
୦୧/୦୯/୨୧ (ଜିଲ୍ଲା ଖବର) : ଆଉ କିଛି ଦିନ ପରେ ଧରାବତରଣ କରିବେ ବିଘ୍ନ ବିନାଶକ ଶ୍ରୀ ଗଣେଶ । ଉତ୍ସାହର ସହ ସମସ୍ତେ ଅନାଇ ବସିଛନ୍ତି । ଆଜି ଧର୍ମକଥାରେ ଆମେ ଭଗବାନ ଗଣେଶଙ୍କ ବିଷୟରେ ଜାଣିବା। କାହିଁକି ସର୍ବ ପ୍ରଥମେ ଗଣେଶଙ୍କୁ ପୂଜା କରାଯାଏ ?
ଗଣେଶ, ଗଣପତି, ବିନାୟକ ସବୁଠାରୁ ଅଧିକ ପୂଜିତ ହେଉଥିବା ହିନ୍ଦୁ ଦେବତା । ସେ ମହାଦେବ ଶିବ ଓ ଦେବୀ ପାର୍ବତୀଙ୍କର ସାନ ପୁଅ ଓ କାର୍ତ୍ତିକେୟଙ୍କର ସାନ ଭାଇ । ତାଙ୍କର ବାହନ ମୂଷିକ । ଯାହା ସମସ୍ତେ ଜାଣନ୍ତି । ଗଣେଶଙ୍କର ପ୍ରତିକୃତି ଭାରତ ଓ ନେପାଳରେ ସର୍ବତ୍ର ପରିଦୃଷ୍ଟ ହୁଏ। ହିନ୍ଦୁମାନେ ଜାତି, ଭାଷା, ବର୍ଣ ନିର୍ବିଶେଷରେ ଗଣେଶଙ୍କୁ ପୂଜା କରିଥାନ୍ତି। ଏପରିକି ଜୈନ, ବୌଦ୍ଧ ଧର୍ମର ତଥା ଅଣଭାରତୀୟମାନେ ମଧ୍ୟ ଗଣେଶଙ୍କ ଉପାସନା କରିଥାନ୍ତି। ଶାସ୍ତ୍ରରେ ୩୨ ପ୍ରକାର ଗଣେଶଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ।
ଅନେକ ବିଶେଷତ୍ୱ ମଧ୍ୟରୁ ଗଣେଶ ତାଙ୍କର ହାତୀ ମୁଣ୍ଡ ଯୋଗୁ ସହଜରେ ଚିହ୍ନା ପଡ଼ନ୍ତି । ବିଘ୍ନ ନାଶକ ରୂପେ ସେ ସର୍ବତ୍ର ପୂଜିତ ହୁଅନ୍ତି । କଳା, ବିଜ୍ଞାନର ଓ ବୁଦ୍ଧିମତ୍ତାର ଦେବତା ଓ ସଂରକ୍ଷକ ରୂପେ ସେ ପରିଚିତ । ଆଦି ଦେବତା ହିସାବରେ ପ୍ରତ୍ୟେକ ଶୁଭ କାର୍ଯ୍ୟ, ପୂଜା, ଲେଖାପଢ଼ା ଓ ଧାର୍ମିକ କ୍ରିୟା ଆରମ୍ଭରେ ତାଙ୍କର ଆବାହନ କରାଯାଏ । ତାଙ୍କୁ ପଞ୍ଚଦେବତା ମାନଙ୍କ ମଧ୍ୟରୁ ଜଣେ ବୋଲି କୁହାଯାଏ।
ହିନ୍ଦୁ ଧର୍ମରେ ଯେ କୌଣସି ଶୁଭ କାର୍ଯ୍ୟରେ ପ୍ରଥମେ ଗଣେଶଙ୍କୁ ପୂଜା କରିବାର ବିଧି ରହିଛି। କାରଣ ଗଣେଣଙ୍କର ଅନ୍ୟନାମ ହେଉଛି ବିଘ୍ନବିନାଶକ। ଅର୍ଥାତ୍ କୌଣସି କାମ ଆରମ୍ଭ କରିବା ପୂର୍ବରୁ ଯଦି ଗଣେଣଙ୍କର ପୂଜା କରାଯାଏ ତେବେ ସମସ୍ତ ବିଘ୍ନ ବିନାଶ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଶିବ ପୁରାଣରେ ବି ଏହାକୁ ନେଇ ବର୍ଣ୍ଣନା ରହିଛି। ଏହି ପୁରାଣ ଅନୁଯାୟୀ ଥରେ ସମସ୍ତ ଦେବତା ଭଗବାନ ଶିବଙ୍କ ପାଖକୁ ଆସି ଗୁହାରି କରିଥିଲେ କି ଦେବତାଙ୍କ ମଧ୍ୟରେ ଜଣଙ୍କୁ ମୁଖିଆ ଭାବରେ ଚୟନ କରାଯାଉ। ଶିବ ମଧ୍ୟ ଦେବତାଗଣଙ୍କ ପ୍ରସ୍ତାବରେ ରାଜି ହୋଇ ଯାଇଥିଲେ। ଶିବ କହିଥିଲେ ଯିଏ ସର୍ବ ପ୍ରଥମେ ପୃଥିବୀକୁ ୩ ଥର ପରିକ୍ରମା କରିବେ ସେହି ଦେବତାଙ୍କୁ ସର୍ବ ପ୍ରଥମେ ପୂଜା କରାଯିବା ସହ ତାଙ୍କୁ ଦେବତାଙ୍କର ସ୍ୱାମୀ ଭାବେ ପରିଗଣିତ କରାଯିବ। ତେବେ ଗଣେଶଙ୍କ ବାହନ ମୂଷିକ ହୋଇଥିବା ବେଳେ ସେ ବହୁ ଧୀର ବେଗରେ ଗତି କରିଥାଏ। ତେଣୁ ଗଣେଶ କେବେବି ଶୀଘ୍ର ପୃଥିବୀ ପରିକ୍ରମା କରିପାରିବେ ନାହିଁ ବୋଲି ଭାବି୍ଥିଲେ।
ଏତିକିବେଳେ ସେ ତାଙ୍କର ବୁଦ୍ଧି ଖଟାଇ ମାତା ପାର୍ବତୀ ଓ ପିତା ମହାଦେବଙ୍କ ଚାରିପଟେ ୩ଥର ବୁଲି ଆସି ହାତଯୋଡ଼ି ଦେବତାମାନଙ୍କ ଅେଗରେ ଠିଆ ହୋ ଯାଇଥିଲେ। ଆଉ ଏହା ଦେଖିବା ପରେ ଶିବ କହିଥିଲେ ତୁମଠାରୁ ଚତୁର ବା ବୁଦ୍ଧିମାନ ଏହି ସଂସାରରେ ଆଉ କେହି ନାହିଁ। ମାତାପିତାଙ୍କୁ ପରିକ୍ରମା କରିବାର ଅର୍ଥ ହେଉଛି ତିନି ଲୋକଙ୍କୁ ପରିକ୍ରମା କରିବା। ତେଣୁ ଆଜିଠାରୁ ମନୁଷ୍ୟ ତାର ସମସ୍ତ ଭୁଶ କାର୍ଯ୍ୟର ଆରମ୍ଭରେ ତୁମର ହିଁ ପୂଜା କରିବ । ଆଉ ସେବେଠାରୁ ଗଣେଶଙ୍କୁ ଆଦ୍ୟ ପୂଜ୍ୟ ଦେବତା କୁହାଯିବା ସହ ସବୁ ଶୁଭ କାମରେ ପ୍ରଥମେ ଗଣେଶଙ୍କୁ ପୂଜା କରାଯାଇଥାଏ।


