
ପାରଳାଖେମୁଣ୍ଡି, ୩/୧୧ ( ପ୍ରଭାତ କୁମାର ପାତ୍ର): ସୁନାଚୋରି ମାମଲାରେ ଦୁଇ ଜଣଙ୍କ ଗିରଫ କଲା ପାରଳାଖେମୁଣ୍ଡି ଆଦର୍ଶ ଥାନା ପୁଲିସ । ସହରର ଅଙ୍କସାହିରେ ରହୁଥିବା ଜଣେ ବୃଦ୍ଧାଙ୍କ ଘରୁ ସୁନାଚୋରି ମାମଲାରେ ମାଇଁ ସମେତ ନାବାଳକ ଭଣଜାକୁ ଶନିବାର ଦିନ ପୋଲିସ ଗିରଫ କରିଛି। ଗିରଫ ମହିଳା ଜଣେ ପାରଳାଖେମୁଣ୍ଡି କୁଣ୍ଡି ସାହିର ଆବଲତା ସତ୍ୟା ବୋଲି ଜଣାପଡ଼ିଛି। ଏନେଇ ଗଜପତି ଏସପି ସାରା ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ଗତ ଅକ୍ଟୋବର ୧୫ ତାରିଖ ଦିନ ଅଙ୍କସାହିରେ ରହୁଥିବା ବୃଦ୍ଧା ବିନୋଦିନୀ ଗନ୍ତାୟତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ବିଶାଖାପଟନମ ଯାଇଥିବା ବେଳେ ତାଙ୍କ ଘରୁ ସୁନାଚୋରି ହୋଇଥିଲା। ତେବେ ସେ ବିଶାଖାପଟନମ ଫେରି ଏହା ଦେଖିବା ପରେ ପାରଳାଖେମୁଣ୍ଡି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରେ ଜଣାପଡିଥିଲା ଯେ ବୃଦ୍ଧାଙ୍କ ଘରେ କେହି ନଥିବାର ସୁଜଗ ନେଇ ନାବାଳକ ଜଣକ ସଂପୃକ୍ତ ଘରର ପଛପଟ ବାଟଦେଇ ଘରେ ପରିବା ସହ ଆଲମରା ଭାଙ୍ଗି ସେଥିରେ ଥିବା ଏକଟି ସୁନାଚେନ, ଦୁଇଟି ସୁନା ମୁଦି ଏବଂ ଅଧତୁଳା ସୁନା ବିସ୍କୁଟ ସହ ଏକଟି ମୋବାଇଲ ଚୋରି କରି ନେଇଥିଲା। ଯାହାର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ହେବ ବୋଲି ଜଣା ପଡ଼ିଛି। ସଂପୃକ୍ତ ନାବାଳକକୁ ପୋଲିସ ଧରିବା ସହ ପଚାରା ଉଚରା କରିବା ପରେ ତାର ମାଇଁ ପାଖରେ ଏସବୁ ଚୋରା ସାମଗ୍ରୀ ରଖିଥିବା ସେ ପୋଲିସକୁ କହିଥିଲା। ଫଳରେ ପୋଲିସ ନାବାଳକର ମାଇଁ ସତ୍ୟାର ଘରେ ପହଞ୍ଚି ଖୋଜା ଖୋଜି କରିବା ସମୟରେ ଏହି ସବୁ ସାମଗ୍ରୀ ଜବତ କରିଥିଲା। ଏହା ପରେ ଉଭୟଙ୍କୁ ପୋଲିସ ଗିରଫ କରିଥିଲା।



