
ନୂଆଦିଲ୍ଲୀ, ୦୧/୦୯/୨୧ (ଜିଲ୍ଲା ଖବର) : ଜଳାଶୟର ୫୦ ମିଟର ପରିଧି ମଧ୍ୟରେ ଆଉ ହୋଇ ପାରିବ ନାହିଁ ପେଟ୍ରୋଲ ପମ୍ପ୍। ଏ ନେଇ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ (ସିପିସିବି) ନିର୍ଦ୍ଦେଶ ଜାରି ହୋଇଛି। ପୂର୍ବ ମାର୍ଗଦର୍ଶିକାରେ ଉପରୋକ୍ତ ସଂଶୋଧନ କରାଯାଇଛି।
ଓଡ଼ିଶା ସମେତ ଦେଶର ସମସ୍ତ ରାଜ୍ୟର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡମାନଙ୍କୁ ସଂଶୋଧିତ ମାର୍ଗଦର୍ଶିକା ପଠାଇ ଦେଇଛି ସିପିସିବି। ଜଳାଶୟର ୫୦ ମିଟରରୁ କମ୍ ଦୂରତାରେ ପେଟ୍ରୋଲ ପମ୍ପ୍ ରହିବା ହେତୁ ଜଳ ପ୍ରଦୂଷଣ ହେଉଛି ବୋଲି ପ୍ରଥମେ ଆକଳନ କରାଯାଇଥିଲା। ଏଥିପାଇଁ ‘ସିପିସିବି’ ଜନମତ ଲୋଡ଼ିଥିଲା।
ଜନସାଧାରଣଙ୍କ ମତାମତକୁ ‘ସିପିସିବି’ ବିଶେଷଜ୍ଞ କମିଟିକୁ ପଠାଇଥିଲା। ସେ ସବୁକୁ ସମୀକ୍ଷା କରି ବିଶେଷଜ୍ଞ କମିଟି ମାର୍ଗଦର୍ଶିକାରେ ସଂଶୋଧନ କରିବା ପାଇଁ ପ୍ରସ୍ତାବ ଦେଇଥିଲା। ଉକ୍ତ ମାର୍ଗଦର୍ଶିକାକୁ ସଂଶୋଧନ କରି ‘ସିପିସିବି’ ରାଜ୍ୟମାନଙ୍କୁ ଉପରୋକ୍ତ ଆଦେଶ ଜାରି କରିଛି।
ରାଜସ୍ବ ରେକର୍ଡରେ ଯେଉଁ ସବୁ ଚିହ୍ନିତ ଜଳାଶୟ ରହିଛି ଏହାର ସୁରକ୍ଷାକୁ ପ୍ରାଥମିକତା ଦିଆଯିବ। ୫୦ ରୁ ୧୦୦ ମିଟର ଦୂରତାରେ ବସା ଯିବାକୁ ଥିବା ପେଟ୍ରୋଲ ପମ୍ପ୍ ପାଇଁ ଡବଲ୍ କାନ୍ଥ ନଚେତ ଟ୍ୟାଙ୍କ୍ ପାର୍ଶ୍ବରେ କାନ୍ଥ ଉଠାଇବା ପାଇଁ ‘ସିପିସିବି’ ପକ୍ଷରୁ କୁହାଯାଇଛି।



