Wednesday, November 11, 2026
Home ଆଞ୍ଚଳିକ ଓଡ଼ିଶା ସଂସ୍କୃତିର ରାଜ୍ୟ

ଓଡ଼ିଶା ସଂସ୍କୃତିର ରାଜ୍ୟ

53

ଖୋର୍ଦ୍ଧା,୨୨/୮,(ଜିଲ୍ଲା ଖବର)
ବାର ମାସରେ ତେର ପର୍ବ ପରମ୍ପରା ବହନ କରେ ଏକ ସ୍ୱତନ୍ତ୍ର ପରିଚୟ । ଶ୍ରାବଣ ମାସ ପୂର୍ଣ୍ଣମୀ ତିଥିରେ ପଡ଼େ ରକ୍ଷାବନ୍ଧନ । ଓଡ଼ିଶାରେ ରାକ୍ଷୀ ପୂର୍ଣ୍ଣିମା ଗହ୍ମାପୂର୍ଣ୍ଣିମା ନାମରେ ମଧ୍ୟ ଜଣାଶୁଣା । ଭାଇ-ଭଉଣୀର ସମ୍ପର୍କ ଓ ସ୍ନେହର ବନ୍ଧନକୁ ପାଳନ କରାଯାଏ ଏହି ପର୍ବରେ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କ ଭାଇ, ଭଉଣୀ ଓ ସୁଦର୍ଶନଙ୍କ ସହିତ ରତ୍ନମଣ୍ଡପରେ ପୂଜା ପାଉଥିବା ବେଳେ ସେ ସାଧାରଣ ମନୁଷ୍ୟ ପରି ସମସ୍ତ ପର୍ବ ପାଳନ କରିଥାନ୍ତି । ସେ ଦୃଷ୍ଟିରୁ ସ୍ୱୟଂ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଏବଂ ଭାଇ ବଳଭଦ୍ରଙ୍କ ହାତରେ ଭଉଣୀ ସୁଭଦ୍ରା ଏହିଦିନ ରାକ୍ଷୀ ବାନ୍ଧିଥାନ୍ତି । ଏହା ହିଁ ଆମ ସଂସ୍କୃତିର ପରିଚୟ । ଗହ୍ମାପୂର୍ଣ୍ଣିମାର ଆଉ ଏକ ବିଶେଷତ୍ୱ ହେଉଛି ଏହିଦିନ ମହାପ୍ରଭୁ ଶ୍ରୀ ବଳଭଦ୍ରଙ୍କର ଜନ୍ମ ଉତ୍ସବ । ବଳଭଦ୍ରଙ୍କୁ କୃଷକମାନଙ୍କ ଦେବତା ଭାବେ ଆଖ୍ୟା ଦିଆଯାଇଛି । ଓଡ଼ିଶା ଏକ କୃଷିଭିତିକ ରାଜ୍ୟ ହୋଇଥିବା ବେଳେ ଓଡ଼ିଶାର ପୂରପଲ୍ଲୀର ସମସ୍ତ ଚାଷୀ ପରିବାରରେ ଏହି ପର୍ବକୁ ବେଶ୍ ଆନନ୍ଦର ସହ ପାଳନ କରାଯାଏ । ପ୍ରତ୍ୟେକ କୃଷକ ପରିବାରରେ ଗହ୍ମାପୂର୍ଣ୍ଣିମା ଦିନ ସକାଳୁ ଗାଈ, ବଳଦଙ୍କୁ ଗାଧୋଇ ଦିଆଯାଇ ପୂଜା କରାଯାଏ । ଓଡ଼ିଆ ଘରର ବୋହୂ ସକାଳୁ ଗାଈ, ବଳଦଙ୍କ ମଥାରେ ତିଲକ ଟୀକା ଲଗାଇ ବନ୍ଦାପନା କରି ସେମାନଙ୍କ ସିଙ୍ଗରେ ରାକ୍ଷୀ ବାନ୍ଧି ପରିବାରର ଉତରତୋର କାମନା କରିଥାଏ । ପିଠା, ମିଠା ଆଦି ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରି ଭୋଗ ଲାଗି କରାଯାଇ ଗାଈ, ବଳଦଙ୍କୁ ଖାଇବାକୁ ଦିଆଯାଇଥାଏ । ପରମ୍ପରା ଅନୁଯାୟୀ ଚାଷୀ ଏହିଦିନ ନିଜ ହଳ, ଲଙ୍ଗଳ ଏବଂ ଅନ୍ୟାନ୍ୟ ଚାଷ ଉପକରଣ ମଧ୍ୟ ପୂଜା କରିଥାନ୍ତି । ମହାପ୍ରଭୁ ବଳଭଦ୍ରଙ୍କ ଜନ୍ମଉତ୍ସବ ଶ୍ରୀମନ୍ଦିରରେ ମଧ୍ୟ ପାଳନ କରାଯାଏ । ଗହ୍ମାପୂର୍ଣ୍ଣିର୍ମାକୁ ଝୁଲଣ ଯାତ୍ରା ବୋଲି ମଧ୍ୟ କୁହାଯାଇଥାଏ । ଝୁଲଣ ଯାତ୍ରା ଶ୍ରାବଣ ଶୁକ୍ଳ ଏକାଦଶୀ ଦିନ ଆରମ୍ଭ ହୋଇ ଗହ୍ମାପୂର୍ଣ୍ଣିମାରେ ଏହାର ପରିସମାପ୍ତି ଘଟିିଥାଏ । ଏହିଦିନ ଶ୍ରୀଜୀଊମାନଙ୍କ ସମେତ ସୁଦର୍ଶନ, ଭୂଦେବୀ ଓ ଶ୍ରୀଦେବୀଙ୍କୁ ରତ୍ନବେଦୀରେ ସ୍ୱର୍ଣ୍ଣ ଅଳଙ୍କାର ଆଭୂଷଣରେ ସୁସଜ୍ଜିତ କରାଯାଇଥାଏ । ରାଧା-କୃଷ୍ଣଙ୍କ ଯୁଗଳ ମୂର୍ତିକୁ ଏକ ଦୋଳିରେ ବସାଇ ଝୁଲାଯାଇଥାଏ ।
ରୀପୋର୍ଟ :-ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର