
ଗୁଣୁପୁର,୩୧/୮(ଜିଲ୍ଲା ଖବର):
ବଂଶଧାରା ଚିରସ୍ରୋତା ନଦୀ କିନ୍ତୁ ଦୁଃଖର ବିଷୟ ଏହିକିଯେ ନଦୀଜଳର ସଦୁପଯୋଗ ହେଇପାରୁନାହିଁ l ଯଦି ନଦୀଟିର ଉପର ମୁଣ୍ଡରେ ଡ୍ୟାମ ଟିଏ ନିର୍ମାଣ କରାଯାଇ ପାରନ୍ତା ତାହେଲେ ରାୟଗଡା ଜିଲ୍ଲାର ଅଧିକାଂଶ ଅଞ୍ଚଳର ଚାଷଜମିକୁ ଜଳସେଚିତ କରିପାରିଥାନ୍ତା,ବିଦ୍ୟୁତ ଶକ୍ତି ଉତ୍ପାଦନ, ମତ୍ସ୍ୟ ଉତ୍ପାଦନ,ପର୍ଯ୍ୟଟନ ବିକାଶ ଭଳି ଅନେକ ପରିବର୍ତ୍ତନ ହୋଇ ପାରନ୍ତା । କିନ୍ତୁ ଦୀର୍ଘ ବର୍ଷହେଲା ସରକାର ଏଥିପ୍ରତି ଦୃଷ୍ଟି ନଦେବା ପରିତାପର ବିଷୟ l ଏ ନେଇ ଗୁଣୁପୁର ଅଂଚଳର ବୁଦ୍ଧିଜୀବୀ ମାନେ ବହୁ ବର୍ଷଧରି ଦାବି କରୁଥିଲେ ମଧ୍ୟ୍ୟ ଦାବି ପୂରଣ ହୋଇପାରିନାହିଁ l ଆନ୍ଧ୍ରାସରକାର ନଦୀର ତଳ ମୁଣ୍ଡରେ ତିନୋଟି ପ୍ରୋକଳ୍ପ କରି ଫାଇଦା ନେଉଥିବା ବେଳେ ଓଡିଶା ସରକାର ଗୋଟିଏ ବି ପ୍ରୋକଳ୍ପ ନିର୍ମାଣ କରିବାରେ ଆଜିପର୍ଯ୍ୟନ୍ତ ସଫଳ ହୋଇପାରିନାହିଁ l ସମ୍ପ୍ରତି ପରିସ୍ଥିତିରେ ଜଳବାୟୁର ପରିବର୍ତ୍ତନ,ଜଳ ସଙ୍କଟ ଦେଇ ବିଶ୍ୱ ଗତି କରୁଥିବା ବେଳେ, ପ୍ରକଳ୍ପ ନିର୍ମାଣ ଦାବୀ ଯଥାର୍ଥ । ନଦୀ ବହୁଳ ଦେଶ ଭାରତ । ବିଭିନ୍ନ ରାଜ୍ୟରେ ବିଭିନ୍ନ ଚିରସ୍ରୋତା ନଦୀରେ ଅନେକ ପ୍ରକଳ୍ପ କାର୍ଯ୍ୟ ସମ୍ପାଦନ ହୋଇଥିଲେ ମଧ୍ୟ ଓଡିଶା ସରକାର ଏହି ପ୍ରକଳ୍ପ ପ୍ରତି ଅନ୍ଧ ପୁଟୁଳି ବାନ୍ଧି ବସିରହିବାଏକ ପରିତାପର ବିଷୟ । ଏଣୁ ଗୁଣୁପୁର ଅଞ୍ଚଳର ଲୋକେ ବାଧ୍ୟ ହୋଇ ବଂଶଧାରା ଉପର ମୁଣ୍ଡରେ ପ୍ରକଳ୍ପ ନିର୍ମାଣ କରିବାକୁ ଦାବୀ ରଖିଛନ୍ତି । ବଂଶଧାରା ସୁରକ୍ଷା ସମିତି ପକ୍ଷରୁ ଗତ ଅଗଷ୍ଟ ପହିଲାରୁ ଏହି ଦାବୀ ନେଇ ସହରର ବିଭିନ୍ନ ସଙ୍ଗଠନ ପକ୍ଷରୁ ନୀରବ ଶୋଭାଯାତ୍ରା ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ସ୍ମାରକପତ୍ର ପ୍ରଦାନ, ଗୁଡାରି ପାଣି ଡଙ୍ଗର ଗ୍ରାମରୁ ଗଜପତି ଜିଲ୍ଲା ପାଲସିଙ୍ଗ ପର୍ଯ୍ୟନ୍ତ ପଦଯାତ୍ରା କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଦୀର୍ଘ ଦୁଇମାସ ଧରି ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଆଜିପର୍ଯ୍ୟନ୍ତ ରାଜ୍ୟ ସରକାର ଏହି ଦାବୀ ସମ୍ପର୍କରେ ନୀରବ ରହିବା ଅଞ୍ଚଳବାସୀଙ୍କୁ ଚକିତ କରିଛି । ଆଜି ଶେଷ ଦିନରେ ବଂଶଧାରା ସୁରକ୍ଷା ସମିତିର ଆହ୍ୱାନରେ ଧାରଣାରେ ଯୋଗ ଦେଇଥିଲେ ପଦ୍ମଶ୍ରୀ ଶାନ୍ତି ଦେବୀ । ଦୀର୍ଘ ବର୍ଷଧରି ବଂଶଧାରା ପ୍ରକଳ୍ପ ପାଇଁ ଦାବୀ ହୋଇ ଆସୁଛି, ଏହି ଦାବୀ ଯଥାର୍ଥ. ତେଣୁ ସରକାର ବିଳମ୍ବ ନକରି ତୁରନ୍ତ ଉପର ମୁଣ୍ଡରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କରନ୍ତୁ ବୋଲି ପ୍ରକାଶ କରିଛନ୍ତି । ବଂଶଧାରା ଟ୍ରିବ୍ୟୁନାଲ ରାୟପରେ ଆନ୍ଧ୍ର ସରକାର ନିଜ ରାଜ୍ୟରେ ବଂଶଧାରାରେ ତିନିଟି ପ୍ରକଳ୍ପ କରି ପାଣିର ସଦବିନିଯୋଗ କରୁଥିବା ବେଳେ, ଓଡ଼ିଆ ସରକାର ବଂଶଧାରାର ଉପର ମୁଣ୍ଡରେ ଗୋଟିଏ ବି ପ୍ରକଳ୍ପ ନିର୍ମାଣ ନ କରିବା ଦୁର୍ଭାଗ୍ୟ ଜନକ ବୋଲି କୁହାଯାଇଛି । ଫଳରେ ବଂଶଧାରା ତଟବର୍ତ୍ତି ଅଞ୍ଚଳରେ ଏବେ ବିପଦ ଦେଖାଦେଇଛି । ଏଠାରେ ବର୍ଷାଦିନେ ବନ୍ୟା ଓ ଗ୍ରୀଷ୍ମ ଋତୁରେ ଜଳସଙ୍କଟ ପରିସ୍ଥିତି ଦେଖାଦେବ । ତେଣୁ ରାଜ୍ୟ ସରକାର ଗୁଡାରି ନିକଟରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଦାବି ହୋଇଛି ।
ରିପୋର୍ଟ :ଗୁଣୁପୁର ରୁ ରାମନାଥ ମହାନ୍ତି




