
ଆସିକା ,୭/୯,(ଜିଲ୍ଲା ଖବର) :
ଆସିକା ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଏବଂ ଜାତୀୟ ସେବା ଯୋଜନା ସମସ୍ତ ୟୁନିଟ ଯୋଜନା ଅଧିକାରୀଙ୍କ ମିଳିତ ସହଯୋଗରେ ପରାମର୍ଶଦାତା କମିଟି ବୈଠକ ହୋଇଯାଇଛି। ଏହି ବୈଠକରେ ପ୍ରଶାସନିକ ଅଧିକାରୀ ପ୍ରଫେସର କେଦାର ନାଥ ପଣ୍ଡା, ସହ ପ୍ରଶାସନିକ ଅଧିକାରୀ ଡ. ଅଭୟ କେଶରୀ ପରିଚ୍ଛା ପଟ୍ଟନାୟକ, ଏନଏସ୍ଏସ୍ ଯୁକ୍ତ ୩ ୟୁନିଟ୍-୧,୨,୩ ଶାଖାର ଯୋଜନା ଅଧିକାରୀ ବିଭୁକଲ୍ୟାଣ ପଣ୍ଡା, ଦୟାନିଧି ବଡରଇତ, ଡ଼ ସସ୍ମିତା କୁମାରୀ ପାତ୍ର ଏବଂ ଯୁକ୍ତ ୨ର ଯୋଜନା ଅଧିକାରୀ ପ୍ରଦୀପ ଶବର, ପୂର୍ବତନ ଯୋଜନା ଅଧିକାରୀ ତଥା ଏନ୍ଏସ୍ଏସ୍ ରାଜ୍ୟପୁରସ୍କାର ପ୍ରାପ୍ତ ସରୋଜ କୁମାର ପଣ୍ଡା ଏବଂ ପୋଷ୍ୟଗ୍ରାମ ସଦସ୍ୟ ତଥା ମୁଖ୍ୟ ଅତିଥି ସାରଙ୍ଗଧର ଦାଶ ଓ ଏନ୍ଏସ୍ଏସ୍ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଅଧ୍ୟକ୍ଷ ସ୍ବାଗତ ଭାଷଣ ସହିତ ଏନ୍ଏସ୍ଏସ୍ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିବା ବେଳେ ବିଭୁକଲ୍ୟାଣ ପଣ୍ଡା ବିଗତ ବର୍ଷର ଏନ୍ଏସ୍ଏସ୍ ବିବରଣୀ ପାଠ କରିଥିଲେ। ପ୍ରଶାସନିକ ଅଧିକାରୀ ପ୍ରଫେସର ପଣ୍ଡା ଛାତ୍ରଛାତ୍ରୀମାନଙ୍କୁ ‘ସେବା ହିଁ ପରମ ଧର୍ମ’ ବାର୍ତ୍ତା ମାଧ୍ୟମରେ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଇଥିଲେ। ପୂର୍ବତନ ଯୋଜନା ଅଧିକାରୀ ଶ୍ରୀ ପଣ୍ଡା ନିଜର ପୂର୍ବ ଅନୁଭୂତି ଉପସ୍ଥାପନ କରିଥିଲେ ଏବଂ ସମସ୍ତଙ୍କୁ କାର୍ଯ୍ୟକ୍ରମ ଗୁଡିକର ସୂଚାରୁ ରୂପେ ସଂପାଦନ କରିବା ପାଇଁ ସମସ୍ତଙ୍କୁ ପ୍ରେରଣା ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ଦାଶ ମାନବ ସେବା ଦ୍ବାରା କିପରି ଆମେ ସମାଜରେ ପ୍ରତିଷ୍ଠିତ ହୋଇପାରିବା ଏବଂ ଜାତୀୟ ସେବା ଯୋଜନାର ସମସ୍ତ କାର୍ଯ୍ୟକ୍ରମକୁ କିପରି ସଫଳ ରୂପାୟନ କରିପାରିବା, ସେଥି ପ୍ରତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ବୈଠକରେ ଜାତୀୟ ସେବା ଯୋଜନା ଦିବସ, ସ୍ବଚ୍ଛଭାରତ ଅଭିଜାନ, ସ୍ବାସ୍ଥ୍ୟ ଶିବିର, ଏଡସ୍ ନିରାକରଣ ଦିବସ, କଲେଜ ପରିସର ସଫେଇ କାର୍ଯ୍ୟକ୍ରମ, ଜାତୀୟ ମହିଳା ଦିବସ, ଯୁବ ଦିବସ, ସଡକ ସୂରକ୍ଷା ସଚେତନତା କାର୍ଯ୍ୟକ୍ରମ ଗୁଡିକର ସଫଳ ରୂପାୟନ କରିବା ପାଇଁ ସମସ୍ତଙ୍କୁ ପରାମର୍ଶ କରାଯାଇଥିଲା। ସୁଶ୍ରୀ ଡ଼ ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।



