Home ଆଞ୍ଚଳିକ ସବୁଜ ଶକ୍ତି କ୍ଷେତ୍ରରେ ବିଶ୍ୱର ନେତୃତ୍ୱ ନେବ ଭାରତ: ମୁକେଶ ଅମ୍ବାନି

ସବୁଜ ଶକ୍ତି କ୍ଷେତ୍ରରେ ବିଶ୍ୱର ନେତୃତ୍ୱ ନେବ ଭାରତ: ମୁକେଶ ଅମ୍ବାନି

11

ଭୁବନେଶ୍ୱର,୦୪/୦୯/୨୧ (ଜିଲ୍ଲା ଖବର) : ଆନ୍ତର୍ଜାତିକ ଜଳବାୟୁ ଶିଖର ସମ୍ମିଳନୀକୁ ଭର୍ଚୁଆଲ୍ ମାଧ୍ୟମରେ ସମ୍ବୋଧିତ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନି କହିଛନ୍ତି ଯେ ଜଳବାୟୁ ଦୃଷ୍ଟିରୁ ଭାରତ ଓ ଦୁନିଆ ଏବେ କଠିନ ସମୟ ଦେଇ ଗତି କରୁଛି । ବିଶ୍ୱ ତାପନ (ଗ୍ଲୋବାଲ୍ ୱାର୍ମିଂ)ର ବିପଦ ଆମ ସାମ୍ନାରେ ରହିଛି । ଏଭଳି ଏକ ସମୟରେ ଆମ ପାଖରେ ଏକମାତ୍ର ବିକଳ୍ପ ରହିଛିଯାଇଛି, ତାହା ହେଉଛି ଦ୍ରୁତ ଗତିରେ ସବୁଜ, ସ୍ୱଚ୍ଛ ଓ ଅକ୍ଷୟ ଶକ୍ତିକୁ ଗ୍ରହଣ କରିବା । ଏହି ବିପଦକୁ ସୁଯୋଗରେ ପରିଣତ କରି ଭାରତକୁ ସବୁଜ ଶକ୍ତି କ୍ଷେତ୍ରରେ ବିଶ୍ୱର ନେତୃତ୍ୱ
ନେବାକୁ ପଡ଼ିବ ।

ପ୍ରଧାନମନ୍ତ୍ରୀଙ୍କ ଗ୍ରିନ୍ ହାଇଡ୍ରୋଜେନ୍ ମିସନ ସମ୍ପର୍କରେ ଉଲ୍ଲେଖ କରି ମୁକେଶ ଅମ୍ବାନି କହିଛନ୍ତି ଯେ ଏହା ହେଉଛି ଏକ ଦ୍ୱେତ ରଣନୀତି । ଗୋଟିଏ ପଟେ ଅଶୋଧିତ ତୈଳ ଉପରେ ଭାରତର ନିର୍ଭରଶୀଳତା ହ୍ରାସ ପାଇବ ଓ ଦ୍ୱିତୀୟରେ ଭାରତ ବିଶ୍ୱ ପ୍ରୟାସର ନେତୃତ୍ୱ ନେଇ ବିଶ୍ୱରେ ଅଗ୍ରଣୀ ରହିବ । ଭାରତର ୭୫ତମ ସ୍ୱାଧୀନତା ଦିବସ ଅର୍ଥାତ “ସ୍ୱାଧୀନତାର ଅମୃତ ମହୋତ୍ସବ’ ଅବସରରେ ଏହି ମିସନର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ଦେଶ ଓ ସାରା ଦୁନିଆକୁ ସବୁଜ ଶକ୍ତି ଆପଣେଇବାକୁ ଆହ୍ୱାନ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ନିକଟରେ ୧୦୦ ଗିଗାୱାଟ୍ ଅକ୍ଷୟ ଶକ୍ତି ଲକ୍ଷ୍ୟ ହାସଲ କରିସାରିଛି । ୨୦୨୨ ସୁଦ୍ଧା ୧୭୫ ଗିଗାୱାଟ୍ ଲକ୍ଷ୍ୟ ପ୍ରତି ଆମେ ଦୃଢ଼ ଭାବେ ଅଗ୍ରସର ହେଉଛୁ ।

ଭାରତ କିଭଳି ସବୁଜ ଶକ୍ତି କ୍ଷେତ୍ରରେ ବିଶ୍ୱର ଅଗ୍ରଣୀ ରହିପାରିବ ସେ ଉପରେ ନିଜର ମତପ୍ରକାଶ କରି ମୁକେଶ ଅମ୍ବାନୀ କହିଛନ୍ତି ଯେ ଭାରତୀୟ ଉପମହାଦେଶରେ ପ୍ରଚୁର ମାତ୍ରାରେ ସବୁଜ ଶକ୍ତିର ସମ୍ବଳ ଉପଲବ୍ଧ ରହିଛି । ଏଠାରେ ସୂର୍ଯ୍ୟ ଦେବ ଓ ବାୟୁ ଦେବ ପ୍ରଚୁର ମାତ୍ରାର ଶକ୍ତି ପ୍ରଦାନ କରୁଛନ୍ତି । ବର୍ଷର ୩୦୦ ଦିନ ଖରା ହେଉଛି । ଦେଶର ମାତ୍ର ୦.୦୫% ଜମିକୁ ବ୍ୟବହାର କରି ସହଜରେ ୧୦୦୦ ଗିଗାୱାଟ୍ ସୌର ଶକ୍ତି ଉତ୍ପନ୍ନ କରାଯାଇପାରିବ । ଟୁ-ୱେ ଗ୍ରିଡ୍‌, ମାଇକ୍ରୋ ଗ୍ରିଡ୍ ଓ ଉତମ ଶକ୍ତି ସଂରକ୍ଷଣ ସମାଧାନକୁ ବ୍ୟବହାର କରି ଏବଂ ସ୍ମାର୍ଟ ମିଟରରେ ନିବେଶ କରି ଆମେ ସାଧାରଣ ଜନତାଙ୍କ ନିକଟରେ ଶକ୍ତି ପହଂଚାଇପାରିବା । ଭାରତ ସରକାର ଦେଶରେ ଏକ ସବୁଜ ହାଇଡ୍ରୋଜେନ୍ ପରିବ୍ୟବସ୍ଥା ବା ଇକୋସିଷ୍ଟମ୍ ତିଆରି କରିବାର ଯୋଜନା ରଖିଛନ୍ତି ଯାହା ବ୍ୟାପକ ପୁଞ୍ଜିନିବେଶ ଆକର୍ଷିତ
କରିବ ବୋଲି ସେ କହିଛନ୍ତି ।

ସବୁଜ ଶକ୍ତି ପ୍ରତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ପ୍ରତିବଦ୍ଧତାକୁ ଦୋହରାଇ ମୁକେଶ ଅମ୍ବାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ନୂଆ ଶକ୍ତି ବ୍ୟବସାୟ ରୋଡମ୍ୟାପ୍‌କୁ ଉପସ୍ଥାପନ କରିଛନ୍ତି । ସେ କହିଛନ୍ତି ଯେ ଜାମନଗରରେ ଆମେ ୫୦୦୦ ଏକର ଜମିରେ ଧୀରୁଭାଇ ଗ୍ରିନ୍ ଏନର୍ଜି ଗିଗା କମ୍ପେ୍ଲକ୍ସ ବିକଶିତ କରିବା କାର୍ଯ୍ୟ ଆରମ୍ଭ କରିଦେଇଛୁ । ଏହା ଦୁନିଆର ଅନ୍ୟତମ ସର୍ବବୃହତ୍ ଏକୀତୃତ ଅକ୍ଷୟ ଶକ୍ତି ଉତ୍ପାଦନ ପରିସର
ହେବ । ଏହି ପରିସରରେ ଚାରିଗୋଟି ଗିଗା ଫ୍ୟାକ୍ଟ୍ରି ରହିବ ଯାହା ମଧ୍ୟରେ ଅକ୍ଷୟ ଶକ୍ତିର ସବୁ ପ୍ରକାର ବ୍ୟବସ୍ଥା ରହିବ । ଏଥିରେ ପ୍ରଥମେ ଏକ ଏକୀକୃତ ସୋଲାର ଫଟୋଭୋଲ୍‌ଟାଇକ୍ ମଡ୍ୟୁଲ୍ କାରଖାନା ହେବ । ଦ୍ୱିତୀୟରେ ଏକ ଶକ୍ତି ସଂରକ୍ଷଣ ବ୍ୟାଟେରି କାରଖାନା ରହିବ ।
ତୃତୀୟରେ ସବୁଜ ହାଇଡ୍ରୋଜେନ୍ ଉତ୍ପାଦନ ଲାଗି ଏକ ଇଲେକ୍ଟ୍ରୋଲାଇଜର୍ କାରଖାନା ହେବ । ଚତୁର୍ଥରେ ହାଇଡ୍ରୋଜେନ୍‌କୁ ଶକ୍ତିରେ ରୂପାନ୍ତରିତ କରିବା ଲାଗି ଏକ ଇନ୍ଧନ ସେଲ୍ କାରଖାନା ରହିବ । ଆସନ୍ତା ତିନି ବର୍ଷରେ ଏଥିପାଇଁ ରିଲାଏନ୍ସ ୭୫,୦୦୦ କୋଟି ଟଙ୍କା
ନିବେଶ କରିବ ବୋଲି ସେ କହିଛନ୍ତି ।

୨୦୩୦ ସୁଦ୍ଧା ୪୫୦ ଗିଗାୱାଟ୍ ଅକ୍ଷୟ ଶକ୍ତି କ୍ଷମତା ହାସଲ କରିବାକୁ ପ୍ରଧାନମନ୍ତ୍ରୀ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଏଥିରେ ଯୋଗଦାନ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ୨୦୩୦ ସୁଦ୍ଧା ଅତିକମ୍‌ରେ ୧୦୦ ଗିଗାୱାଟ୍‌ର ସୌର ଶକ୍ତି ଉତ୍ପାଦନ କ୍ଷମତା ସ୍ଥାପନ କରିବ ବୋଲି ସେ କହିଛନ୍ତି ।

ସବୁଜ ହାଇଡ୍ରୋଜେନ୍‌କୁ ସବୁଠ ସୁଲଭ ଇନ୍ଧନରେ ପରିଶତ କରିବା ଲାଗି ସାରା ବିଶ୍ୱରେ ଉଦ୍ୟମ ଜାରି ରହିଛି । ଏହାର ବ୍ୟବହାର ମୂଲ୍ୟକୁ କିଲୋଗ୍ରାମ ପିଛା ଦୁଇ ଡଲାରରୁ କମ୍ ରଖିବାକୁ ପ୍ରୟାସ କରାଯାଉଛି । ମୁକେଶ ସମସ୍ତଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ଯେ ଏହି ଦଶନ୍ଧିର ଶେଷ ହେବା ପୂର୍ବରୁ ରିଲାଏନ୍ସ ଏହି ଲକ୍ଷ୍ୟ ହାସଲ କରିବ । ଭାରତ ଗୋଟିଏ ଦଶକରେ ଏକ ଡଲାରରେ ଏକ କିଲୋଗ୍ରାମ୍ ଲକ୍ଷ୍ୟକୁ ମଧ୍ୟ
ହାସଲ କରିପାରିବ ଏବଂ ଏହା କରିବାରେ ଭାରତ ବିଶ୍ୱର ପ୍ରଥମ ଦେଶ ହୋଇପାରିବ ବୋଲି ସେ ଦୃଢ ଆଶା ପୋଷଣ କରିଛନ୍ତି ।