
୦୩/୦୯/୨୧ (ଜିଲ୍ଲା ଖବର) : ACF ସୌମ୍ୟ ମୃତ୍ୟୁ ମାମଲାରେ ଗିରଫ ହୋଇପାରନ୍ତି ସ୍ତ୍ରୀ ବିଦ୍ୟାଭାରତୀ । ବିଦ୍ୟାଙ୍କୁ ତାଙ୍କ ଘରେ ମାରାଥନ୍ ଜେରା କରିଛି କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ । ପ୍ରାୟ 6 ଘଣ୍ଟାରୁ ଅଧିକ ସମୟ ଧରି ଜେରା କରାଯାଇଥିବା ବେଳେ ୭୦ଟି ପ୍ରଶ୍ନ କରିଥିଲା କ୍ରାଇମବ୍ରାଞ୍ଚ । ଆବଶ୍ୟକ ପଡ଼ିଲେ ଆଜି ବି ବିଦ୍ୟାଭାରତୀଙ୍କୁ ଜେରା କରାଯାଇପାରେ ବୋଲି କ୍ରାଇବ୍ରାଞ୍ଚ ପକ୍ଷରୁ କୁହାଯାଇଛି ।
ତେବେ ତାଙ୍କ ଠାରୁ କଣ ସୁରକା ମିଳିଛି ଏନେଇ କିଛି ଖୁଲାସା କରିନାହିଁ କ୍ରାଇମବ୍ରାଞ୍ଚ ଟିମ୍ ।ଅନ୍ୟପଟେ କ୍ରାଇମବ୍ରାଞ୍ଚର ତଦନ୍ତକୁ ନେଇ ଖୁସି ନାହାନ୍ତି ସୌମ୍ୟଙ୍କ ପରିବାର ଲୋକେ । ବିଦ୍ୟାଙ୍କୁ ଥାନାରେ ଜେରା ନକରି କାହିଁକି ତାଙ୍କ ଘରେ ଜେରା କରାଗଲା ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟଙ୍କ ଭାଇ । ଜେରା ପରେ ମଧ୍ୟ ବିଦ୍ୟାଙ୍କୁ କାହିଁକି ଗିରଫ କରାଯାଉ ନାହିଁ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ଭରସା ନଥିବା ବେଳେ ସିବିଆଇ ତଦନ୍ତ କରିବାକୁ ଦାବି କରିଛନ୍ତି ସୌମ୍ୟଙ୍କ ଭାଇ । ସେପଟେ ମନ୍ତ୍ରୀ ଓ ବଡ଼ବଡ଼ିଆ ବାବୁମାନେ DFO ଓ ବିଦ୍ୟାଙ୍କୁ ଘଣ୍ଟ ଘୋଡ଼ାଇ ରଖିଥିବା କହିଛନ୍ତି ସୌମ୍ୟଙ୍କ ମାଆ ।
ସୌମ୍ୟଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସନ୍ଦେହ ଘେରରେ ଅଛନ୍ତି ସ୍ତ୍ରୀ ବିଦ୍ୟାଭାରତୀ ଏବଂ ଡିଏଫଓ ସଂଗ୍ରାମ କେଶରୀ ବେହେରା । DFOଙ୍କୁ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୁରକ୍ଷା ଦେଉଥିବା ଅଭିଯୋଗ ଆଣିଛନ୍ତି ସୌମ୍ୟଙ୍କ ପରିବାର । ଏବେ ପ୍ରଶ୍ନ ଉଠୁଛି, ତଦନ୍ତ ପରିସରଭୁକ୍ତ ହେବେ କି ଜଙ୍ଗଲମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ? ଡିଏଫଓ, ରୋଷେୟା ଓ ବିଦ୍ୟାଭାରତୀଙ୍କୁ କେବେ ମୁହାଁମୁହିଁ ଜେରା କରିବ କ୍ରାଇମବ୍ରାଞ୍ଚ ? ସେଦିନ ଘଟଣାସ୍ଥଳରେ ଉପସ୍ଥିତ ଥିବା ଜିଲ୍ଲାପାଳ ହେବେ କି ତଦନ୍ତ ପରିସରଭୁକ୍ତ ?



