ସ୍ୱାମୀ-ସ୍ତ୍ରୀ ଝଗଡା ତୁଟାଇବାକୁ ଯାଇ ଜୀବନ ହାରିଲେ ବୃଦ୍ଧା

11

ବୌଦ୍ଧ, ୦୮/୦୯/୨୧ (ଜିଲ୍ଲା ଖବର) :  ସ୍ୱାମୀ-ସ୍ତ୍ରୀ ଝଗଡା ତୁଟାଇବାକୁ ଯାଇ ଜୀବନ ହାରିଲେ ବୃଦ୍ଧା। ମଦ୍ୟପର ଖଟପୁଆ ଆକ୍ରମଣରେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ଏଭଳି ଏକ ଅଭାନୀୟ ଘଟଣା ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଆଡେଣୀଗଡ ଫାଣ୍ଡି ଅଧିନସ୍ଥ ନୁଆଗାଁ (କଖାରଫାଳ) ଗ୍ରାମରେ ଘଟିଛି । ଗ୍ରାମର କୋହ୍ଲ ସମ୍ପ୍ରଦାୟର ବସ୍ତିରେ ଏହି ହତ୍ୟାକାଣ୍ଡ ଘଟିଛି ।  

ସୂଚନା ଅନୁସାରେ,  କୋହ୍ଲ ବସ୍ତିରେ ରହୁଥିବା ତୀଳ ଦେହୁରୀ ନାମକ ଜଣେ ଯୁବକ ମଦ୍ୟପାନ କରି ନିଶାଶକ୍ତ ଅବସ୍ଥାରେ ନିଜ ସ୍ତ୍ରୀକୁ ମାଡ ମାରି ଚାଲିଥିଲେ । ଏହି ସମୟରେ ପଡୋଶୀ ଘରେ ରହୁଥିବା ବାବୁଲା ସାହୁଙ୍କ ପତ୍ନୀ ଚଞ୍ଚଳା ସାହୁ ଛଡାଇବାକୁ ଯାଇଥିଲେ, ହେଲେ ତୀଳ ଦେହୁରୀ ଉତ୍ୟକ୍ତ ହୋଇ ଏକ ଖଟପୁଆରେ ଚଞ୍ଚଳା ସାହୁଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ଚଞ୍ଚଳା ସାହୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ଏନେଇ ମୃତ ମହିଳାଙ୍କ ସ୍ୱାମୀ ଆଡେଣୀଗଡ ଫାଣ୍ଡିରେ ଅଭିଯୋଗ କରିବାପରେ ଘଟଣା ସ୍ଥଳରେ ପୁରୁଣାକଟକ ଥାନା ଅଧିକାରୀଙ୍କ ସମେତ ପୋଲିସବାହିନୀ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି । ଅନ୍ୟପଟେ ଅଭିଯୁକ୍ତ ତୀଳ ଦେହୁରୀଙ୍କୁ ମଧ୍ୟ ପୋଲିସ କାବୁ କରିଥିବା ଜଣାପଡିଛି।