
କନ୍ଧମାଳ,୩୦/୦୮/୨୧ (ଜିଲ୍ଲା ଖବର) : ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଘଟଣା । ୧୨ ବର୍ଷ ପୁରିଗଲା ମିଳିଲାନି ନ୍ୟାୟ । କମିଶନକୁ ଢାଲ କରି ଚୁପ ବସିଲେ ରାଜ୍ୟ ସରକାର । ପୁଣି ସ୍ଵାମୀଜୀଙ୍କ ପାଇଁ ଆନ୍ଦୋଳନ ତେଜିବ । ପ୍ରଥମେ ସାଧୁସନ୍ଥକୁ ନେଇ ଆନ୍ଦୋଳନ ତେଜିବ । ପ୍ରତ୍ୟେକ ହିନ୍ଦୁକୁ ଜାଗ୍ରତ ହେବାକୁ ଆହ୍ୱାନ । କନ୍ଧମାଳ ଜିଲ୍ଲା ଜଳେଶପଟ୍ଟା ଆଶ୍ରମରୁ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଲେ ସ୍ୱାମୀ ଜୀବନମୁକ୍ତାନନ୍ଦ ପୁରୀ ।
ତେବେ ୨୦୦୮ ମସିହାରେ ଜଲେଶପଟା କନ୍ୟାଶ୍ରମ ଜନ୍ମାଷ୍ଟମୀ ରାତିରେ ଆତତାୟୀମାନେ ନିର୍ମମ ଭାବେ ଗୁଳି କରି ୮୪ ବର୍ଷୀୟ ସ୍ୱାମୀଜୀ ଓ ତାଙ୍କର ଅନୁଗାମୀଙ୍କୁ ହତ୍ୟା କରିଥିଲେ । ମାତ୍ର ସ୍ୱାମୀଜୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କିଛି ନୂଆ କଥା ନଥିଲା । ତାଙ୍କ ହତ୍ୟାର ଠିକ ବର୍ଷେ ପୂର୍ବେ ୨୦୦୭ ମସିହା ଡିସେମ୍ବର ୨୫ ଦାରିଙ୍ଗିବାଡ଼ିଠାରେ ମଧ୍ୟ ମରଣାନ୍ତକ ଆକ୍ରମଣରୁ ବର୍ତ୍ତି ଯାଇଥିଲେ ସ୍ୱାମୀଜୀ ।
କନ୍ଧମାନଙ୍କର ଅଧିକାର ଲଢେଇ ପାଇଁ ଲଢ଼ୁଥିବା କାରଣରୁ ବିଦେଶୀ ଶକ୍ତିଙ୍କ ସହାୟତାରେ ଆଦିବାସୀଙ୍କ ଜମି ଓ ଜାତି ହଡ଼ପ କରୁଥିବା ଲୋକମାନେ ତାଙ୍କୁ ଦୀର୍ଘ ଦିନରୁ ମାରିଦେବାକୁ ଚେଷ୍ଟା କରୁଥିବାର ଅଭିଯୋଗ ଆଣିଥିଲେ ସ୍ୱାମୀଜୀ । କନ୍ଧମାଳବାସୀଙ୍କ ପାଇଁ ସ୍ୱାମୀଜୀ ଥିଲେ ଦେବତୁଲ୍ୟ ବ୍ୟକ୍ତିତ୍ୱ । ୪୦ ବର୍ଷ ପୂର୍ବରୁ କନ୍ଧମାଳବାସୀଙ୍କୁ ଶିକ୍ଷା ଓ ମହିଳା ସଶକ୍ତିକରଣର ପାଠ ପଢ଼ାଇଥିଲେ ସ୍ୱାମୀଜୀ ।



