
୦୭/୦୯/୨୧ (ଜିଲ୍ଲା ଖବର) : ଓଭାଲ ରେ ତ୍ରିରଙ୍ଗା ଉଡାଇବା ପରେ ବିରାଟ ବାହିନୀଙ୍କୁ ସବୁ ଆଡୁ ଛୁଟୁଛି ପ୍ରଂଶସାର ସୁଅ। ଅଧିନାୟକ ବିରାଟ କୋହଲି ଅଧିନାୟକତ୍ୱକୁ ମଧ୍ୟ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି। ତେବେ ଓଭାଲ ଟେଷ୍ଟ ବିଜୟ ପରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପ୍ରଶଂସା କରିଛନ୍ତି ପୂର୍ବତନ ଇଂଲଣ୍ଡ ଅଧିନାୟକ ନାସିର ହୁସେନ।
ହୁସେନଙ୍କ ମତରେ ବିରାଟ କୋହଲି ଯେଉଁ ଭଳି ତାଙ୍କର ସମସ୍ତ ବୋଲରଙ୍କୁ ବ୍ୟବହାର କଲେ ତାହା ଅତ୍ୟନ୍ତ ପ୍ରଶଂସନୀୟ। ବିରାଟଙ୍କ ଏହି କାର୍ଯ୍ୟ ଯୋଗୁଁ ଭାରତ ଏହି ଟେଷ୍ଟ ମ୍ୟାଚକୁ ବଡ଼ ବ୍ୟବଧାନରେ ଜିତି ପାରିଲା ବୋଲି ସେ କହିଛନ୍ତି।
ଏହା ସହ ଅଧିନାୟକ ଭାବେ ବିରାଟ କୋହଲି ଏବେ ଯାହା ସ୍ପର୍ଶ କରୁଛନ୍ତି ତାହା ସୁନା ପାଲଟି ଯାଉଛି ବୋଲି କହିବାକୁ ମଧ୍ୟ ପଛାଇନାହାନ୍ତି ଏହି ଇଂଲଣ୍ଡର ପୂର୍ବତନ ଅଧିନାୟକ। ସୂଚନାଯୋଗ୍ୟ କି ବିରାଟ କୋହଲି ଟେଷ୍ଟ ମ୍ୟାଚରେ ଭାରତର ନେତୃତ୍ୱ ନେବା ପରେ ଭାରତ ଅନେକ ସଫଳତା ହାସଲ କରିଛି।କେବଳ ଖାଲି ଭାରତରେ ନୁହଁ ଘରୋଇ ମାଟି ସହ ବିଦେଶରେ ମଧ୍ୟ ଟେଷ୍ଟ ମ୍ୟାଚ ଏବଂ ସିରିଜ ଜିତୁଛି ଭାରତ।
ଓଭାଲ ଟେଷ୍ଟ ବିଜୟ ହେଉଛି ଅଧିନାୟକ ଭାବେ ବିରାଟ କୋହଲିଙ୍କ ଇଂଲଣ୍ଡ ମାଟିରେ ତୃତୀୟ ବିଜୟ ଏବଂ ଏହି ସିରିଜରେ ଦ୍ଵିତୀୟ ବିଜୟ। ଭାରତ – ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା 5 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଚତୃର୍ଥ ଟେଷ୍ଟ ଶେଷ ସୁଦ୍ଧା 2-1 ରେ ଆଗୁଆ ରହିଛି ଭାରତ। ସିରିଜର ଶେଷ ମ୍ୟାଚ ସେପ୍ଟେମ୍ବର 10 ତାରିଖରେ ମଞ୍ଚେଷ୍ଟରରେ ଖେଳାଯିବ।



