Tuesday, November 17, 2026
Home ଆଞ୍ଚଳିକ ଭାଇ ପାଇଁ ଖୁଦୁରୁକୁଣୀ ଓଷା

ଭାଇ ପାଇଁ ଖୁଦୁରୁକୁଣୀ ଓଷା

7

୨୮/୦୮/୨୧ (ଜିଲ୍ଲା ଖବର) :  ତଅପୋଇ କଥା କାହାକୁ ବା ଅଛପା । ଯେଉଁଥିରେ ଦେଖିବାକୁ ମିଳେ ଭାଇ-ଭଉଣୀ ମଧ୍ୟରେ ଭଲପାଇବା । ଆଉ ଭାଇ ନଥିବାବେଳେ ନଣନ୍ଦଙ୍କୁ ଭାଉଜମାନଙ୍କର ଗଞ୍ଜଣା । ପୁଣି ଭାଇ ମାନଙ୍କୁ ଫେରି ପାଇବା ପାଇଁ ତଅପୋଇର ଖୁଦୁରୁକୁଣୀ ଓଷା । ହଁ ରାତି ପାହିଲେ ଭଉଣୀମାନେ କରିବେ ମା’ ଖୁଦୁରୁକୁଣୀ ଓଷା । ଚାଲନ୍ତୁ ଆଜି ଧର୍ମକଥାରେ  ଖୁଦୁରୁକୁଣୀ ଓଷା ବିଷୟରେ କିଛି ଜାଣିବା..

ସେ ଖୁଦ ରଙ୍କୁଣୀ ସେଥିପାଇଁ ତାକୁ ଶରଧାରେ କୁହନ୍ତି ଖୁଦୁରୁକୁଣୀ ଓଷା । ଶରଧାରେ ତା ପାଖରେ ଖୁଦ ମୁଠାଏ ଥୋଇ ଦେଲେ ବି ସେ ସେଥିରେ ଖୁସ୍ । ଦିନେ ଘଞ୍ଚ ଜଙ୍ଗଲ ଭିତରେ ସେହି ଖୁଦ ମୁଠାଏ ରଖି ଭାଇ ମାନଙ୍କର ମଙ୍ଗଳ ମନାସୀ ଓଷା କରିଥିଲା ତଅପୋଇ । ଆଉ 5 ପାଳି ଓଷା କରି ପାଇଥିଲା ଭାଇମାନଙ୍କୁ । ସେବେଠୁ ପ୍ରତିଟି ଓଡିଆ ଘରେ ଭଉଣୀମାନେ ଭୋଦୁଅଁ ବା ଭାଦ୍ରବ ମାସରେ ଭାଲୁକୁଣୀ ଓଷା ବା ଖୁଦୁରୁକୁଣୀ ଓଷା କରିଆସୁଛନ୍ତି ।

 ଅଲିଅଳି ତଅପୋଇ । ସାତ ଭାଇରେ ଗୋଟିଏ ଭଉଣୀ । ଯାହା ଜିଦ୍ କରେ ସାଙ୍ଗେସାଙ୍ଗେ ତାହା ପୁରଣ ହୋଇଯାଏ । ତା ଜିଦ୍ ରେ ସୁବର୍ଣ୍ଣ କୁଲାଇ ତିଆରି କରିଥିଲେ ସାଧବ । ଅଧା ଚାନ୍ଦରେ ସାଧବଙ୍କର ଦେହାନ୍ତ ହୋଇଥିବାବେଳେ ପୁରା ଚାନ୍ଦରେ ସାଧବାଣୀଙ୍କର ମୃତ୍ୟୁ ହୋଇଥିଲା ।

ପୂର୍ବେ ଓଡିଆ ସାଧବ ପୁଅ ବାଣିଜ୍ୟ କରିବାକୁ ବିଦେଶକୁ ଯାଉଥିଲେ । ଦିନେ 7 ଜଣ ସାଧବ ପୁଅ ମଧ୍ୟ ଦୂରଦେଶକୁ ବଣିଜ କରିବାକୁ ଯାଇଥିଲେ । ଆଉ ଘରେ ଛାଡି ଯାଇଥିଲେ ତାଙ୍କର ଗେହ୍ଲା ଭଉଣୀ ତଅପୋଇକୁ । ଭାଇମାନେ ଥିବା ସମୟରେ ତଅପୋଇକୁ ଯେମିତି ଭଲପାଇବା ମିଳୁଥିଲା ସେମାନେ ଗଲା ପରେ ମଧ୍ୟ ତାକୁ ସେହି ଭଲପାଇବା ଦେଉଥିଲେ ଭାଉଜମାନେ । ହେଲେ ତାହା ଥିଲା କିଛି ଦିନ ପାଇଁ ।

ଖୁସିରେ ଗ୍ରହଣ ଲାଗିବା ଭଳି ଘରେ ଆସି ପହଞ୍ଚିଥିଲା ରାଣ୍ଡୀ ବ୍ରାହ୍ମଣୀ । ଭାଉଜମାନଙ୍କ ସିଖେଇ ନଣନ୍ଦ ତଅପୋଇକୁ ଦେଉଥିଲା ଗଞ୍ଜଣା ।  ଭାଉଜମାନେ ରାଣ୍ଢୀ ବ୍ରାହ୍ମଣୀ କଥାରେ ପଡି ତଅପୋଇକୁ ଘରକାମ ସହ ଛେଳି ଚରାଇବା ପାଇଁ କହୁଥିଲେ । ଭାତ ବଦଳରେ ଗୋଡି ମିଶା ଖୁଦ ଦେଉଥିଲେ । ଭାଇମାନେ ପାଖରେ ନଥିବାରୁ ତଅପୋଇ ଏକଥା କାହାରିକୁ କହିପାରୁନଥିଲା । ନିଜ କଷ୍ଟ ନିଜ ମନରେ ଚାପି କାନ୍ଦି କାନ୍ଦି ରହୁଥିଲା । କିନ୍ତୁ ସାନ ଭାଉଜ ଥିଲେ ତଅପୋଇ ସପକ୍ଷରେ । 6 ଭାଉଜଣଙ୍କୁ ଛାଡି ସବୁଠାରୁ ସାନ ଭାଉଜ କିନ୍ତୁ ତଅପୋଇ ପ୍ରତି ଥିଲା ଭଲପାଇବା । ସମସ୍ତଙ୍କୁ ଲୁଚାଇ ଖାଇବାକୁ ଦେଉଥିଲେ । ସ୍ନେହ ଆଦର କରୁଥିଲେ ।

ଅନେକ ଦିନ ଅନ୍ତେ ଭାଇମାନେ ବିଦେଶରୁ ଫେରିବାରେ ଡେରି ହୋଇଥିଲା । ତଅପୋଇ ମନରେ ଭାଇମାନଙ୍କ ଫେରିବାକୁ ନେଇ ଅନେକ ଦୁଶ୍ଚିନ୍ତା ଆସିଲା । ଆଉ ଶେଷରେ ତଅପୋଇ ନଦୀ ବାଲିରେ ମାଟିରେ ମୂର୍ତ୍ତି ଗଢ଼ି ଭାଇମାନଙ୍କର ମଙ୍ଗଳମନାସୀ ଖୁଦୁରୁକୁଣୀ ଓଷା କରିଥିଲା । ପାଖରେ କିଛି ନଥିବାବେଳେ ସେ ଶୁଖିଲା ଖୁଦକୁ ଭୋଗ ଆକାରରେ ଠାକୁରାଣୀଙ୍କ ପାଖରେ ଖୁଦ ଭୋଗ କରିଥିଲା ।  ସେଦିନ ଥିଲା ରବିବାର । ସେହିଦିନଠୁ 5 ପାଳି ଓଷା କରିଥିଲା ତଅପୋଇ । ତା ଡାକ ଶୁଣି ମା ମଙ୍ଗଳା ବା ଖୁଦୁରୁକୁଣି ଭାଇମାନଙ୍କୁ ଘରକୁ ଫେରାଇ ଆଣିଥିଲେ ।

ସେହି ଜଙ୍ଗଲରେ ତଅପୋଇ ପୂଜା କରୁଥିବା ବେଳେ ଭାଇମାନେ ଏକ କୁଆଁରୀ କନ୍ୟାର କାନ୍ଦ ବାରି ତା ପାଖୁ ଆସି ଦେଖିଥିଲେ । ଆଉ ପାଇଥିଲେ ଭଉଣୀ ତଅପୋଇକୁ । ଭାଇମାନଙ୍କୁ ବନ୍ଦାପନା କରିବା ନିମନ୍ତେ ସବୁ ଭାଉଜ ଯାଇଥିବା ବେଳେ ତଅପୋଇକୁ ଭାଉଜମାନେ ଘରକୋଣରେ ବାନ୍ଧି ଦେଇଥିଲେ । ହେଲେ ତଅପୋଇ ନ ଆସିଲେ ଆମ୍ଭେ ବୋଇତରୁ ଓହ୍ଲାଇବୁ ନାହିଁ ବୋଲି ଭାଇମାନେ ଜିଦ ଧରି ବସିବାରୁ ସାନଭାଉଜ ସବୁ ଗୋପନ କଥା ଭାଇମାନଙ୍କ ଆଗରେ କହିଥିଲେ ।

ଶେଷରେ ଭଉଣୀ ତଇପୋଇକୁ ଦଣ୍ଡ ସ୍ୱରୁପ କେବଳ ସାନ ଭାଉଜଙ୍କୁ ଛାଡ଼ି ସାତ ସାଧବ ବାକି ସମସ୍ତଙ୍କର ନାକ କାଟିବାକୁ ନିର୍ଦେଶ ଦେଇଥିଲେ ଭାଇମାନେ । ଆଉ ତଅପୋଇ ସମସ୍ତଙ୍କ ନାକ କାଟିଥିଲା ସତ ହେଲେ ସାନଭାଉଜଙ୍କ ବେକରେ ଅଳଙ୍କାର ପକାଇ ତାଙ୍କୁ ସ୍ନେହ କରିଥିଲା ।  ଆଉ ସେବେଠୁ ହୋଇ ଆସୁଛି ଖୁଦୁରୁକୁଣୀ ଓଷା ।