Saturday, November 14, 2026
Home ଆଞ୍ଚଳିକ ଶ୍ରୀମନ୍ଦିରରେ କେମିତି ପାଳନ ହୁଏ କୃଷ୍ଣ ଜନ୍ମ ନୀତି ?

ଶ୍ରୀମନ୍ଦିରରେ କେମିତି ପାଳନ ହୁଏ କୃଷ୍ଣ ଜନ୍ମ ନୀତି ?

56

୩୦/୦୮/୨୧ (ଜିଲ୍ଲା ଖବର) : ଷୋଳକଳା ଯେ, ଚକାଡୋଳା, ତହୁଁକଳାଏ ନନ୍ଦବଳା। ଏ କଥା ହିଁ ପ୍ରମାଣିତ କରେ ଜଗନ୍ନାଥ ମହାପ୍ରଭୁ ନିଜେ କୃଷ୍ଣଚନ୍ଦ୍ର। ଏଇଥିପାଇଁ ଲୋକେ ଜଗନ୍ନାଥ କୃଷ୍ଣଭାବି ଭକ୍ତି କରନ୍ତି। ଏଣୁ ଜନ୍ମାଷ୍ଟମୀ ଆସିଲେ ଶ୍ରୀମନ୍ଦିର ମଧ୍ୟ ଉତ୍ସବମୁଖର ହୁଏ।

ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ ନୀତି ଅତିବ ସୁନ୍ଦର ଓ ମନୋରମ ଢଙ୍ଗରେ ପାଳିତ ହୁଏ। ଭାଦ୍ରବମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିର ପରିସରରେ ପାଳିତ ହୁଏ ଜନ୍ମାଷ୍ଟମୀ ନୀତି । ସାନ୍ଧ୍ୟ ଧୂପ ଶେଷ ହେବା ପରେ ଜୟ ବିଜୟ ଦ୍ୱାର ବନ୍ଦ ହୁଏ। ସୁଧସୁଆର ଭିତର କାଠ ସମ୍ମୁଖକୁ ପୋଛା ମାରନ୍ତି । ପୂଜାପଣ୍ଡା ମୁରୁଜରେ ମଣ୍ଡଳ କାଟିବା ପରେ ଆରମ୍ଭ ହୁଏ ଜନ୍ମନୀତି। 

ମା’ ଷଠୀ ଓ ଷଷ୍ଠୀ ଦେବୀ ହେଉଛନ୍ତି ଶିଶୁମାନଙ୍କ ଦେବୀ। ଯେଉଁଥିପାଇଁ ଆମ ଘରମାନଙ୍କରେ ଜନ୍ମଦିନରେ ମା’ମାନେ ଷଠୀ ପୂଜା କରନ୍ତି। ଠିକ୍ ସେହିପରି ବଡ଼ ଦେଉଳରେ ବଡ଼ ଠାକୁରଙ୍କ ପାଇଁ ମଧ୍ୟ ଷଷ୍ଠୀ ପୂଜା ଅନୁଷ୍ଠିତ ହୁଏ।

କଟାଯାଇଥିବା ମୁରୁଜ ମଣ୍ଡଳ ଉପରେ ଷଷ୍ଠୀ ଦେବୀ ଅବସ୍ଥାନ କରନ୍ତି । ତତ୍ପରେ ଭଦ୍ରମଣ୍ଡଳ ଉପରେ ଜନ୍ମପଟି ରଖାଯାଏ। ପୂଜାପଣ୍ଡା, ପତିମହାପାତ୍ର, ମୁଦିରସ୍ତ ସଂକଳ୍ପ ବାକ୍ୟ ପାଠ କରି ଜନ୍ମନୀତି ଆରମ୍ଭ କରନ୍ତି।

ନଅଗୋଟି ପନ୍ତୀରେ ପ୍ରସାଦ ଲାଗି ଓ ତାମ୍ବୁଳ ଲାଗି ପରେ। ଦକ୍ଷିଣୀ ଘରୁ ଶ୍ରୀମଦନମୋହନଙ୍କୁ ରତ୍ନସିଂହାସନ ଉପରକୁ ବିଜେ କରାଯାଏ । ଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପାଇବା ପରେ ଶ୍ରୀମଦନମୋହନ ଭଦ୍ରମଣ୍ଡଳ ପାଖରେ ବିଜେ କରନ୍ତି । ପୂଜାପଣ୍ଡା ଗର୍ଭଉଦକ କର୍ମ କରି ଶୀତଳ ଭୋଗ ମଣୋହି କରିଥାନ୍ତି । ଏହାପରେ ଦୁଇଜଣ ମହାଜନ ଲୁଗା ଘୋଡାଇ ହୋଇ ଦେବକୀ ବସୁଦେବ ବେଶରେ ଜନ୍ମ ଚକଡ଼ାଠାରେ ଶ୍ରୀକୃଷ୍ଣଙ୍କୁ ଜନ୍ମ କରାଇଥାନ୍ତି । କର୍ପୁର ଆଳତି ଅନୁଷ୍ଠିତ ହୁଏ।  

ନାଭିକଟା ମଣ୍ଡପଠାରେ ଖଟ ଶେଜ ଉପରେ ଠାକୁର ବିଜେ କଲେ ପୂଜାପଣ୍ଡା ସେବକ କୁଶରେ ଶ୍ରୀ ମଦନମୋହନ (କୃଷ୍ଣ)ଙ୍କ ନାଭି ଛେଦନ କରିଥାନ୍ତି। ପଞ୍ଚାମୃତରେ ମହାସ୍ନାନ ବଢ଼ିଥାଏ । ଏହି ପରି ଭାବରେ ଶ୍ରୀମନ୍ଦିରରେ ସମ୍ପନ୍ନ ହୋଇଥାଏ ମହାପ୍ରଭୁଙ୍କ ଜନ୍ମନୀତି।