Tuesday, November 17, 2026
Home ଆଞ୍ଚଳିକ ଶ୍ରୀ ଜଗନ୍ନାଥଙ୍କ କୋଳରେ ଜଗନ୍ନାଥ ଖେଳୁଛନ୍ତି କେମିତି ?

ଶ୍ରୀ ଜଗନ୍ନାଥଙ୍କ କୋଳରେ ଜଗନ୍ନାଥ ଖେଳୁଛନ୍ତି କେମିତି ?

16

୨୯/୦୮/୨୧ (ଜିଲ୍ଲା ଖବର)  : ମୁଁ ପିତା, ମୁଁ ହିଁ ମାତା। ଆଉ ଏ ସମଗ୍ର ସଂସାର ପିତାମହ ମଧ୍ୟ। ମୁଁ ଏ ସମଗ୍ର ଜଗତର ଧାତା, ବିଧାତା। ଓଁକାର ଭଳି ସତ୍ୟ ମୋର ସ୍ଥିତି। ମୋର ଜନ୍ମ ମୁଁ ନିଜେ। ମୁଁ ନିଜକୁ ନିଜଠାରୁ ହିଁ ସୃଷ୍ଟି କରେ। ପ୍ରଳୟ ପର୍ଯ୍ୟନ୍ତ ଏକମାତ୍ର ମୁଁ ହିଁ ରହିଥାଏ। ମୁଁ ମୋତେ ମୋରି ଦେହରେ ବିଲୀନ କରି ପୁଣି ନୂଆ ସୃଷ୍ଟିର ଉନ୍ମେଷ କରେ।

“ପିତା ଅହମ୍ ଅସ୍ୟ ଜଗତୋ ମାତା ଧାତା ପିତାମହଃ ।
 ବେଦ୍ୟଂ ପବିତ୍ରଂ ଓଁକାର ଋଗ୍ ସାମ ୟଜୁଃ ଏବ ଚ ।।”

ବାସ୍ତବରେ ଏହା ହିଁ ବିଶ୍ୱ ନିୟନ୍ତାଙ୍କର ଏକମାତ୍ର ପରିଚୟ। ଯିଏ ନିଜକୁ ନିଜଠାରୁ ସୃଷ୍ଟି କରିଛନ୍ତି । ହେଲେ ଏହି ଧାର୍ମିକ ଚିନ୍ତନଟିକୁ ପାରମ୍ପରିକ ରୂପରେ ରୂପାୟିତ କରିଛି ଜଗନ୍ନାଥ ସଂସ୍କୃତି। ମହାପ୍ରଭୁ ଜଗନ୍ନାଥ ଏ ଶ୍ଲୋକର ଯଥାର୍ଥତାକୁ ପ୍ରତିପାଦିତ କରନ୍ତି ପ୍ରତିବର୍ଷ।

ଆସନ୍ତୁ ଜାଣିବା ମହାପ୍ରଭୁଙ୍କର ସେହି ମହାସତ୍ତା ସମ୍ପର୍କରେ।

ରାତି ପାହିଲେ ଜନ୍ମାଷ୍ଟମୀ। ଭଗବାନ କୃଷ୍ଣଚନ୍ଦ୍ରଙ୍କ ଜନ୍ମଦିନ ପାଳିବ ସାରା ବିଶ୍ୱ। କୃଷ୍ଣମୟ ପକ୍ଷର ଅନ୍ଧକାର ଭିତରେ ଝଟିକିବ କଳାଶ୍ରୀମୁଖ। ଆଉ ଠିକ ଏହାର ପୂର୍ବରାତିରେ ଶ୍ରୀମନ୍ଦିରରେ ହେବ ଉତ୍ସବଟିଏ। ମାନେ ଆଜି ରାତିରେ। କାଳିଆ ଠାକୁର ପାଲଟିବେ ମାତା ଦେବକୀ। ଶ୍ରୀମନ୍ଦିର ପାଲଟିବ କଂସାସୁାରର ବନ୍ଦୀଶାଳା। କିନ୍ତୁ ଏହାରି ଭିତରେ ଜନ୍ମହେବେ କଳାକହ୍ନେଇ। 

ଶ୍ରୀଜଗନ୍ନାଥ ସଂସ୍କୃତି ଅନୁଯାୟୀ, ମହାପ୍ରଭୁ ପରଂବ୍ରହ୍ମ ହୋଇଥିବାରୁ ଜନ୍ମାଷ୍ଟମୀ ପୂର୍ବଦିନ ସେ ହିଁ ଦେବକୀ ଭାବେ ଗର୍ଭକଷ୍ଟ ଭୋଗୁଥିବା ପରିକଳ୍ପନା କରାଯାଏ। ଆଉ ଏଇଥିପାଇଁ ଆୟୋଜିତ ହୁଏ ସ୍ଵତନ୍ତ୍ର ବନ୍ଦାପନାଟିଏ। ଯାହାକୁ କୁହାଯାଏ ଗର୍ଭଉଦକ ବନ୍ଦାପନା। ଶ୍ରୀ ଜଗନ୍ନାଥଙ୍କ ଗର୍ଭରେ ସ୍ଵୟଂ କୃଷ୍ଣଚନ୍ଦ୍ର ଉଦୟ ହୋଇଥିବାରୁ ଏହି ଅତିରିକ୍ତ ବନ୍ଦାପନା କରାଯାଏ। ଆଉ ଏତିକି ବେଳେ କାଳିଆ ଠାକୁରଙ୍କ ପାଖରେ ଲାଗିହୁଏ ଜେଉଟ ଭୋଗ। 

ପାରମ୍ପରିକ ଭାଷାରେ କହିଲେ, ପୋଖତି ବା ଗର୍ଭଧାରିଣୀ ମହିଳାଙ୍କ ପାଟିକୁ ପ୍ରସବ ଯନ୍ତ୍ରଣାବେଳେ ସବୁ କିଛି ଅରୁଚି ଲାଗେ। ଏଣୁ ପିତା, ଖଟା, ମିଠା, ଏସମସ୍ତ ସ୍ୱାଦର ମିଶ୍ରଣରେ ଏକ ନିଆରା ଖାଦ୍ୟ ତାଙ୍କୁ ପରଷା ଯାଇଥାଏ। ଆୟୁର୍ବେଦରେ ଏହାକୁ ଉପଚାର ବୋଲି ମଧ୍ୟ କେହି କେହି ଗବେଷକ କୁହନ୍ତି।
ଜେଉଟ ଭୋଗରେ ଶ୍ରୀ ଜଗନ୍ନାଥଙ୍କ ପାଖରେ ଲାଗି ହେଉଥିବା ପ୍ରସାଦଗୁଡିକ ହେଉଛି, ସାଗଭଜା, ତରକାରୀ, ପୀଠା, ଝିଲି, ସାନ ଆରିସା, ଓରିଆ ଓ ଖୀରା(ଶ୍ରୀମନ୍ଦିର ସତ୍ୱଲିପି/୨ୟ, ପୃଷ୍ଠା ୯୮)। 

ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ସ୍ୱୟଂ ମହାବିଷ୍ଣୁ । ସେ ଅବତାରୀ ,ସମସ୍ତ ଅବତାର ତାଙ୍କଠାରୁ ହିଁ ସୃଷ୍ଟି ହୋଇ ସମସ୍ତ ଲୀଳା ସମାହିତ କରି ପୁଣି ମହାପ୍ରଭୁଙ୍କ ନିକଟରେ ଲୀନ ହୋଇଥାନ୍ତି। ଯାହା ଆମ ଭାଗବତର ଆଧାର।

‘ଷୋଳକଳା ଯେ, ଚକାଡୋଳା ତହୁଁ କଳାଏ ନନ୍ଦବଳା’ 

ଏହି ପଦଟି ଏହି କ୍ରମରେ ହିଁ ଯଥାର୍ଥ ଅନୁଭବ ହୋଇଥାଏ। ଯେଉଁ କାରଣ ନିମନ୍ତେ ଶ୍ରୀକୃଷ୍ଣ ଜନ୍ମ ପୂର୍ବରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ଏହି ବିଶେଷ ଭୋଗ ଆଉ ବିଶେଷ ବନ୍ଦାପନା ନୀତି ଅନୁଷ୍ଠିତ ହୋଇ ଆସୁଛି।

ଏହି ନୀତି କେବଳ ଜନ୍ମାଷ୍ଟମୀ ପୂର୍ବରୁ ନୁହେଁ ବରଂ ରାମନବମୀ, ନୃସିଂହ ଓ ବାମନ ଜନ୍ମ ପୂର୍ବଦିନ ମଧ୍ୟ ଅନୁଶ୍ରୁତ ହୋଇଥାଏ।

ଶ୍ରୀମନ୍ଦିର ନୀତି : ସପ୍ତମୀ ତିଥିରେ ଶ୍ରୀମନ୍ଦିରରେ ସନ୍ଧ୍ୟା ଧୂପ ସରିବା ପରେ ମହାପ୍ରଭୁଙ୍କ ବେଶ ହୋଇଥାଏ ଏବଂ ୬ ମୂର୍ତ୍ତୀ ଅଳଙ୍କାର ଲାଗିହୋଇଥାଏ। ତତ୍ପରେ ଭିତରେ ପାଣି ପଡ଼ି ଧୋ ପଖାଳ ହୋଇଥାଏ। ଏହାପରେ ସୁଆରବଡୁ ଥାଳି ପକାଇ ପଢ଼ିଆରୀ ଟେରା ବାନ୍ଧି ରୋଷକୁ ଜେଉଡ଼ ଭୋଗ ଡାକି ଯାଇଥାନ୍ତି। ଏ ଭୋଗ ଛାମୁକୁ ଆସିବା ପରେ ମୁଦିରସ୍ତ ପ୍ରସାଦ ଲାଗି କରିଥାନ୍ତି। ପଣ୍ଡା ଆସି ପଞ୍ଚ ଉପଚାରରେ ପୂଜା କରି ଭୋଗ ମଣୋହି କରିଥାନ୍ତି। ଏହାପରେ ପଣ୍ଡା, ପତି, ମୁଦିରସ୍ତ ୩ ବାଡ଼ରେ ବନ୍ଦାପନା କରିଥାନ୍ତି। ଗର୍ଭ ଉଦକ ନିମନ୍ତେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବାଡ଼ରେ ଅଧିକା ବନ୍ଦାପନା ହୋଇ ନୀତି ବଢିଥାଏ।