
୩୦/୦୮/୨୧ (ଜିଲ୍ଲା ଖବର) : ଆଜି ଭଗବାନ ଶ୍ରୀ କୃଷ୍ଣଙ୍କ ଜନ୍ମଦିନ। ଏହା ପୂର୍ବରୁ ପବିତ୍ର ରକ୍ଷା ବନ୍ଧନରେ ବଳଭଦ୍ର ଜନ୍ମ ମଧ୍ୟ ସମ୍ପନ୍ନ ହୋଇଛି। ହେଲେ ଆପଣ ଜାଣନ୍ତି କି, କୃଷ୍ଣ ବଳରାମ ଦୁଇ ଭାଇଙ୍କ ବ୍ୟତୀତ ଭଗବାନ କୃଷ୍ଣଙ୍କର ଆହୁରି ୬ ଭାଇ ଥିଲେ। ମାତା ଦେବକୀଙ୍କ ଗର୍ଭରୁ ଏମାନଙ୍କ ଜନ୍ମପରେ ଗୋଟି ଗୋଟି କରି କଂସ କଚାଡି ମାରିଥିଲା। ଆସନ୍ତୁ ଜାଣିବା ସେହି ୬ ଭାଇଙ୍କ ସମ୍ପର୍କରେ।
ଭାଗବତରେ ଏହି ୬ ଭାଇଙ୍କ ସମ୍ପର୍କରେ ରୋଚକ କଥା ରହିଛି। ଦେବକୀଙ୍କ ଏହି ମୃତ ୬ ପୁତ୍ର ଦେବତା ଥିଲେ। କ୍ରମାନ୍ଵୟରେ ସେମାନଙ୍କ ନାଁ ହେଉଛି ସ୍ମର, ଉଦ୍ରୀଥ, ପରିଶ୍ବଙ୍ଗ, ପତଙ୍ଗ, ଖ୍ରୁମର୍ତ୍ତ ଓ ଘୃଣି।
ବ୍ରହ୍ମାଙ୍କ ପୁତ୍ର ମହର୍ଷି ମନୁଙ୍କ ପତ୍ନୀ ଉନାଙ୍କ ଗର୍ଭରୁ ଜନ୍ମିତ ଏହି ୬ ପୂତ୍ର ଏକଦା ପରମପିତା ବ୍ରହ୍ମାଙ୍କ ଏକ ଅନୈତିକ କାର୍ୟ୍ୟ ଦେଖି ପ୍ରତିବାଦ କରିଥିଲେ। ଫଳ ସ୍ୱରୁପ, ସେମାନଙ୍କୁ ବାରମ୍ବାର ଅସୁର ବଂଶରେ ଜନ୍ମ ନେବାକୁ ଅଭିଶାପ ମିଳିଲା। ବିନା ଦୋଷରେ ଦଣ୍ଡ ପାଉଥିବା ଏହି ଦେବତାମାନେ ଶେଷରେ ଯୋଗମୟାଙ୍କୁ ପ୍ରାର୍ଥନା କଲେ। ମୁକ୍ତିର ଉପାୟ ଭାବେ ଏମାନଙ୍କୁ ଶ୍ରୀକୃଷ୍ଣଙ୍କ ଅଗ୍ରଜ ଭାବେ ଜନ୍ମ ନେବାର ସୁଯୋଗ ମିଳିଲା।
ହେଲେ ବ୍ରହ୍ମାଙ୍କ ସାପ୍ୟ ଯୋଗୁ ଦେବକୀଙ୍କ ଗର୍ଭରୁ ଜନ୍ମ ହେବା କ୍ଷଣି କଂସ ଦ୍ୱାରା ମୃତ୍ୟୁପ୍ରାପ୍ତ ହୁଅନ୍ତି। ହେଲେ ଦେବତା ହୋଇଥିବାରୁ ସେମାନଙ୍କୁ ଯମ ଲୋକରେ ସ୍ଥାନ ମିଳିଲାନାହିଁ। ସେହି ୬ ଭାଇ ବାଳକ ରୂପରେ ପତାଳାରେ ପ୍ରହଲ୍ଲାଦଙ୍କ ପୌତ୍ର ବଳିଙ୍କ ଦ୍ୱରା ପାଳିତ ହେଉଥିଲେ।
ଦେବକୀ ଓ ବସୁଦେବ, ଶ୍ରୀକୃଷ୍ଣଙ୍କ ପାଖରେ ଈଶ୍ୱର ସତ୍ତାକୁ ଅନୁଭବ କରିବା ପରେ ନିଜର ଏହି ମୃତ ୬ ପୁଅଙ୍କ ଦର୍ଶନ ପାଇଁ ଆଶାବ୍ୟକ୍ତ କରିଥିଲେ। ଫଳରେ ଭଗବାନ ଶ୍ରୀକୃଷ୍ଣ ନିଜେ ପାତାଳକୁ ଯାଇ ବଳିଙ୍କ ପାଖରୁ ନିଜ ୬ ଅଗ୍ରଜଙ୍କୁ ଦ୍ୱାରକା ଫେରାଇ ଆଣିବା ପରେ ମା’ ଦେବକୀଙ୍କୁ ସେମାନଙ୍କୁ ଶ୍ରଦ୍ଧାର ସହ କୋଳାଇ ନେଇଥିଲେ। ଏବଂ ଭଗବାନ କୃଷ୍ଣଙ୍କ ସାନିଧ୍ୟ ଯୋଗୁ ସାପ୍ୟମୁକ୍ତ ହୋଇ ସ୍ୱର୍ଗାରୋହଣ କରିଥିଲେ।


