Wednesday, November 11, 2026
Home ଆଞ୍ଚଳିକ ଆଜିଠୁ ରାଜ୍ୟରେ ଲାଗୁ ହେବ ସେପ୍ଟେମ୍ବର ଗାଇଡଲାଇନ୍

ଆଜିଠୁ ରାଜ୍ୟରେ ଲାଗୁ ହେବ ସେପ୍ଟେମ୍ବର ଗାଇଡଲାଇନ୍

8

ଭୁବନେଶ୍ୱର, ୦୧/୦୯/୨୧ (ଜିଲ୍ଲା ଖବର) : ଆଜିଠୁ ରାଜ୍ୟରେ ଲାଗୁହେବ ସେପ୍ଟେମ୍ବର ମାସ ପାଇଁ ନୂଆ ଗାଇଡଲାଇନ୍ । ସେପ୍ଟେମ୍ବର ମାସ ପାଇଁ କରୋନା କଟକଣାକୁ କୋହଳ କରିଛନ୍ତି ରାଜ୍ୟ ସରକାର । ତିନୋଟି ଜିଲ୍ଲା ଖୋର୍ଦ୍ଧା, କଟକ ଏବଂ ପୁରୀରେ ଜାରି ରହିଥିବା ସପ୍ତାହାନ୍ତ ସଟଡାଉନକୁ ହଟାଇ ଦେଇଛନ୍ତି । ସେହିପରି ନାଇଟ୍ କର୍ଫ୍ୟୁ ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ ଜେନା କହିଛନ୍ତି ଯେ ଏଣିକି ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସବୁ ପୌରାଞ୍ଚଳରେ ରାତ୍ରିକାଳୀନ କର୍ଫ୍ୟୁ ରହିବ ।

ପୂର୍ବରୁ ରାତି ୮ଟାରୁ ନାଇଟ୍ କର୍ଫ୍ୟୁ ଅବଧି ଆରମ୍ଭ ହେଉଥିବା ବେଳେ ଏହି ସମୟକୁ ରାତି ୧୦ଟାକୁ ଘୁଞ୍ଚାଇ ଦେଇଛନ୍ତି ସରକାର । ସେହିପରି ରାଜ୍ୟର ସବୁ ସ୍ଥାନରେ ସପ୍ତାହାନ୍ତ ସଟଡାଉନ ଉଠିଯାଇଛି । ସକାଳ ୫ଟାରୁ ରାତି ୧୦ଟା ଯାଏଁ ଖୋଲିପାରିବ ସମସ୍ତ ମଲ୍ ଏବଂ ଦୋକାନ ବଜାର । କୋଭିଡ କଟକଣା ସହ ରାଜ୍ୟରେ ଥିବା ଫିଲ୍ମ ହଲ, ଥିଏଟର ଆଦି ଖୋଲିପାରିବ । ତେବେ ଧାର୍ମିକ ଏବଂ ରାଜନୈତିକ ସମାବେଶ ଉପରେ କଟକଣା ଜାରି କରାଯାଇଛି । ଆଗକୁ ପାର୍ବଣଋତୁ ଥିବାରୁ, ଗତ ଅଗଷ୍ଟ ୯ରେ ଘୋଷିତ ଗାଇଡଲାଇନ ଅନୁଯାୟୀ ପୂଜାପାର୍ବଣ ଆୟୋଜନ କରାଯାଇପାରିବ ବୋଲି ଏସଆରସି କହିଛନ୍ତି ।