
ସୁନ୍ଦରଗଡ଼, ୫/୮(ଜିଲ୍ଲା ଖବର) : ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ମହାମାରୀ ସମୟରେ ଜନସାଧାରଣଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଲାଗି ପ୍ରଶାସନ ପକ୍ଷରୁ ଡାକ୍ତର ଏବଂ ପାରାମେଡିକାଲ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଉଛି। ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନର (ଡିଏମଏଫ) ସହଯୋଗକ୍ରମେ ବିଭିନ୍ନ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ରାଉରକେଲା ସରକାରୀ ଚିକିତ୍ସାଳୟ ଆଦି ଡାକ୍ତରଖାନାରେ ଅଧିକ ସଂଖ୍ୟକ ଡାକ୍ତର ଏବଂ ପାରାମେଡିକାଲ କର୍ମଚାରୀ ନିଯୁକ୍ତି ପାଇବା ଫଳରେ ଜିଲ୍ଲାର ସ୍ୱାସ୍ଥ୍ୟସେବା କ୍ଷେତ୍ର ଅଧିକ ସୁଦୃଢ଼ ହୋଇପାରିଛି।
ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ଏବେ ନିୟନ୍ତ୍ରଣରେ ରହିଛି। ତେବେ ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଜିଲ୍ଲାର ବିଭିନ୍ନ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ନମୁନା ସଂଗ୍ରହ ଓ ପରୀକ୍ଷା ଚାଲୁ ରହିଛି। ଫଳରେ କୋଭିଡ୍ ରୋଗୀଙ୍କୁ ଚିହ୍ନଟ କରି ସେମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସମ୍ଭବ ହୋଇପାରୁଛି। ଏହି କାର୍ଯ୍ୟରେ ପାରାମେଡିକାଲ କର୍ମଚାରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ସେହିପରି କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମରେ ଅଧିକ ସଂଖ୍ୟକ ଏଏନଏମ ଏବଂ ଡାଟା ଏଣ୍ଟ୍ରି ଅପରେଟରମାନଙ୍କୁ ନିୟୋଜିତ କରାଯାଇଛି।
‘‘ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଲୋକମାନେ କିପରି ଉତ୍ତମ ମାନର ସ୍ୱାସ୍ଥ୍ୟ ସେବା ପାଇବେ ତା’ ଉପରେ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତାରେ ଡାକ୍ତର ଓ ପାରାମେଡିକାଲ ଷ୍ଟାଫଙ୍କୁ ନିଯୁକ୍ତି ଦିଆଯାଇଛି। ଫଳରେ ଜିଲ୍ଲାରେ ରୋଗୀ ସେବାକୁ ଉନ୍ନତ କରିବା ପାଇଁ ଯେଉଁ ମାନବ ସମ୍ବଳର ଆବଶ୍ୟକତା ରହିଥିଲା ତାହା ପୂରଣ ହୋଇପାରିଛି’’, କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର।
ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଉଦ୍ୟମରେ ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି। ଡିଏମଏଫର ଆର୍ଥିକ ସହାୟତାକ୍ରମେ ଜିଲ୍ଲାରେ ୮୧ ଜଣ ଡାକ୍ତରଙ୍କ ସହ ୪୦୨ ଜଣ ପାରାମେଡିକାଲ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଫଳରେ ଜିଲ୍ଲାର ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ବିଭିନ୍ନ ଡାକ୍ତରଖାନାରେ ରୋଗୀ ସେବାକୁ ଉନ୍ନତ କରାଯାଇ ପାରିଛି।
ଡିଏମଏଫ ସହାୟତାରେ ନିଯୁକ୍ତି ପାଇଥିବା ଡାକ୍ତରଙ୍କ ଭିତରେ ଡେଣ୍ଟାଲ, ମେଡିସିନ୍, ସ୍ତ୍ରୀ ଓ ପ୍ରସୂତି, ଶିଶୁ ରୋଗ, ଅର୍ଥୋପେଡିକ୍ସ, ଇଏନଟି, ସର୍ଜରୀ, ଅନାସଥେସିଆ ଏବଂ ଫିଜିଓଥେରାପି ବିଭାଗର ଡାକ୍ତର ଓ ସ୍ପେଶାଲିଷ୍ଟ ଅଛନ୍ତି। ସେହିପରି ପାରାମେଡିକାଲ କର୍ମଚାରୀଙ୍କ ଭିତରେ ଷ୍ଟାଫ୍ ନର୍ସ, ଏଏନଏମ, ଲାବୋରେଟୋରି ଆସିଷ୍ଟାଣ୍ଟ, ଫାର୍ମାସିଷ୍ଟ, ଡାଟା ଏଣ୍ଟ୍ରି ଅପରେଟର, ଅଫିସ ଆସିଷ୍ଟାଣ୍ଟ, ରେଡିଓଗ୍ରାଫର, ହସ୍ପିଟାଲ ମ୍ୟାନେଜର ଏବଂ ଆକାଉଣ୍ଟାଣ୍ଟ ଆଦି ଅଛନ୍ତି।
‘‘ହେମଗିରି ଡାକ୍ତରଖାନାରେ ମୁଁ ଡିଏମଏଫ ମାଧ୍ୟମରେ ନିଯୁକ୍ତି ପାଇଛି। ଡାକ୍ତରଙ୍କ ସଂଖ୍ୟା କମ୍ ଥିବାରୁ ଆଗରୁ ରୋଗୀ ଦେଖିବାରେ ଯେଉଁ ଅସୁବିଧା ଥିଲା ତାହା ଦୂର ହୋଇପାରିଛି। ସଠିକ ସମୟରେ ରୋଗୀମାନଙ୍କୁ ଚିକିତ୍ସା ସେବା ମିଳିପାରୁଛି। ଓପିଡ଼ି ଦିନକୁ ଦୁଇ ବେଳା ଖୋଲା ରହୁଛି। ପ୍ରତିଦିନ ୩୫ରୁ ୪୦ ରୋଗୀଙ୍କୁ ଆମେ ସୁବିଧାରେ ଦେଖି ପାରୁଛୁ’’, କହିଛନ୍ତି ଡେଣ୍ଟାଲ ସର୍ଜନ ଡାକ୍ତର ଶୁଭଶ୍ରୀ ଷଡ଼ଙ୍ଗୀ।
ଡାକ୍ତରଙ୍କ ଭଳି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ପାରାମେଡିକାଲ କର୍ମଚାରୀମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସୁନ୍ଦରଗଡ଼ ଜିଲ୍ଲାରେ ଆଇପିଏଚ (ଭାରତୀୟ ଜନସ୍ୱାସ୍ଥ୍ୟ ମାନକ) ଷ୍ଟାଣ୍ଡାର୍ଡର ପାରାମେଡିକାଲ କର୍ମଚାରୀ ନିଯୁକ୍ତି ପାଇଛନ୍ତି। କୋଭିଡ୍ ମହାମାରୀ ସହିତ ଶିଶୁ ଓ ମାତୃ ମୃତ୍ୟୁ ହାର ନିୟନ୍ତ୍ରଣ ଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯେଉଁସବୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ତାକୁ ସାକାର କରିବାରେ ସ୍ଵାସ୍ଥ୍ୟକର୍ମୀମାନେ ବିଶେଷ ଭୂମିକା ଗ୍ରହଣ କରୁଛନ୍ତି।
ରିପୋର୍ଟ ,ବିଶ୍ବରଂଜନ ହୋତା







