
୦୯/୦୯/୨୧(ଜିଲ୍ଲା ଖବର) : ତାଲିବାନ ଶାସନରେ ମହିଳାଙ୍କ ପାଇଁ ହିଁ ସବୁ କଟକଣା । ପୂର୍ବରୁ ଡ୍ରେସ କୋଡ୍ , ନେଲ୍ ପଲିସ, ସାମ୍ବାଦିକତା କ୍ଷେତ୍ରରେ ନାନା କଟକଣା ପରେ ଏବେ ମହିଳାଙ୍କ ଖେଳକୁ ନେଇ ନୂଆ ଆଇନ । ମହିଳାମାନେ ଖେଳରେ ଭାଗ ନେଇପାରିବେ ନାହିଁ । କ୍ରିକେଟ ସମେତ ଅନ୍ୟ କୌଣସି ଖେଳରେ ଭାଗ ନେଇପାରିବେ ନାହିଁ ବୋଲି କୁହାଯାଉଛି ।
ଖେଳରେ ଭାଗ ନେଲେ ମହିଳାଙ୍କର ମୁହଁ ଓ ଦେହ ଦେଖାଯାଉଛି । ଯାହା ଇସଲାମ ବିରୋଧୀ । ଇସଲାମ ଏହାକୁ କେବେ ହେଲେ ଅନୁମତି ଦିଏ ନାହିଁ ବୋଲି କହିଛନ୍ତି ତାଲିବାନର ସାଂସ୍କୃତିକ ଆୟୋଗର ଡେପୁଟି ମୁଖ୍ୟ ଅହମଦୁଲ୍ଲାହ ୱାସିକ୍ । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ ମହିଳାଙ୍କ ପାଇଁ ଖେଳ ଜରୁରୀ ନୁହେଁ ।
ଅନ୍ୟପଟେ ପ୍ରତିବାଦକୁ ଓହ୍ଲାଉଥିବା ମହିଳାଙ୍କୁ ମଧ୍ୟ ତାଗିଦ କରିଛି ତାଲିବାନ । ତାଲିବାନକୁ ନଡରି ମହିଳାମାନେ କାବୁଲରେ ଯେପରି ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରୁଛି ତାକୁ ଦେଖି ମହିଳାମାନଙ୍କୁ ପଶୁ ଭଳି ପିଟୁଥିବାର ଘଟଣା ନଜର ଆସିଛି । ଏହି ଖବରକୁ ଦେଖାଉଥିବା ସାମ୍ବାଦିକଙ୍କୁ ମଧ୍ୟ ଛାଡି ନାହାନ୍ତି ତାଲିବାନୀ ।
ତାଲିବାନ ସରକାର ଗଠନ କରିବା ପରେ ମହିଳାଙ୍କ ଅଧିକାର ଓ ସ୍ୱାଧିନତା ଉପରେ ବହୁ ରୋକ୍ ଲଗାଇଛି। ସ୍କୁଲ, କଲେଜରେ ପୁଅ, ଝିଅ ଏକାଠି ପଢ଼ିପାରିବେନି, ସେମାନେ ନିଜ ଇଚ୍ଛାରେ ଡ୍ରେସ୍ ପିନ୍ଧିପାରିବେନି । ତାଲିବାନୀ ନିୟମ ଯୋଗୁ ଏବେ ବହୁ ମହିଳା ବେରୋଜଗାର ହେବା ସହ ନିଜ କାମକୁ ଫେରି ପାରୁ ନାହାନ୍ତି।



