
୨୮/୦୮/୨୧ (ଜିଲ୍ଲା ଖବର) : ଢେଙ୍କାନାଳ ଜିଲ୍ଲାର ସଦାଶିବପୁର ଠାରେ କମନ୍ ୟୁଜର୍ ଫାସିଲିଟିର ଭୂମି ପୂଜନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ।
କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ରାଷ୍ଟ୍ର ମନ୍ତ୍ରୀ ରାମେଶ୍ବର ତେଲି, ସ୍ଥାନୀୟ ବିଧାୟକ ଏବଂ ସାଂସଦ ମଧ୍ୟ ଉପସ୍ଥିତ ରହିଛନ୍ତି । ସଦାଶିବପୁର ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପୂର୍ବୋଦୟ’ କଳ୍ପନାରେ ୪୨,୦୦୦ କିଲୋ ଲିଟର ଷ୍ଟୋରେଜ୍ କ୍ଷମତା ବିଶିଷ୍ଟ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ତୈଳ ଡିପୋ ନିର୍ମାଣ କରାଯିବ ।
ଏମଏସ, ଏଚଏସଡି, ଇଥାନଲ ଏବଂ ବାୟୋ-ଡିଜେଲକୁ ଏହି ତୈଳ ଡ଼ିପୋରେ ସଂରକ୍ଷିତ ରଖାଯିବ । ୫୦ ଏକର ଜମିରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପରେ ୩୯୫ କୋଟି ପୁଞ୍ଜି ନିବେଶ କରିବେ ଇଣ୍ଡିଆନ ଅଏଲ, ବିପିସିଏଲ ଏବଂ ଏଚପିସିଏଲ । ୨୦୨୩ ଅଗଷ୍ଟ ଶେଷ ଆଡ଼କୁ ପ୍ରକଳ୍ପର କାମ ଶେଷ କରାଯିବାକୁ ଲକ୍ଷ୍ୟ ରକ୍ଷାଯାଇଛି ।
ଏହି ସୁବିଧା ଦ୍ୱାରା ପାରାଦୀପ ଟର୍ମିନାଲରୁ ପେଟ୍ରୋଲିୟମ ସାମଗ୍ରୀ ବାରମ୍ବାର ପରିବହନ କରିବାକୁ ପଡ଼ିବ ନାହିଁ । କମନ୍ ୟୁଜର ଫାସିଲିଟିରୁ ସିଧାସଳଖ ପେଟ୍ରୋଲିୟମ ଉତ୍ପାଦ ପରିବହନ ହେବା ଦ୍ୱାରା ପରିବହନ ଖର୍ଚ୍ଚ ମଧ୍ୟ ହ୍ରାସ ହେବ । ଅନୁଗୁଳ, କେନ୍ଦୁଝର, ଦେବଗଡ଼ ଏବଂ ଢ଼େଙ୍କାନାଳ ଜିଲ୍ଲା ଏହି ପ୍ରକଳ୍ପ ଦ୍ୱାରା ବିଶେଷ ଉପକୃତ ହେବେ । ଏହି ପ୍ରକଳ୍ପ ନିର୍ମାଣ ଓ ପରିଚାଳନା କାମରେ ପ୍ରାୟ ୨ ଲକ୍ଷ ମାନବ ଦିବସ ସୃଷ୍ଟି ହେବାକୁ ଥିବା ବେଳେ ବ୍ୟବସାୟ ସହ ସ୍ଥାନୀୟ ଅଂଚଳର ଅର୍ଥନୀତିରେ ମଧ୍ୟ ଅଭିବୃଦ୍ଧି ଘଟିବ ।



