Home ଆଞ୍ଚଳିକ ପ୍ରଥମ ଜିଲ୍ଲାସ୍ତରୀୟ ଆନ୍ତଃବ୍ଲକ୍ ଫୁଟବଲ୍ ଚାମ୍ପିଅନସିପ – ସୁନ୍ଦରଗଡ଼...

ପ୍ରଥମ ଜିଲ୍ଲାସ୍ତରୀୟ ଆନ୍ତଃବ୍ଲକ୍ ଫୁଟବଲ୍ ଚାମ୍ପିଅନସିପ – ସୁନ୍ଦରଗଡ଼ ସଦର ଦଳ ଚାମ୍ପିଅନ

24

ସୁନ୍ଦରଗଡ଼ : ୧୦/୦୯/୨୧(ଜିଲ୍ଲା ଖବର)
ସୁନ୍ଦରଗଡ଼ ଜିଲ୍ଲା କ୍ରୀଡ଼ା ସଂସଦ ଆନୁକୁଲ୍ୟରେ ଆୟୋଜିତ ହୋଇଯାଇଛି ପ୍ରଥମ ଜିଲ୍ଲାସ୍ତରୀୟ ଆନ୍ତଃଜିଲ୍ଲା ଫୁଟବଲ୍ ଚାମ୍ପିଅନସିପ। ପ୍ରଥମ ଚରଣରେ ୧୭ ଟି ବ୍ଲକରେ ଆରମ୍ଭ ହୋଇଥିଲା ଏହି ପ୍ରତିଯୋଗିତା। ତାପରେ ବ୍ଲକ୍ ର ଚାମ୍ପିଅନ ଦଳଗୁଡ଼ିକୁ ୪ ଟି ଜୋନରେ ଭାଗ କରି ଫାଇନାଲ ପର୍ଯ୍ୟାୟ ପାଇଁ ଆୟୋଜିତ ହୋଇଥିଲା ଦ୍ୱିତୀୟ ଚରଣ। ଲାଠିକଟା ବ୍ଲକ୍ କୁ ପରାଜିତ କରି କୋଇଡା ବ୍ଲକ୍ ପହଞ୍ଚିଥିଲା ଫାଇନାଲ ରେ ଭେଟିବାକୁ ସଦର ବ୍ଲକ୍ କୁ ଯିଏ କି ସେମି ଫାଇନାଲ ରେ ପରାସ୍ତ କରିଥିଲା ସବଡେଗା କୁ। ଫାଇନାଲ ମ୍ୟାଚ୍ ଆୟୋଜିତ ହୋଇଥିଲା କିଞ୍ଜୀର୍ମାର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ। ପ୍ରଥମାର୍ଦ୍ଧରେ ସଦର ବ୍ଲକ୍ ଦଳ ସ୍ଵାଧୀନ ବଡାଇକଙ୍କ ( ୨ ମିନିଟ୍) ଏବଂ ମହେଶ ପ୍ରଧାନଙ୍କ( ୨୪ ମିନିଟ୍) ଗୋଲ୍ ରେ ୨ – ୦ରେ ଆଗୁଆ ଥିଲା। ମ୍ୟାଚ୍ ର ଦ୍ଵିତୀୟ ଅର୍ଦ୍ଧରେ ସଦର ବ୍ଲକ୍ ର ନାରାୟଣ ମୁଣ୍ଡା ଏକ ଗୋଲ୍ ପ୍ରଦାନ କରିଥିଲେ।ଏହା ଫଳରେ ସୁନ୍ଦରଗଡ଼ ସଦର ଦଳ ୩-୦ ଗୋଲ୍ ରେ କୋଇଡା ଦଳକୁ ପରାସ୍ତ କରି ବିଜେତା ହୋଇଥିଲା।
ଚାମ୍ପିଅନ ଦଳ ୫୦୦୦୦/ ଏବଂ ଉପବିଜେତା ଦଳ ୩୦୦୦୦/ ଟଙ୍କା ପୁରସ୍କାର ରାଶି ଅର୍ଜନ କରିଥିଲେ। ସଦର ଦଳର ମହେଶ ପ୍ରଧାନ ମ୍ୟାଚର ସର୍ବଶ୍ରେଷ୍ଠ ଖେଳାଳୀ ଭାବରେ ବିବେଚିତ ହୋଇଥିଲେ । ଆଜିର ମ୍ୟାଚକୁ ପରିଚାଳନା କରିଥିଲେ ଜି. ସୁରେଶ କୁମାର, ପ୍ରଶାନ୍ତ କୁମାର ପାଲ, ରୋଷନ୍ ଖାନ୍ ଏବଂ ମହିଳା ରେଫରୀ ବାସନ୍ତୀ କିଷାନ।
ପ୍ରକାଶଯୋଗ୍ୟ ଯେ ଏହି ପ୍ରତିଯୋଗିତା ରେ ଜିଲ୍ଲାର ୪୦୬ ଦଳର ୭୦୦୦ ରୁ ଉର୍ଦ୍ଧ୍ବ ଖେଳାଳୀ ନିଜର କ୍ରୀଡ଼ାମେଧା ପ୍ରଦର୍ଶନ କରିବାକୁ ସୁଯୋଗ ପାଇଥିଲେ । ଏହି ପ୍ରତିଯୋଗିତାରେ ୩୯୪ ଟି ମ୍ୟାଚ୍ ଅନୁଷ୍ଠିତ କରାଯାଇଥିଲା। ଆଜିର ଫାଇନାଲ ମ୍ୟାଚ୍ ରେ ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ଅଧିକାରୀ ରାମଚନ୍ଦ୍ର ଗଣ୍ଡ ମୁଖ୍ୟଅତିଥି ଭାବରେ ଯୋଗଦେଇ ଖେଳାଳୀମାନଙ୍କ ତଥା ଆୟୋଜକଙ୍କ ଉତ୍ସାହବର୍ଦ୍ଧନ କରିଥିଲେ। ଆଦିବାସୀ ନୃତ୍ୟର ତାଳେ ତାଳେ ତାଙ୍କୁ ପାଛୋଟି ଆଣିଥିଲେ କିଞ୍ଜୀର୍ମା ଏସ.ବି.ଡି.ଏଲ ର କର୍ମକର୍ତ୍ତା ତଥା ସୁନ୍ଦରଗଡ଼ ଜିଲ୍ଲା କ୍ରୀଡ଼ା ସଂସଦର କର୍ମକର୍ତ୍ତାଗଣ। ଏହି ପ୍ରତିଯୋଗିତା ଏବଂ ଆଜିର ଏହି ଫାଇନାଲ ମ୍ୟାଚ୍ ସୁନ୍ଦରଗଡ଼ ଜିଲ୍ଲା କ୍ରୀଡ଼ା ସଂସଦ ର ସାଧାରଣ ସମ୍ପାଦକ ପ୍ରଭାତ କୁମାର ଭୋଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର କୋଣ ଅନୁକୋଣରୁ ଫୁଟବଲ୍ ଖେଳାଳୀମାନଙ୍କୁ ଚୟନ କରି ତାଙ୍କୁ ପ୍ରଶିକ୍ଷଣ ଏବଂ ପ୍ରତ୍ସୋହନ ପ୍ରଦାନ ପୂର୍ବକ ବିଭିନ୍ନ ଆୟୁବର୍ଗର ଦଳ ନିର୍ମାଣ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ଏହି ପ୍ରତିଯୋଗିତା ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଛନ୍ତି ଜିଲ୍ଲା କ୍ରୀଡ଼ା ସଂସଦର ସାଧାରଣ ସଂପାଦକ ପ୍ରଭାତ କୁମାର ଭୋଳ। ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଏବଂ ମଧ୍ୟାନ୍ତର ରେ କଲିକତାରୁ ଆସିଥିବା କୁଶଳୀ ପ୍ରଦର୍ଶକ ପ୍ରଦୀପ କୁମାର ତାଙ୍କର ଅପୂର୍ବ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରି ଦର୍ଶକମାନଙ୍କୁ ବିମୋହିତ କରିଦେଇଥିଲେ।ଏହି ଅବସରରେ ଉପସ୍ଥିତ ଥିଲେ ସଦର ବ୍ଲକ୍ ଉପାଧ୍ୟକ୍ଷ ଅଶ୍ଵିନୀ କୁମାର ନାଏକ, ସୁନ୍ଦରଗଡ଼ ଜିଲ୍ଲା କ୍ରୀଡ଼ା ସଂସଦର ସହ ସଂପାଦକ ଜୟଦେବ ପାତ୍ର, କୋଷାଧ୍ୟକ୍ଷ ଦୁର୍ଗାମାଧବ ନାଏକ,ସଂସଦ ସଦସ୍ୟ ପ୍ରଶାନ୍ତ ପଟେଲ,ସୁରଜ୍ ଭାଇଁଶାଲ୍, ପ୍ରସାଦ ନାଏକ, ଅକ୍ଷୟ ନାଏକ, ରୋମାଞ୍ଚ ଭାଇଂଶାଲ, ବୀରମିତ୍ର କାଲୋ,ଆଶିଷ ଦେ, ଶିଶିର ପଟେଲଏବଂ ଅଜୟ ବହିଦାର। ଅନ୍ୟମାନଙ୍କ ମଧ୍ୟରେ ସୁନ୍ଦରଗଡ଼ ପୌରପାଳିକା ପୂର୍ବତନ ଅଧ୍ୟକ୍ଷ ବେଣୁଧର ତାଣ୍ଡିଆ, ଜୟନାରାୟଣ ତ୍ରୀପାଠୀ ମଞ୍ଚାସୀନ ଥିଲେ। ଏତଦ୍ ବ୍ୟତୀତ କିଞ୍ଜିର୍ମା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଶ୍ଵନାଥ ତ୍ରୀପାଠୀ, କିଞ୍ଜୀର୍ମା +୨ ମହାବିଦ୍ୟାଳୟ ଅଧ୍ୟକ୍ଷ ମନୋଜ ଚୌଧୁରୀ, ଭବାନୀ ଶଙ୍କର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀବତ୍ସ ଚୌଧୁରୀ, ପ୍ରାକ୍ତନ ଖେଳାଳୀ କାର୍ତ୍ତିକ ରକ୍ସା, ସମାପ୍ତେନ୍ଦୂ ମେହେର ତଥା କ୍ରୀଡ଼ାପ୍ରେମୀ ରାଜେନ୍ଦ୍ର ପଣ୍ଡା, ରାଜା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଫୁଟବଲ୍ ସଂପାଦକ ନିତ୍ୟ କୁମାର ବଳ ଧନ୍ୟବାଦ୍ ଅର୍ପଣ କରିଥିଲେ।ମଞ୍ଚ ପରିଚାଳନା କରିଥିଲେ ସଂସଦ ସଦସ୍ୟ ବିଶ୍ବରଂଜନ ହୋତା।
ରିପୋର୍ଟ : ବିଶ୍ବରଂଜନ ହୋତା