
ଭୁବନେଶ୍ୱର,୦୪/୦୯/୨୧ (ଜିଲ୍ଲା ଖବର) : ଆଜି ବିଧାନସଭା ମୌସୁମୀ ଅଧିବେଶନର ଚର୍ତୁର୍ଥ ଦିନ । ବିଧାନସଭାର ପ୍ରଶ୍ନକାଳରେ ଆଜି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଉପରେ ଆଲୋଚନା ହୋଇଛି । ରାଜ୍ୟରେ ଆଉ ୨୪ଟି ନୂଆ ଆଇଟିଆଇ ଖୋଲିବା ନେଇ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ।
ବର୍ତ୍ତମାନ ୪୯ ଟି ସରକାରୀ ଆଇଟିଆଇ ରହିଥିବାବେଳେ ୪୪୮ ଟି ବେସରକାରୀ ଆଇଟିଆଇ କଲେଜ ରହିଛି । ପିଲାଙ୍କୁ ଅଧିକରୁ ଅଧିକ ତାଲିମ ଦେବା ପାଇଁ ବିଭାଗ ଫୋକସ୍ କରୁଛି । ତାଲିମ ଦେବା ଉପରେ ପ୍ରାଧାନ୍ୟ ଦିଆଯାଉଛି, କିନ୍ତୁ ନିଯୁକ୍ତି କ୍ଷେତ୍ରରେ ଫୋକସ୍ ଦିଆଯାଉନି ବୋଲି ମନ୍ତ୍ରୀ କହିଛନ୍ତି ।
ପିଲାଙ୍କୁ ନିଯୁକ୍ତି ଦେବା କାର୍ଯ୍ୟ ସରକାରଙ୍କ ଦାୟୀ । ବିଭାଗ କେବଳ ତାଲିମ ଦେଇଥାଏ ବୋଲି ପ୍ରଶ୍ନକାଳରେ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରେମାନନ୍ଦ ନାୟକ । ସେହିଭଳି କର୍ମଜୀବୀ ମହିଳାଙ୍କ ପାଇଁ ହଷ୍ଟେଲ ଗଠନ କରିବାକୁ ପଦକ୍ଷେପ ନିଆଯାଉଛି । ସୁନ୍ଦରଗଡ, ଯାଜପୁର,ଖୋର୍ଦ୍ଧାରେ ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ବ୍ରହ୍ମପୁର ଓ ରାୟଗଡ଼ାରେ ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ନିର୍ମାଣ ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । କେଉଁଠାରେ ହଷ୍ଟେଲ ଆବଶ୍ୟକ ରହିଛି ସମସ୍ତ ଜିଲ୍ଲାପାଳଙ୍କୁ ପ୍ରସ୍ତାବ ଆଗତ କରାଯାଇଛି ।
ଆବଶ୍ୟକ ସ୍ଥଳେ ହଷ୍ଟେଲ ନିର୍ମାଣ କରାଯିବ । ୧୧ଟି ଶିଳ୍ପାଞ୍ଚଳରେ କେନ୍ଦ୍ରୀୟ ଯୋଜନାରେ ୩୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ପ୍ରସ୍ତାବ ଆଗତ କରାଯାଇଛି । କଟକରେ ବକ୍ସିବଜାର,ବଜ୍ରକବାଟି ରୋଡ଼ ସହ ୪ ଟି ସ୍ଥାନରେ କର୍ମଜୀବୀ ମହିଳାଙ୍କ ରହିବା ପାଇଁ ବିଭିନ୍ନ ଅନୁଷ୍ଠାନ ଥିବାବେଳେ ଆବଶ୍ୟକତା ଦୃଷ୍ଟିରୁ ହଷ୍ଟେଲ ନିର୍ମାଣ କରାଯିବ ବୋଲି ମହିଳା ଓ ଶିଶୁ ବିକାଶମନ୍ତ୍ରୀ ଉତ୍ତର ରଖିଛନ୍ତି ।


