
ନୂଆଦିଲ୍ଲୀ, ୦୮/୦୯/୨୧ (ଜିଲ୍ଲା ଖବର) : ବଲିଉଡର ଆଗଧାଡିର ଗାୟିକା ମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଆଶା ଭୋସଲେ । ସବୁବେଳେ ସେ ତାଙ୍କ ଗାୟନ ଶୈଳୀରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରନ୍ତି । ସେ ତାଙ୍କ ସଙ୍ଗୀତର ଯାତ୍ରା ଆରମ୍ଭ କରିବା ପରଠାରୁ ଆଜି ଯାଏଁ , ଅନେକ ହିଟ ଗୀତ ପରିବେଷଣ କରିଛନ୍ତି । ତେବେ ଆଜି ହେଉଛି ଆଶା ଭୋସଲେଙ୍କ ଜନ୍ମଦିନ ।
୮ ସେପ୍ଟେମ୍ବର ୧୯୩୩ରେ ଜନ୍ମିତ ଆଶା ଭୋସଲେ, ଆଜି ତାଙ୍କର ୮୮ତମ ଜନ୍ମଦିନ ପାଳନ କରୁଛନ୍ତି । ପାଖାପାଖି ସେ ୧୨,୦୦୦ ଗୀତ ଗାଇଛନ୍ତି, ଯେଉଁଥିରେ ସୋଲୋ, ଡୁଏଟ୍ ଏବଂ ମଲ୍ଟିପଲ୍ ସିଙ୍ଗର୍ସଙ୍କ ସହିତ ଗାଇଥିବା ଗୀତ ଆଦି ରହିଛି । ହିନ୍ଦୀ ଗୀତ ବ୍ୟତୀତ ସେ ମରାଠୀ, ବଙ୍ଗାଳୀ, ପଞ୍ଜାବୀ, ଗୁଜୁରାଟି, ମଲାୟାଲମ ଆଦି ଭାଷାରେ ମଧ୍ୟ ସେ ଗୀତ ଗାଇଛନ୍ତି । ଆଜି ସେ ଯେଉଁ ସଫଳତା ହାସଲ କରିଛନ୍ତି ,ଏହା ହାସଲ କରିବା ତାଙ୍କ ପାଇଁ ଏତେ ସହଜ ନଥିଲା ।
ଖୁବ୍ କମ୍ ବୟସରୁ ଗୀତ ଗାଇବା ଆରମ୍ଭ କରିଥିଲେ ଆଶା ଭୋସଲେ । ସେବେଠାରୁ ସେ ଆଉ କେବେ ପଛକୁ ଫେରି ଚାହିଁ ନାହାଁନ୍ତି । ଜୀବନରେ ଅନେକ ଉତ୍ଥାନ-ପତନ ଦେଇ ଗତିଥିବା ଆଶା ଭୋସଲେ, ଆଜି ନିଜର ପ୍ରତିଭା ଓ ସଂଘର୍ଷ ବଳରେ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଢେରସାରା ଶୁଭକାମନା ।




