
୦୭/୦୯/୨୧ (ଜିଲ୍ଲା ଖବର) : କେନ୍ଦ୍ରର ନୂତନ ମାର୍ଗଦର୍ଶିକା। ମନ୍ତ୍ରୀ, ବିଚାରପତି ଓ ଅଧିକାରୀଙ୍କ ନାଁରେ ଦୁର୍ନୀତି ଅଭିଯୋଗ। ତଦନ୍ତ ପାଇଁ ପୁଲିସ ନେବ ଆଗୁଆ ଅନୁମତି । ଦୁର୍ନୀତି ଅଭିଯୁକ୍ତ ମନ୍ତ୍ରୀ ଓ ସାଂସଦ ତଥା ବିଧାୟକମାନଙ୍କ ବିରୋଧରେ ତଦନ୍ତ ପାଇଁ ଏଣିକି ପୁଲିସକୁ ସରକାରଙ୍କଠାରୁ ଆଗୁଆ ଅନୁମତି ନେବାକୁ ହେବ । ସର୍ବୋଚ୍ଚ ନ୍ୟାୟାଳୟ ଓ ଉଚ୍ଚ ନ୍ୟାୟାଳୟ ବିଚାରପତିଙ୍କ ସମେତ ରାଷ୍ଟ୍ରୀୟ ସଂସ୍ଥା ଓ ବ୍ୟାଙ୍କ ପରିଚାଳନା ନିର୍ଦେଶକଙ୍କ କ୍ଷେତ୍ରରେ ମଧ୍ୟ ସମାନ ନିୟମ କାର୍ଯ୍ୟକାରୀ ହେବ ।
ଏଥିପାଇଁ ପୁଲିସକୁ ସର୍ବନିମ୍ନ କାର୍ଯ୍ୟାନ୍ୱୟନ ପ୍ରକ୍ରିୟା ମାନିବାକୁ ପଡ଼ିବ। କେନ୍ଦ୍ର ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ମନ୍ତ୍ରଣାଳୟ ଗତ ୩ ତାରିଖ ଏ ସଂକ୍ରାନ୍ତ ନିର୍ଦେଶନାମା ଜାରି କରିବା ସହ ଏହା ବାଧ୍ୟତାମୂଳକ ବୋଲି କହିଛନ୍ତି । ଏଥିନିମନ୍ତେ ସରକାର ଦୁର୍ନୀତି ନିର୍ବାରଣ ସମ୍ପର୍କିତ ୩୦ବର୍ଷର ପୁରୁଣା ଆଇନକୁ ସଂଶୋଧନ କରିଛନ୍ତି । ଏ ସଂକ୍ରାନ୍ତ ପତ୍ର ସମସ୍ତ ବିଭାଗୀୟ ସଚିବ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଶାସନ ସଚିବଙ୍କ ନିକଟକୁ ପଠାଯାଇଛି । ଏସ୍ଓପି ଠିକ୍ କାର୍ଯ୍ୟକାଳୀ ହେଉଛି କି ନାହିଁ ତାହା ମନ୍ତ୍ରୀ ଓ କେନ୍ଦ୍ର ତଥା ରାଜ୍ୟର ପ୍ରଶାସନିକ ଅଧିକାରୀମାନେ କେନ୍ଦ୍ର ସରକାରଙ୍କୁ ଅବଗତ କରିବେ । ସିବିଆଇକୁ ମଧ୍ୟ ଏହାର ଅନ୍ତର୍ଭୁକ୍ତ କରାଯାଇଛି ।


