ ସେଠାରୁ ଜଳ ନିଷ୍କାସନ କରିବାକୁ ଆଇଏମଡି ପକ୍ଷରୁ ପରାମର୍ଶ ଦିଆଯାଇଛି ।


