
ଭୁବନେଶ୍ୱର,୦୧/୦୯/୨୧ (ଜିଲ୍ଲା ଖବର) : ଆଜିଠୁ ଆରମ୍ଭ ହେଉଛି ବିଧାନସଭା ମୌସୁମୀ ଅଧିବେଶନ । ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ୍ ୮ ଟି କାର୍ଯ୍ୟ ଦିବସ ରହିଛି । ପ୍ରଥମ ଦିନରେ ୭ ଟି ବିଲ୍ ଓ ଗୋଟିଏ ଅଧ୍ୟାଦେଶ ଗୃହରେ ଉପସ୍ଥାପନ ହେବ । ସ୍ପଳ୍ପକାଳୀନ ଏହି ଅଧିବେଶନରେ ସରକାର ଆଣିବେ ୧୨ ଟି ବିଲ୍ । ପଞ୍ଚାୟତ ଆଇନ୍ ସଂଶୋଧନ ବିଲ୍ ସହ ଅନ୍ୟ କିଛି ବିଲ୍ ମଧ୍ୟ ଗୃହର ଅନୁମୋଦନ ପାଇଁ ଆଗତ ହୋଇପାରେ ।
ବିଧାନସଭା ଅଧିବେଶନ କମ୍ ଥିଲେ ମଧ୍ୟ ଗୃହ ସରଗରମ ହେବା ନିଶ୍ଚିତ ବୋଲି ଜଣାପଡୁଛି । ପ୍ରଥମ ଦିନରୁ ଶାସକ ଓ ବିରୋଧୀ ମୁହାଁମୁହିଁ ହେବେ ବୋଲି ତିନି ଦଳର ହୋଇଥିବା ବିଧାୟକ ଦଳ ବୈଠକରୁ ସଙ୍କେତ ମିଳିଛି । ବିରୋଧୀଙ୍କ ହାତରେ ମାଳ ମାଳ ପ୍ରସଙ୍ଗ ଥିବାବେଳେ ମୁଖ୍ୟ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବେ । କିଛି ପ୍ରସଙ୍ଗ ସମାନ ଥିବା ବେଳେ ବିରୋଧୀ ଦଳର ସ୍ବର ଏକ ହେଲେ ସରକାର ଅଡୁଆରେ ପଡିବାର ସମ୍ଭାବନା ରହିଛି ।


