
୦୩/୦୮/୨୧ (ଜିଲ୍ଲା ଖବର) : ଅଭାବ ଅନାଟନ, ଗରିବି ଯୋଗୁଁ ହେଉ ଅବା ଅନଲାଇନ ପାଠପଢ଼ା ପାଇଁ ଆବଶ୍ୟକ ହେଉଥିବା ମୋବାଇଲ ଟିଏ ତାଙ୍କ ପାଖରେ ନ ଥିଲା। କିଣିବା ପାଇଁ ଅତି କମରେ ଟଙ୍କା ୫ ହଜାର ଲୋଡା। ହେଲେ ଆଣିବେ କୋଉଠୁ ଯେ, ପଢିବେ। ସେଥିପାଇଁ ବାହାରିଲେ ଦାଦନ ଖଟି। ପଇସ ରୋଜଗାର କରିବେ, ମୋବାଇଲ କିଣିଲେ ପାଠ ପଢିବେ। କିନ୍ତୁ ନିୟତିର ଇଚ୍ଛା କିଛି ଅଲଗା ଥିଲା। ଛୁଆଗୁଡାକ ଆଉ ଗାଁକୁ ଫେରିବେନି ଏ କଥା କେହି ସ୍ବପ୍ନରେ ବି ଭାବି ନ ଥିଲେ। ଶେଷକୁ ଶବ ହୋଇ ଫେରିଲେ ଜନ୍ମମାଟିକୁ।
ଆମ ରାଜ୍ୟରୁ ବାହାର ରାଜ୍ୟକୁ ହଜାର ହଜାର ଲୋକେ ଦାଦନ ଖଟିବାକୁ ଯାଉଛନ୍ତି । ସେଠାରେ ସେମାନେ କିଭଳି ଓ କେଉଁ ପରିସ୍ଥିତିରେ କି ପ୍ରକାର କାମ କରୁଛନ୍ତି ପ୍ରଶାସନ ତରଫରୁ କୌଣସି ଖୋଜ ଖବର ନିଆଯାଏ ନାହିଁ।
ଠିକ୍ ଯେମିତି ଏଇ ଘଟଣା।
ଆନ୍ଧ୍ରପ୍ରଦେଶ ଗୁଣ୍ଠୁରରେ ନିକଟରେ ୬ ଓଡ଼ିଆ ବାଳ ଶ୍ରମିକ ମୃତ୍ୟୁ ଘଟିଲା। ଏକ ମାଛ ଓ ଚିଙ୍ଗୁଡ଼ି ୟୁନିଟରେ ଗତ ଗୁରୁବାର ରାତିରେ ଅଗ୍ନିକାଣ୍ଡ ଘଟି ଏମାନେ ଆଖି ବୁଜିଲେ। ମୃତ ବାଳକମାନେ ରାୟଗଡା ଜିଲ୍ଲା ଗୁଣୁପୁରର ୫ ଜଣ ଓ ଗଜପତି ର ଜଣେ। ସମସ୍ତେ ନାବାଳକ । ପିଲାମାନଙ୍କ ପରିବାର ଅତି ଗରିବ ଶ୍ରେଣୀର । ଏଣୁ କରୋନା ସମୟରେ ମୋବାଇଲ ଖଣ୍ଡିଏ ତାଙ୍କ ପାଖରେ ପାଠ ପଢିବାକୁ ନ ଥିଲା ।ସେଇ ମୋବାଇଲ କିଣିବା ଆଶାରେ ସେମାନେ ଦାଦନ ଖଟି ଯାଇଥିଲେ। ହେଲେ ଶେଷରେ ପରିସ୍ଥିତି ଓଲଟିଗଲା।
ଏଣୁ ଏହି ଘଟଣାର ଉପଯୁକ୍ତ ତଦନ୍ତ କରାଯିବା ସହ, ମୃତ ଶ୍ରମିକଙ୍କ ପରିବାର କୁ ଅଧିକ ଆର୍ଥିକ ସହାୟତା ଯୋଗାଇଦେବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି ।
ରାୟଗଡା ଜିଲ୍ଲା ଗୁଣୁପୁର ବ୍ଳକ ଫୁଲଫୁଟି ଓ ଝୁମ୍ପାପୁର ଅଞ୍ଚଳକୁ ଯାଇଥିବା ରାଜ୍ୟ ବିଜେପି ପ୍ରତିନିଧି ଦଳ ମୃତ ଶ୍ରମିକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହ ତୁରନ୍ତ ରାଜ୍ୟ ସରକାର ମୃତ ଶ୍ରମିକଙ୍କ ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କା, ଆହତଙ୍କୁ ୫ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି।
ସେପଟେ ଆନ୍ଧ୍ର ସରକାର ମୃତକଙ୍କ ପରିବାରକୁ ୩ଲକ୍ଷ ଓ କମ୍ପାନୀ ୫ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି।


