
୨୯/୦୮/୨୧ (ଜିଲ୍ଲା ଖବର) : ଜାଲିଆନାୱାଲା ବାଗ ମେମୋରିଆଲର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଉଦଘାଟନୀ ସମାରୋହକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ନୂଆ ପରିସର ନୂଆ ପିଢିକୁ ପ୍ରେରଣା ଦେବ। ଏହା ସବୁବେଳେ ସ୍ବାଧୀନତା ପାଇଁ ଦିଆଯାଇଥିବା ବଳିଦାନକୁ ମନେ ପକାଇବ।
ଦେଶପାଇଁ ପ୍ରାଣବଳୀ ଦେଇଥିବା ସ୍ବାଧୀନତା ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଜାଲିଆନାୱାଲା ବାଗ ମେମୋରିୟାଲକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫେରନସି ଜରିଆରେ ଆୟୋଜିତ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ସ୍ବାଧୀନତା ସଂଗ୍ରାମୀଙ୍କ ପରିବାର ସହ 4 ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ଥିଲେ ।
ଭାରତୀୟ ସ୍ବାଧୀନତା ସଂଗ୍ରାମ ଇତିହାସର ଏକ ପ୍ରମୁଖ ସ୍ମାରକୀ ହେଉଛି ଜାଲିଆନାୱାଲା ବାଗ। ୧୦୨ ବର୍ଷ ପୂର୍ବେ ଏପ୍ରିଲ ୧୩, ୧୯୧୯ରେ ଅମୃତସର ସ୍ୱର୍ଣ୍ଣ ମନ୍ଦିର ନିକଟବର୍ତ୍ତୀ ଜାଲିଆନାୱାଲା ବାଗରେ ୧୫-୨୦ ହଜାର ଭାରତୀୟ ଏକତ୍ରିତ ହୋଇଥିଲେ । ସମସ୍ତେ ସେଠାରେ ଏକ ଶାନ୍ତି ସଭାର ଆୟୋଜନ କରିଥିଲେ । ଏହି ସଭା ସ୍ୱାଧୀନତା ସଂଗ୍ରାମ ପାଇଁ ଲଢୁଥିବା ନେତାଙ୍କ ଗିରଫଦାରୀ ଏବଂ ରାଓଲତ ଆଇନକୁ ବିରୋଧ କରାଯାଉଥିଲା । ସେହି ସମୟରେ ଇଂରେଜ ଜେନେରାଲ ଡାୟାର ପ୍ରାୟ ୧୦୦ ଜଣ ସୈନିକଙ୍କ ସହ ସେ ସେଠାରେ ପହଂଚି ଆଖିବୁଜା ଗୁଳି ଚାଳନା କରିଥିଲା । ଏହି ଗୁଳି ମାଡରୁ ବର୍ତିବା ପାଇଁ ବହୁ ଲୋକ କୂଅକୁ ଡେଇଁ ପଡିଥିଲେ ।
ଏହି ଘଟଣାରେ ୧୦୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୫୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଏବେ ଜାଲିଆନାୱାଲା ବାଗରେ ଦେଶପାଇଁ ପ୍ରାଣବଳୀ ଦେଇଥିବା ସ୍ବାଧୀନତା ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଏହି ମେମୋରିଆଲର ନବକଳେବର କରାଯାଇଛି ।


