Tuesday, November 17, 2026
Home ଆଞ୍ଚଳିକ ବୁଧିବାମନ ଓଷାରେ ନାରୀମାନେ କାହିଁକି ପିନ୍ଧନ୍ତି ପାହାଡା ?

ବୁଧିବାମନ ଓଷାରେ ନାରୀମାନେ କାହିଁକି ପିନ୍ଧନ୍ତି ପାହାଡା ?

11

୩୧/୦୮/୨୧ (ଜିଲ୍ଲା ଖବର) :  ଓଡ଼ିଆ ମାନଙ୍କର ବାର ମାସରେ ତେର ପର୍ବ। ସବୁ ପର୍ବର କିଛି ନା କିଛି ମହତ୍ତ୍ୱ ମଧ୍ୟ ଥାଏ । ସବୁ ପର୍ବକୁ ଜାକଜକମରେ ପାଳନ କରନ୍ତି ଓଡ଼ିଆମାନେ।ଓଡ଼ିଆମାନଙ୍କର ଆଉ ଏକ ପର୍ବ ହେଉଛି ବୁଧେଇ ଓଷା । ଆଜି ଆମେ ଧର୍ମକଥାରେ ଜାଣିବା ଏହି ବୁଧିବାମନଙ୍କ ଓଷା ବିଷୟରେ । ଏହା କିପରି ପାଳନ ହୁଏ ଏବଂ ଏହାର ମହତ୍ତ୍ୱ କଣ ରହିଛି । ଏହା ଭାଦ୍ରବ ମାସର ୪ଟି କିମ୍ବା ପାଞ୍ଚଟି ବୁଧବାରରେ ପାଳିତ ହୁଏ । କେତେକ ସ୍ଥାନରେ ୫ଟି ବୁଧବାରରେ ପାଳିତ ହୁଏ ।

ଅନେକ ଗହ୍ମାପୂର୍ଣ୍ଣିମାଠାରୁ ଇନ୍ଦୁପୂର୍ଣ୍ଣିମା ଆଉ କେତେକ ସଂକ୍ରାନ୍ତି ଅନୁଯାୟୀ ଭାଦ୍ର ସଂକ୍ରାନ୍ତିରୁ ଆଶ୍ୱିନ ସଂକ୍ରାନ୍ତିକୁ ହିସାବକୁ ନେଇଥାନ୍ତି । ସାଧାରଣତଃ ସଧବା ନାରୀମାନେ ସନ୍ତାନ କାମନା କରିବା ଓ ତାର ଶୁଭ ମନାସିବା ଉଦ୍ଦେଶ୍ୟ ନେଇ ଏହି ଓଷା କରିଥାନ୍ତି । ଏହି ଓଷାଟି ନିର୍ଜଳ ଭାବେ ନିଷ୍ଠାର ସହ ପାଳନ କରାଯାଏ । ଏହି ଓଷାରେ ବୁଧିବାମନଙ୍କୁ ପୂଜା କରାଯାଏ । ଏଠାରେ ବୁଦ୍ଧ ବା ବୁଧେଇ ହେଉଛନ୍ତି ଭୈରବୀ ବା ବିମଳା ।  ଜ୍ୟୋତିଷଶାସ୍ତ୍ର ଅନୁସାରେ ଏହି ଓଷାରେ ନାରୀରୂପୀ ବୁଧ ଓ ମଙ୍ଗଳାଙ୍କୁ ପୂଜା କରାଯାଏ । କାରଣ ଏମାନେ ସୃଷ୍ଟିକର୍ତ୍ତା । 

ପୂଜାର ପରମ୍ପରା:

ସଧବା ନାରୀମାନେ ପୂଜାସ୍ଥଳୀଟିକୁ ଗୋବରଲିପି ଶୁଚି କରିଥାନ୍ତି । ଏହି ପୂଜା ନିମନ୍ତେ ପାଞ୍ଚଟି ରଙ୍ଗର ଫୁଲ, ପାଞ୍ଚପ୍ରକାର ଫୁଲ, ପାଞ୍ଚପ୍ରକାର ଫଳ, ପାଞ୍ଚଟି ଧୂପ, ପାଞ୍ଚଟି ଦୁବ ଓ ପାଞ୍ଚଟି ଅକ୍ଷତ ଦରକାର ହୁଏ । ଏଥିରେ ବେଲପତ୍ର, ଫୁଲମାଳ ଏବଂ ଖଇମାଳରେ ଠାକୁରଙ୍କୁ ଲାଗି କରାଯାଏ । ପ୍ରଥମ ପାଳିରୁ ଏଥିରେ ଗୋଟିଏ ନଡ଼ିଆ ବସାଯାଇ, ଶେଷ ପାଳିଦିନ ଏହାକୁ ଭାଙ୍ଗି ଠାକୁରଙ୍କୁ ସମର୍ପଣ କରାଯାଏ । ମଝିପାଳି ଗୁଡ଼ିକରେ ପିଠାପଣା ଭୋଗରାଗ ହୁଏ । ତେବେ ଶେଷ ପାଳି ଦିନ ଅନ୍ତତଃ ପାଞ୍ଚପ୍ରକାର ପିଠାପଣା କରାଯାଏ । ପ୍ରତ୍ୟେକ ବୁଧବାର ନାରୀମାନେ ଦିନଯାକ ଉପବାସ କରି ରାତିରେ ପୂଜାପରେ ଭୋଗ ଖିଆଯାଏ । ଶିଳ ଏବଂ ଶିଳପୁଆ ଏହାର ଦେବଦେବୀ ଅଟନ୍ତି । 

ପ୍ରଥମେ ଏହି ଶିଳ ଏବଂ ଶିଳପୁଆକୁ ବଟା ଅଁଳା ପାଣି ସହ ଗଙ୍ଗାଜଳରେ ସ୍ନାନ କରାଯାଇ, ହଳଦୀକନା ଓ ସୂତା ଗୁଡ଼ାଇ ନାରୀବେଶ କରାଯାଏ । ମଥାରେ ସିନ୍ଦୂର ଓ ଆଖିରେ କଜ୍ୱଳ ଦିଆଯାଏ । ଏହାପରେ ବୁଧିବାମନଙ୍କ ବହି ପଢ଼ନ୍ତି ବ୍ରତଧାରୀମାନ। ପୂଜା ସମ୍ପନ୍ନ ହେବା ପରେ ସମସ୍ତେ ଭୋଗ ପାଇ ଘରକୁ ଫେରିଥାନ୍ତି।

ବିଶ୍ୱାସ ରହିଛି ନିଃସନ୍ତାନ ମହିଳା ପ୍ରଥମ ପାଳିରୁ ଗୋଟେ ଶାଢି, ପୂଜାଘର ଦୁଆର ମୁହଁରେ ପକାଇଲେ, ସମସ୍ତଙ୍କ ପବିତ୍ର ପଦସ୍ପର୍ଶ ଯୋଗୁଁ ସେ କୃତାର୍ଥ ହୁଏ ଏବଂ ସନ୍ତାନ ପ୍ରସବା ହୁଏ । ଏହି ଲୁଗାକୁ ପାହାଡା କୁହାଯାଏ । ଏହିଭଳି ଭାବରେ ପାଳିତ ହୋଇଥାଏ ବୁଧେଇ ଓଷା।