Saturday, November 14, 2026
Home ଆଞ୍ଚଳିକ ମନ୍ କୀ ବାତ କାର୍ଯ୍ୟକ୍ରମରେ ବିଶ୍ବକର୍ମା ଓ ଶ୍ରୀକୃଷ୍ଣଙ୍କ କଥା

ମନ୍ କୀ ବାତ କାର୍ଯ୍ୟକ୍ରମରେ ବିଶ୍ବକର୍ମା ଓ ଶ୍ରୀକୃଷ୍ଣଙ୍କ କଥା

20

୨୯/୦୮/୨୧ (ଜିଲ୍ଲା ଖବର) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନିଜର ୮୦ତମ ମନ କି ବାତ କାର୍ଯ୍ୟକ୍ରମରେ ଭାରତୀୟ ସଂସ୍କୃତି ଉପରେ ଗୁରୁତ୍ଵାରୋପ କରିଛନ୍ତି। ସଂସ୍କୃତ ଭାଷା, ଜନ୍ମାଷ୍ଟମୀ, ବିଶ୍ବକର୍ମା ଜୟନ୍ତୀ ସହ କ୍ରିଡା କ୍ଷେତ୍ରରେ ଭାରତର ଅବଦାନ ସମ୍ପର୍କରେ ମଧ୍ୟ ସେ ବର୍ଣ୍ଣନା କରିଛନ୍ତି। 

ସଂସ୍କୃତ ଭାଷାର ଗାରିମା ବଖାଣିବାକୁ ଯାଇ, ପ୍ରଧାନମନ୍ତ୍ରୀ ଏହାକୁ ଏକ ଶରଳ ଓ ସରସ ଭାଷାଟିଏ ବୋଲି ବର୍ଣ୍ଣିଛନ୍ତି। ସଂସ୍କୃତ ଭାଷା ଆପଣାର ବିଚାରଧାରା ଓ ସାହିତ୍ୟ ମାଧ୍ୟମରେ ଏ ଜାତିର ଏକତା ସବୁବେଳେ ଦୃଢିଭୂତ କରିଛି ବୋଲି କହିଛନ୍ତି। ସଂସ୍କୃତ ସାହିତ୍ୟରେ ମାନବିକତା ଏବଂ ଜ୍ଞାନର ଦର୍ଶନ ଏପରି ଭାବେ ଭରି ରହିଛି ଯାହା କୌଣସି ବି ସମୟରେ କାହାରିକୁ ମଧ୍ୟ ଆକର୍ଷିତ କରିପାରେ।  

ଆସନ୍ତାକାଲି ଜନ୍ମାଷ୍ଟମୀ, ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିନ । ଭାରତର ମହାନ ପର୍ବଟିଏ। ଆମେ ସମସ୍ତେ ତାଙ୍କ କଥା ଜାଣିଛେ। ଛୋଟଶିଶୁର ବାଲ୍ୟ ଚପଳତାଠାରୁ ଆରମ୍ଭ କରି ବିଶ୍ବ ରୂପ ଦର୍ଶନରେ ସମଗ୍ର ସଂସାରକୁ ନିଜ ଦେହରେ ଦେଖାଇ ସେ ବିଶ୍ବବାସୀଙ୍କୁ ଜଗତଗୁରୁ ହେବାର ଅସଲ ସ୍ବରୂପ ଦେଖାଇଛନ୍ତି। ମହାନ୍ ଶାସ୍ତ୍ରଜ୍ଞ, ଶସ୍ତ୍ରଜ୍ଞ ହେବାର ଉଦାହରଣ ପାଲଟିଥିବା ଭଗବାନ ଶ୍ରୀକୃଷ୍ଣ ଆମ ସଂସ୍କୃତିର ପ୍ରମୁଖ ଆଧାର ହୋଇ ରହିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।  

ପ୍ରଧାନମନ୍ତ୍ରୀ ମୋଦୀ ‘ବିଶ୍ୱକର୍ମା ଜୟନ୍ତୀ’ ସମ୍ପର୍କରେ ମଧ୍ୟ କହିଛନ୍ତି। ଭଗବାନ ବିଶ୍ୱକର୍ମାଙ୍କୁ ଜଗତର ସୃଷ୍ଟି ଶକ୍ତିର ପ୍ରତୀକ ଭାବରେ ବିବେଚନା କରାଯାଇଛି। ସଂସ୍କୃତ ଶ୍ଲୋକଟିଏ ଉଚ୍ଚାରଣ କରି ସେ ବିଶ୍ବକର୍ମାଙ୍କ କଥା ମଧ୍ୟ କହିଛନ୍ତି, विश्वस्य कृते यस्य कर्मव्यापारः सः विश्वकर्मा। ଯାହାର ଅର୍ଥ ହେଉଛି, ଯେ ସୃଷ୍ଟି ଏବଂ ସୃଷ୍ଟି ସହିତ ଜଡିତ ସମସ୍ତ କାର୍ଯ୍ୟ କରନ୍ତି, ସେ ହେଉଛନ୍ତି ବିଶ୍ୱକର୍ମା। ଏଣୁ ସୃଷ୍ଟିର କ୍ରମବିକାଶ ସହ ଦେଶର ବିକାଶ ଧାରାକୁ ଆଗକୁ ନେବାକୁ ଆମକୁ ବିଶ୍ବକର୍ମା ହେବାକୁ ପଡିବ ବୋଲି ପରୋକ୍ଷରେ ଇଙ୍ଗିତ କରିଛନ୍ତି। 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମର ପର୍ବ ପାଳନ କରିବା, ଏହାର ପଛରେ ଥିବା ଅର୍ଥକୁ ବୁଝିବା ଆବଶ୍ୟକ। କେବଳ ଏତିକି ନୁହେଁ, ପ୍ରତ୍ୟେକ ପର୍ବରେ କିଛି ବାର୍ତ୍ତା ଅଛି। ଅନ୍ୟାନ୍ୟ ରୀତିନୀତି ଅଛି । ଆମକୁ ମଧ୍ୟ ଏହା ଜାଣିବାକୁ ହେବ । ଭବିଷ୍ୟତ ପିଢି କିପରି ଏହି ଉପରେ ଜ୍ଞାନ ପାଇବ ସେ ସମ୍ବନ୍ଧରେ ଚେଷ୍ଟା କରିବା ଆମମାନଙ୍କର ହିଁ କର୍ତ୍ତବ୍ୟ।