Wednesday, November 11, 2026
Home ଆଞ୍ଚଳିକ ଗୁରୁଭକ୍ତିର ଅନନ୍ୟ କାହାଣୀ

ଗୁରୁଭକ୍ତିର ଅନନ୍ୟ କାହାଣୀ

21

୦୫/୦୯/୦୨୧ (ଜିଲ୍ଲା ଖବର) : ଚାରିଆଡେ ଅକାତକାତ ପାଣି। ପୁରା ବିଲ ବାଡି ଜଳମଗ୍ନ ହୋଇ ଯାଇଥାଏ। ଆଉ ଟିକେ ଅଧିକ ପାଣି ଆସିଥିଲେ ବିଲ ହିଡ ଭାଙ୍ଗି ଯାଇଥାନ୍ତା ଆଉ ଗୁରୁଙ୍କର ଫସଲ ସବୁ ନଷ୍ଟ ହୋଇଯାଇଥାନ୍ତା । ମାତ୍ର ଅସୀମ ଗୁରୁଭକ୍ତି ଆଗରେ ସବୁ ହାର ମାନିଲା, ବିଜୁଳି ଘଡଘଡି ସହ ତୁହାକୁ ତୁହା ବର୍ଷାରେ ହିଡ ଯେମିତି ନ ଭାଙ୍ଗିବ ସେଥିପାଇଁ ସେ ବିଲର ହିଡରେ ଶୋଇ ପଡିଲେ । ଆଜ୍ଞା ହଁ ଆମେ କହୁଛୁ ଆରୁଣିଙ୍କ କଥା। 

ଏକଦା ଋଷି ଧୌମ୍ୟ ଆରୁଣି ନାମକ ଜଣେ ଛାତ୍ରକୁ ଡାକି କହିଲେ ବତ୍ସ, କ୍ଷେତର ହିଡ ଭାଙ୍ଗିଯିବା ଫଳରେ କ୍ଷେତର ପାଣି ବାହାରକୁ ବୋହି ଯାଉଛି । ତେଣୁ ତୁମେ ଯାଇ ହିଡ ବାନ୍ଧି ଆସ । ଗୁରଙ୍କ କଥା ମାନି ତିଳେ ବିଳମ୍ବ ନ କରି ଆରୁଣି ସଙ୍ଗେ ସଙ୍ଗେ କ୍ଷେତକୁ ଚାଲିଲେ । କ୍ଷେତରୁ ପାଣି ଜୋରରେ ବହି ଯାଉଥିଲା । ଏହା ଦେଖି ଆରୁଣି ହିଡ ବାନ୍ଧିବାକୁ ଚେଷ୍ଟା କଲେ । କିନ୍ତୁ ପାଣି ଏତେ ଜୋରରେ ବହୁଥିଲା ଯେ ସବୁ ମାଟିକୁ ଭସାଇ ନେଉଥିଲା । ଆରୁଣି ଶତଚେଷ୍ଟା କରି ମଧ୍ୟ ହିଡ ବାନ୍ଧି ନ ପାରିବାରୁ କୌଣସି ଉପାୟ ନ ପାଇ ପାଣି ଅଟକାଇବା ପାଇଁ ସେହି ହିଡରେ ଶୋଇଗଲେ । ଫଳରେ ପାଣି ବୋହିବା ବନ୍ଦ ହୋଇଗଲା । କିନ୍ତୁ ଆରୁଣି ବର୍ଷା ମାଡ ଖାଇ ଖାଇ ଅଚେତ୍ ହୋଇଯାଇଥିଲେ । ଦିନ ଯାଇ ରାତି ହେଲା, ଆରୁଣି ଆଶ୍ରମକୁ ନ ଫେରିବାରୁ ଋଷି ଧୌମ୍ୟଙ୍କର ଚିନ୍ତା ବଢିଗଲା । ସେ ତୁରନ୍ତ କ୍ଷେତ ନିକଟରେ ପହଞ୍ଚି ଦେଖିଲେ ଆରୁଣି ଅଚେତ୍ ଅବସ୍ଥାରେ ଶୋଇଛନ୍ତି । ଏହା ଦେଖି ଋଷି ଭାବବିହ୍ୱଳ ହୋଇଗଲେ । ଆଉ ତାଙ୍କୁ ଜୋରରେ କୁଣ୍ଢାଇ ଧରିଲେ।
ଗୁରୁ ଭକ୍ତି ଜୀବନଠାରୁ ବଡ ନୁହେଁ । ଯଦି ଜୀବନ ତ୍ୟାଗ କୌଣସି କଲ୍ୟାଣ ତଥା ଜନମଙ୍ଗଳ କାରି ଉଦେଶ୍ୟରେ ସମର୍ପିତ ହୁଏ ତେବେ ତାହା ବିଚାର ଯୋଗ୍ୟ ।